ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରୁ ଭାରତ ଆସୁଥିବା ୩୦ ମାଲବାହୀ ଜାହାଜ ସୁରକ୍ଷିତ ହରମୁଜ ପ୍ରଣାଳୀ ପାର କରିଛନ୍ତି, ଅନ୍ୟପଟେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ପାର କରିବାକୁ ଆହୁରି ୨୬ ଜାହାଜ ନିଜ ପାଳିକୁ ଅପେକ୍ଷା କରି ରହିଛନ୍ତି। ଭାରତ ସରକାରଙ୍କ ସିପିଙ୍ଗ ମନ୍ତ୍ରାଳୟ ଗୁରୁବାର ଏହା ପୁଷ୍ଟି କରିଛନ୍ତି। ଅଧିକାରୀଙ୍କ ଅନୁସାରେ ହରମୁଜ ଷ୍ଟ୍ରେଟ୍ ପାର ହୋଇ ସାରିଥିବା ୩୦ଟି ଜାହାଜରୁ ଅଧାରୁ ଅଧିକରେ ଏଲପିଜି ଓ ଏଲଏନଜି ବୋଝେଇ ରହିଛି। ଏହା ଛଡା ୮ଟି ଜାହାଜରେ ଅଶୋଧିତ ତୈଳ ଟ୍ୟାଙ୍କର ସମେତ ଅନ୍ୟ ପଣ୍ୟ ରହିଛି।

ଅଧିକାରୀମାନେ କହିଛନ୍ତି ଯେ ୧ ମାର୍ଚ୍ଚରୁ ୧୭ ଜୁନ ମଧ୍ୟରେ ୧୯ଟି ଜାହାଜ ଏହି ସାମୁଦ୍ରିକ ମାର୍ଗ ପାର କରିଛନ୍ତି। ସେହିପରି ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ସ୍ୱାକ୍ଷର ହେବା କାଳରେ ଆଉ ୧୧ଟି ଜାହାଜ ସୁରକ୍ଷିତ ହର୍ମୁଜ ପାର କରିଥିଲେ। ଭାରତୀୟ ବନ୍ଦରରେ ଲାଗି ସାରିଥିବା ଅଥବା ବନ୍ଦର ମୁହାଁ ୩୦ଟି ଜାହାଜରୁ ୧୭ଟି ବିଦେଶୀ ପତାକାରେ ପରିଚାଳିତ ହେଉଛନ୍ତି। ଏଥିରେ ସର୍ବାଧିକ ୫ଟି ଜାହାଜ ମାର୍ସଲ ଆଇଲ୍ୟାଣ୍ଡ ପତାକାରେ ଚାଲୁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏବେବି ଭାରତୀୟ ହୀତ ସମ୍ପର୍କିତ ୨୬ଟି ପଣ୍ୟବାହୀ ଜାହାଜ ପଶ୍ଚିମ ପାରସ୍ୟ ଉପସାଗରରେ ଛିଡା ହୋଇ ରହିଛନ୍ତି।

ଏହି ୨୬ଟି ଜାହାଜ ମଧ୍ୟରୁ ୩ଟି ଇନ୍ଧନ ଉତ୍ପାଦ, ୧୦ଟିରେ ସାର ଓ ବାକି ୧୩ ଜାହାଜରେ ଅନ୍ୟ ପ୍ରକାରର ପଣ୍ୟ ବୋଝେଇ ହୋଇ ରହିଛି। ଏହି ସବୁ ଜାହାଜମାନଙ୍କରେ ଭାରତୀୟ ପତାକା ଥିବା ଜାହାଜ ଓ ବିଦେଶୀ ପତାକା ଥିବା ଜାହାଜ ମଧ୍ୟ ଅଛନ୍ତି। ହର୍ମୁଜ ପ୍ରଣାଳୀ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଜଳ ମାର୍ଗ। ଏହି ମାର୍ଗ ଭାରତ ପାଇଁ ବିଶେଷ ମହତ୍ୱ ରଖେ। କାରଣ ଏଲଏନଜି ଓ ଏଲପିଜି କ୍ରୟ ପାଇଁ ଭାରତର ପ୍ରମୁଖ ବ୍ୟବସାୟୀକ ସହଯୋଗୀ ଉପସାଗରୀୟ ଦେଶ।