ନୂଆଦିଲ୍ଲୀ: ଯେତେବେଳେ ରାଜା ଶାସନ ଥିଲା ସେତେବେଳେ ରାଜାମାନେ ଦୁନିଆରୁ ସବୁ ଜ୍ଞାନୀଗୁଣି ଲୋକଙ୍କୁ ଧନ ସମ୍ପତ୍ତି ଲୋଭ ଦେଖାଇ ନିଜ ରାଜ୍ୟରେ ରହିବାକୁ କହୁଥିଲେ। ସେମାନଙ୍କ ମତରେ ରାଜ୍ୟରେ ଯେତେ ଦକ୍ଷ ଓ ଜ୍ଞାନୀ ଲୋକ ରହିବେ ସେମାନଙ୍କ ଜ୍ଞାନକୁ ବ୍ୟବହାର କରି ରାଜ୍ୟକୁ ସେତେ ସମୃଦ୍ଧ କରି ଗଢ଼ି ତୋଳି ହେବ। ଏଥିପାଇ ପୂର୍ବକାଳରେ ଜ୍ଞାନୀ ଲୋକମାନଙ୍କର ସ୍ଥାନାନ୍ତରଣ ନେଇ ଅନେକ ଉଦାହରଣ ରହିଛି।

ହେଲେ ଏବେ ଆଉ ସେ ରାଜତନ୍ତ୍ର ନାହିଁ, କି ରାଜା ନାହାନ୍ତି। କିନ୍ତୁ ତଥାପି ଜ୍ଞାନୀ ଗୁଣି ଲୋକଙ୍କର ପଳାୟନ ଜାରି ରହିଛି। ସେତେବେଳେ ରାଜା ଧନ ସମ୍ପତ୍ତି ଲୋଭ ଦେଖାଇ ଜ୍ଞାନୀ ଲୋକଙ୍କୁ ନେଇ ଯାଉଥିଲେ, ହେଲେ ଆଜି ବଡ଼ ବଡ଼ ଶକ୍ତିଶାଳୀ ଦେଶ ନିଜ ଦେଶର ବ୍ୟବସ୍ଥା, ପରିବେଶକୁ ଏମିତି ଆକର୍ଷଣୀୟ କରି ଗଢ଼ି ତୋଳୁଛନ୍ତି, ଯେଉଁଥିରେ ଲୋକେ ଆପେ ଆପେ ଆକର୍ଷିତ ହୋଇ ସେହି ଦେଶକୁ ଚାଲିଯାଉଛନ୍ତି। ସେଠାରେ ନିଜର ସବୁ ପ୍ରତିଭାରେ ବିନିଯୋଗ କରି ସେହି ଦେଶକୁ ସମୃଦ୍ଧ କରୁଛନ୍ତି।

ଏ କ୍ଷେତ୍ରରେ ଦେଖିଲେ ଏଠି ରାଜା ସାଜିଛି ଆମେରିକା, ଆଉ ଦକ୍ଷତାର ପଳାୟନର ଶିକାର ହେଉଛି ଭାରତ। ଏକଥା ଆମେ କହୁନୁ ଫୋର୍ବ୍ସ ଇଣ୍ଡିଆର ଏକ ରିପୋର୍ଟରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଭାରତର ଦକ୍ଷ ଏଆଇ ପ୍ରତିଭା ନିଜ ଦେଶରେ କାମ କରିବା ବଦଳରେ ଆମେରିକା ଯାଇ କାମ କରିବାକୁ ପସନ୍ଦ କରୁଛନ୍ତି। ଯେଉଁମାନେ ଦେଶ ଛାଡ଼ି ଚାଲିଯାଉଛନ୍ତି ସେମାନେ ଆଉ ଫେରିବାକୁ ଚାହୁଁ ନାହାନ୍ତି। ବହୁତ କମ ଲୋକ ଫେରୁଛନ୍ତି। ଫୋର୍ବ୍ସ ଇଣ୍ଡିଆର ରିପୋର୍ଟ ଅନୁସାରେ ଆମେରିକାର ଅଧିକ ଦରମା, ଆଡଭାନ୍ସ ଏଆଇ ପ୍ରୋଜେକ୍ଟ ଉପରେ କାମ କରିବା ନେଇ ଦିଆଯାଉଥିବା ମଉକା ଯୁବ ପ୍ରତିଭାଙ୍କୁ ଆକର୍ଷିତ କରୁଛି।

Also Read- ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବିଳମ୍ବ ପାଇଁ ଭାରତ ଦାୟୀ, ଖାଲି ନିଜ ସ୍ୱାର୍ଥ ଦେଖିଲେ ହେବନି: ଜାପାନର ପୂର୍ବତନ ମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ

ଆମେରିକାର ସିଲିକନ୍ ଭ୍ୟାଲି ବୈଠକରେ, ଭାରତୀୟ ରିସର୍ଚ୍ଚରମାନେ ସ୍ପଷ୍ଟ କହୁଛନ୍ତି ଯେ ସେମାନେ ଭାରତ ଫେରିବାର କୌଣସି ଦୃଢ଼ କାରଣ ଦେଖାଯାଉ ନାହିଁ। ଫଳରେ ଅନେକ ଭାରତୀୟ ପ୍ରତିଷ୍ଠାତା ଭାରତ ବଦଳରେ ଆମେରିକାରେ ସେମାନଙ୍କର ନୂଆ AI ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି। ଯାହାର ପରିଣାମସ୍ୱରୂପ ଭାରତ ବିଶ୍ୱ ଏଆଇ ଦୌଡ଼ରେ ପଛରେ ପଡ଼ିଯାଉଛି। ଏଣ୍ଟରପ୍ରାଇଜ୍ AI ଟାଲେଣ୍ଟରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ କେନ୍ଦ୍ର ବୋଲି କିଛି ବିଶେଷଜ୍ଞ ମାନୁଥିବା ବେଳେ, ଭାରତରୁ କିନ୍ତୁ ଶ୍ରେଷ୍ଠ ପ୍ରତିଭାଙ୍କର ନିୟମିତ ପଳାୟନ ଜାରି ରହିଛି।

ଏଆଇ ଚାକିରି ୧୬% ବୃଦ୍ଧି, ହେଲେ ମୋଟ ଭର୍ତ୍ତି ୩% ହ୍ରାସ

ଭାରତୀୟ ଆଇଟି କମ୍ପାନୀଗୁଡ଼ିକ ବହୁତ ଦିନ ପରେ ନିଯୁକ୍ତି ଦେବା ଆରମ୍ଭ କରିଛନ୍ତି। ହେଲେ ସମସ୍ୟା ହେଉଛି, ଅଧିକାଂଶ ନୂଆ ନିଯୁକ୍ତି ଏଆଇ ବିଶେଷଜ୍ଞଙ୍କ ପାଇଁ ରହିଛି। ଜବସ୍ପିକର ଜୁନ୍ ୨୦୨୬ ରିପୋର୍ଟ ଅନୁଯାୟୀ, ଦେଶରେ ଏଆଇ ଚାକିରି ୧୬% ବୃଦ୍ଧି ପାଇଥିବା ବେଳେ ମୋଟ ନିଯୁକ୍ତି ୩% ହ୍ରାସ ପାଇଛି। ଅନ୍ୟପଟେ କମ୍ପାନୀଗୁଡ଼ିକ ନିର୍ଦ୍ଦିଷ୍ଟ ନିଯୁକ୍ତି କରି ପୁରୁଣା କର୍ମଚାରୀମାନଙ୍କୁ ନୂଆ କୌଶଳ ଶିଆଇ ତାଙ୍କୁ ଦକ୍ଷ କରିବାକୁ ଚାହୁଁଛନ୍ତି।

୨୦୨୭ ସୁଦ୍ଧା ୬ ଲକ୍ଷ AI ବୃତ୍ତିଗତଙ୍କ ଅଭାବ ଦେଖା ଦେଇପାରେ

NASSCOM ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୭ ସୁଦ୍ଧା ୬ ଲକ୍ଷରୁ ଅଧିକ AI ବୃତ୍ତିଗତଙ୍କ ଅଭାବ ଦେଖା ଦେଇପାରେ। ପ୍ରାରମ୍ଭିକ କ୍ୟାରିଅରର ୯୦% ରୁ ଅଧିକ ଟେକ୍ ବୃତ୍ତିଗତ AI ଉପକରଣ ବ୍ୟବହାର କରୁଥିବା ବେଳେ, କେବଳ ୨୩% ପ୍ରଫେସନାଲଙ୍କ ପାଖରେ ସ୍ୱତନ୍ତ୍ର ରୂପରେ AI ସିଷ୍ଟମଗୁଡ଼ିକୁ ବନାଇବା ଓ କାର୍ଯ୍ୟକାରୀ କରିବା ପାଇଁ ଟେକ୍ନିକାଲ ଜ୍ଞାନ ରହିଛି। ଫାଇଣ୍ଡାବିଲିଟି ସାଇନ୍ସର ସିଇଓ ଆନନ୍ଦ ମାହୁରକରଙ୍କ ମତରେ, ଗ୍ରାଜୁଏଟ୍ଙ୍କୁ ମେସିନ୍ ଲର୍ଣ୍ଣିଂ କିମ୍ବା ପାଇଥନ୍ କୋଡିଂ ଜ୍ଞାନ ତ ଜଣାଥାଏ, ହେଲେ ବ୍ୟବହାରିକ ଅଭିଜ୍ଞତାର ଅଭାବ ଥାଏ। କମ୍ପାନୀଗୁଡ଼ିକରେ ପୁସ୍ତକୀୟ ଜ୍ଞାନ ଏବଂ ପ୍ରକୃତ କାମ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ରହିଛି ବୋଲି ସେ କହିଛନ୍ତି।