ରାଦୀପ ୧୫।୧୧: ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ୍ଟି ଏବେ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି । ଅର୍ଣ୍ଣବ ଓ ମୁରାସୁ ପରେ ଏବେ ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି । ବଙ୍ଗୋପସାଗରରେ ଆଉ ଏକ ବାତ୍ୟାର ଭୟ ଘନେଇବାରେ ଲାଗିଛି । ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଅବପାତ । ତେବେ ଏହି ବାତ୍ୟା ଅତି ଭୀଷଣ ବାତ୍ୟା ପର୍ଯ୍ୟନ୍ତ ପହଞ୍ଚିବା ନେଇ ଆକଳନ କରାଯାଇଛି । ତେବେ ଏହି ବାତ୍ୟା କେତେ ପ୍ରଭାବ ପକାଇବ ଏବେ ତାକୁ ନେଇ ଭୟ ଓ ଆଶଙ୍କାରେ ଓଡ଼ିଶା ।

ଏହା ଫଳରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ସମୁଦ୍ର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ଧାରଣ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ଏବଂ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୦ ହୋଇ ଏହା ୬୦ କି.ମି ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ମଧ୍ୟରେ ସମୁଦ୍ରରେ ମାଛ ଧରିବା ବିପଦପୂର୍ଣ୍ଣ ହେବ । ସେଥିପାଇଁ କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

Also Read:- ଅର୍ଣ୍ଣବ, ମୁରାସୁ ପରେ ଆଉ ଏକ ବାତ୍ୟା, ୧୯ରେ ନେଇପାରେ ଅତି ଭୀଷଣ ରୂପ !

ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣୀ ମାଛଧରା ବନ୍ଦର, ନୂଆବଜାର ଓ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ପ୍ରଚାର କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି, ସେମାନେ ତୁରନ୍ତ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।