ନୂଆଦିଲ୍ଲୀ: ଆମେରିକା ଚାପରେ ହେଉ କିମ୍ବା ବ୍ୟବସାୟରେ ବିବିଧକରଣ ନୀତିରେ, ଭାରତ ଏବେ ୱାଶିଂଟନ ଠାରୁ ଏଲ୍ପିଜି ଗ୍ୟାସ କିଣିବାକୁ ଯୋଜନା କରୁଛି। ଭାରତ ୨୦୨୭ ମସିହାରୁ ନିଜର ମୋଟ ଏଲପିଜି ଆମଦାନୀର ପ୍ରାୟ ଏକ ଚତୁର୍ଥାଂଶ (୨୫%) ଆମେରିକାରୁ କିଣିବାକୁ ଯୋଜନା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ୱାଶିଂଟନ ସହ ଦୀର୍ଘଦିନ ଧରି ଅପେକ୍ଷାରତ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବାରେ ସହାୟତା ପୂର୍ବକ ଭାରତ ଏହି ଡିଲ୍ କରିବ ବୋଲି ମାମଲା ସହ ଜଡିତ ତିନିଜଣ ବ୍ୟକ୍ତି ରଏଟର୍ସକୁ ସୂଚନା ଦେଇଛନ୍ତି। ସେହି ଆଧାରରେ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।

ଚଳିତ ବର୍ଷ ଇରାନ ଯୁଦ୍ଧ ଏବଂ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ଭାରତ ଚଳିତ ବର୍ଷର ସବୁଠାରୁ ବଡ଼ LPG ସଙ୍କଟର ସମ୍ମୁଖୀନ ହୋଇଥିଲା। ପରିସ୍ଥିତିକୁ ସମ୍ଭାଳିବା ପାଇଁ ସରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରି ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ପେଟ୍ରୋକେମିକାଲ ଫିଡଷ୍ଟକ୍କୁ ଘରୋଇ ବ୍ୟବହାର ପାଇଁ LPG ଯୋଗାଣରେ ସ୍ଥାନାନ୍ତର କରିଥିଲେ। ଭାରତର ଅଧିକାଂଶ ପରିବାର ରୋଷେଇ ଗ୍ୟାସ ଭାବେ LPG ବ୍ୟବହାର କରନ୍ତି। ତେଣୁ ଏଥିରେ ରେଷ୍ଟୁରାଣ୍ଟ ଶିଳ୍ପ ପ୍ରଭାବିତ ହୋଇଥିଲା।

୨୦୨୫ରେ ୯୦% LPG ପଶ୍ଚିମ ଏସିଆରୁ ଆସିଥିଲା

ସରକାରୀ ତଥ୍ୟ ଅନୁଯାୟୀ, ବିଶ୍ୱର ତୃତୀୟ ବୃହତ୍ ତୈଳ ଆମଦାନୀକାରୀ ଓ ଉପଭୋକ୍ତା ଭାରତ ୨୦୨୫ରେ ମୋଟ ୨୧.୮୫ ମିଲିୟନ ମେଟ୍ରିକ୍ ଟନ ଏଲପିଜି ଆମଦାନୀ କରିଥିଲା। ଏହାର ପ୍ରାୟ ୯୦ ପ୍ରତିଶତ ପଶ୍ଚିମ ଏସିଆରୁ ଆସିଥିଲା। ସେହିପରି, ଭାରତର ମୋଟ LPG ବ୍ୟବହାରର ପ୍ରାୟ ୬୬ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି।

ସୂତ୍ରମାନଙ୍କ କହିବା ଅନୁଯାୟୀ, ସରକାରୀ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ (HPCL) ଆସନ୍ତା ଏକରୁ ଦୁଇ ମାସ ମଧ୍ୟରେ ୨୦୨୭ ପାଇଁ ଆମେରିକାରୁ LPG ଯୋଗାଣ ନେବାକୁ ଟେଣ୍ଡର ଜାରି କରିବେ। ଏହାସହ କମ୍ପାନୀଗୁଡ଼ିକର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଆମେରିକା ଗସ୍ତ କରି ସେଠାରୁ LPG କ୍ରୟ ନେଇ ଆଲୋଚନା କରିବାର ସମ୍ଭାବନା ରହିଛି।

ସରକାର ଓ କମ୍ପାନୀର ପ୍ରତିକ୍ରିୟା ମିଳିନି

ଏହି ପ୍ରସଙ୍ଗରେ ମତାମତ ଜାଣିବା ପାଇଁ ରଏଟର୍ସ ପକ୍ଷରୁ ପଠାଯାଇଥିବା ଇ-ମେଲର କୌଣସି ଉତ୍ତର ତୈଳ ମନ୍ତ୍ରଣାଳୟ, IOC, BPCL ଓ HPCL ପକ୍ଷରୁ ମିଳିନଥିବା କହିଛି ଅନ୍ତର୍ଜାତୀୟ ମିଡିଆ ସଂସ୍ଥା। ଆମେରିକାରୁ ଅଧିକ ପରିମାଣରେ ଇନ୍ଧନ କ୍ରୟ କରିବା ଫଳରେ ୱାଶିଂଟନ ସହ ଭାରତର ବାଣିଜ୍ୟ ସନ୍ତୁଳନରେ ସୁଧାର ଆସିପାରେ। ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପ୍ରମୁଖ ଦାବି ରହିଛି। ଭାରତ ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ଆମେରିକା ସହ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବାକୁ ଉଦ୍ୟମ କରୁଛି। ତେଣୁ ଦେଶ ଏହି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି।

୧୦ ବିଲିୟନ ଡଲାରରୁ ୨୫ ବିଲିୟନ ଡଲାରକୁ ବଢ଼ିବ ଏନର୍ଜି କ୍ରୟ

ଭାରତ ନିକଟ ଭବିଷ୍ୟତରେ ଆମେରିକାରୁ ଏନର୍ଜି କ୍ରୟକୁ ୧୦ ବିଲିୟନ ଡଲାରରୁ ବଢ଼ାଇ ୨୫ ବିଲିୟନ ଡଲାର କରିବାକୁ ପ୍ରତିଶ୍ରୁତି ଦେଇଛି। ଉଭୟ ଦେଶ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରିଛନ୍ତି।

ଆମେରିକାରୁ ସ୍ପଟ୍ କ୍ରୟ ବଢ଼ାଇଛି ଭାରତ

ପଶ୍ଚିମ ଏସିଆରୁ କମ୍ ଯୋଗାଣକୁ ପୂରଣ କରିବା ପାଇଁ ଭାରତ ଆମେରିକା ଓ ଅନ୍ୟ ଦେଶରୁ ସ୍ପଟ୍ ମାର୍କେଟରେ LPG କ୍ରୟ ବଢ଼ାଇଛି। ସୂତ୍ରମାନଙ୍କ କହିବା ଅନୁଯାୟୀ, ଜୁନ୍ ମାସରେ ପ୍ରଥମ ଥର ପାଇଁ ଆମେରିକାରୁ LPG ଆମଦାନୀ ୧୦ ଲକ୍ଷ ଟନ୍ ଅତିକ୍ରମ କରିଥିଲା। ଏହାସହ ୨୦୨୬ ପାଇଁ ବାର୍ଷିକ ଚୁକ୍ତି ଅନୁଯାୟୀ ଧାର୍ଯ୍ୟ ୨.୨ ମିଲିୟନ ଟନ୍ ଲକ୍ଷ୍ୟକୁ ମଧ୍ୟ ଅତିକ୍ରମ କରିପାରେ।

୨୦୨୬ରେ LPG ବ୍ୟବହାର ଓ ଆମଦାନୀ କମିଛି

ସେପଟେ ସରକାରଙ୍କ ପ୍ରାଥମିକ ତଥ୍ୟ ଅନୁଯାୟୀ, ପଶ୍ଚିମ ଏସିଆରୁ ଯୋଗାଣ କମିବା ଫଳରେ ଜାନୁଆରୀରୁ ଜୁନ୍ ୨୦୨୬ ମଧ୍ୟରେ ଭାରତର ଏଲିପିଜି ବ୍ୟବହାର ପ୍ରାୟ ୧୪.୭ ମିଲିୟନ ଟନ୍କୁ ଖସି ଆସିଛି, ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ୮ ପ୍ରତିଶତ କମ୍। ଏହି ସମୟରେ ଏଲପିଜି ଆମଦାନୀ ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇ ୭.୫ ମିଲିୟନ ଟନ୍ ହୋଇଛି। ସୂତ୍ର ଅନୁଯାୟୀ, ୨୦୨୬ରେ କମ୍ ଯୋଗାଣ କାରଣରୁ ଭାରତର ଏଲପିଜି ବ୍ୟବହାର ପ୍ରାୟ ୩୦ ମିଲିୟନ ଟନ୍କୁ ଖସିପାରେ। କିନ୍ତୁ ୨୦୨୭ରେ ଚାହିଦା ବଢ଼ି ପ୍ରାୟ ୩୧ ମିଲିୟନ ଟନ୍ରେ ପହଞ୍ଚିପାରେ। ଏହା ସହିତ LPG ଆମଦାନୀ ପ୍ରାୟ ୨୦ ମିଲିୟନ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ସରକାରଙ୍କ ସ୍ପଷ୍ଟୀକରଣ

କେନ୍ଦ୍ର ତୈଳ ରାଜ୍ୟମନ୍ତ୍ରୀ ସୁରେଶ ଗୋପୀ ସୋମବାର ସଂସଦରେ କହିଥିଲେ, LPG ଆମଦାନୀରେ ବିବିଧୀକରଣ (Diversification) କରାଯାଉଛି, ଯାହାଦ୍ୱାରା ଯୋଗାଣ ସୁରକ୍ଷା ବଜାୟ ରହିବ ଏବଂ ଆଞ୍ଚଳିକ ବାଧା କିମ୍ବା ଭୂ-ରାଜନୈତିକ ଘଟଣା ଯୋଗୁ ସୃଷ୍ଟି ହେଉଥିବା ବିପଦକୁ କମାଇହେବ ବୋଲି ସେ କହିଛନ୍ତି। ତେଣୁ ଏଥିରୁ ଆମେରିକାରୁ ଏଲପିଜି କିଣିବା ଏକପ୍ରକାର ସ୍ପଷ୍ଟ ସଂକେତ ମିଳିଛି ବୋଲି କୁହାଯାଇପାରିବ।