ନୂଆଦିଲ୍ଲୀ: ଭାରତରେ ଡେଙ୍ଗୁ ରୋଗ ଯୋଗୁ ପ୍ରତିବର୍ଷ ହଜାର ହଜାର ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଇତିମଧ୍ୟରେ ଡେଙ୍ଗୁ ବିରୋଧରେ ଲଢ଼େଇ ପାଇଁ ଦେଶକୁ ଖୁବ୍ ଶୀଘ୍ର ପ୍ରଥମ ଟିକା ମିଳିପାରେ । ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେନ୍(ସିଡିଏସସିଓ) ଅଧୀନରେ ଏକ ବିଶେଷଜ୍ଞ ପ୍ୟାନେଲ ଚଳିତ ମାସରେ ଜାପାନର ବାୟୋଫାର୍ମା କମ୍ପାନି ଟାକେଡାର ଟ୍ରେଟ୍ରାଭାଲେଣ୍ଟ ଡେଙ୍ଗୁ ଟିକା(କ୍ୟୁଡେଙ୍ଗା) ର ଆମଦାନୀ ଲାଗି ଅନୁମତି ଦେବାକୁ ସୁପାରିଶ କରିଛନ୍ତି ।

କ୍ଲିଅରାନ୍ସ ଲାଗି ପଥ ପରିସ୍କାର:

ଏହି ଟିକାର ବ୍ୟାପକ ବୈଶ୍ୱିକ ଏବଂ ଭାରତୀୟ କ୍ଲିନିକାଲ ତଥ୍ୟକୁ ଅନୁଧ୍ୟାନ କରିବା ପରେ ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) କହିଛି ଯେ, ଏହା ଏକ ଗ୍ରହଣୀୟ ସୁରକ୍ଷା ପ୍ରୋଫାଇଲ ଏବଂ ନିରନ୍ତର ଦକ୍ଷତା ପ୍ରଦର୍ଶନ କରୁଛି ଯାହାକି ଏହାର ନିୟାମକ କ୍ଲିଅରାନ୍ସ ଲାଗିପଥ ପରିସ୍କାର କରୁଛି । ଯଦି ଜାତୀୟ ଡ୍ରଗ୍ ନିୟାମକ ଏହାକୁ ଅନୁମତି ଦିଅନ୍ତି ତେବେ ଏହି ଟିକା ଖୁବ୍ ଶୀଘ୍ର ଦେଶରେ ୪-୬୦ ବର୍ଷୀୟଙ୍କ ଲାଗି ଉପଲବ୍ଧ ହୋଇପାରେ । ବର୍ତ୍ତମାନ ଏହି ଟିକା ସାରା ବିଶ୍ୱରେ ଡେଙ୍ଗୁ ବିରୋଧରେ ମାନ୍ୟତାପ୍ରାପ୍ତ ଏକମାତ୍ର ଟିକା ।

Also Read...ଟ୍ରମ୍ପଙ୍କୁ ଘେରିଗଲେ ସହଯୋଗୀ, ଇରାନ ଆକ୍ରମଣ ପ୍ରସଙ୍ଗରେ ପ୍ରଶ୍ନ କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

୪୧ଟି ଦେଶରେ ମଞ୍ଜୁରି:

ଟାକେଡାର ଟିକାକୁ ଅଦ୍ୟାବଧି ୪୧ଟି ଦେଶରେ ମଞ୍ଜୁରି ମିଳିଛି । ସେଥିମଧ୍ୟରେ ୟୁରୋପୀୟ ୟୁନିଅନ୍, ବ୍ରିଟେନ୍ ଏବଂ ଦକ୍ଷିଣପୂର୍ବ ଏସିଆର ଅନେକ ଡେଙ୍ଗୁପ୍ରବଣ ଦେଶ ସାମିଲ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ(ଡବ୍ଲ୍ୟୁଏଚଓ) ପକ୍ଷରୁ ମଧ୍ୟ ମାନ୍ୟତା ମିଳିଛି । ଡବ୍ଲ୍ୟୁଏଚଓ ଅନୁସାରେ,ଏହାର ୨ଟି ଡୋଜ୍ ଦିଆଯିବ । ୨ଟି ଡୋଜ୍ ମଧ୍ୟରେ ୩ ମାସର ବ୍ୟବଧାନ ରହିବ ।

ସୂଚନାଥାଉକି, ଭାରତ ନିଜର ସ୍ୱଦେଶୀ ଟିକା ‘ଡେଙ୍ଗିଅଲ୍’ ଉପରେ ମଧ୍ୟ କାମ କରୁଛି । ଏହାକୁ ପାନେକା ବାୟୋଟେକ୍ ଏବଂ ଆଇସିଏମଆର ମିଶି ବିକଶିତ କରୁଛନ୍ତି । ଏହାର ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ଜାରି ରହିଛି । ୨୦୨୭ ମଧ୍ୟରେ ଏହା ଆସିବାର ଆଶା ରହିଛି ।