ନୂଆଦିଲ୍ଲୀ: ପ୍ରାୟ ଦୁଇ ସପ୍ତାହ ଧରି ସ୍ଥିର ରହିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢୁଛି। ଆରବ ସାଗରରୁ ଆସୁଥିବା ଆର୍ଦ୍ରତାଯୁକ୍ତ ବାୟୁ ଯୋଗୁ ମୌସୁମୀ ମୁମ୍ବାଇ ଓ ତାର ଆଖପାଖ ଅଞ୍ଚଳ ସମେତ ଦକ୍ଷିଣ-ପୂର୍ବ ଗୁଜରାଟକୁ ଅଗ୍ରସର ହୋଇଛି। ଯାହାଫଳରେ ସେହି ସବୁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ହୋଇଥିଲେ ମଧ୍ୟ ଜୁନ୍ରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ କହି ବାନୁସାରେ ୧୪୬ ବର୍ଷରେ ଚଳିତବର୍ଷର ଜୁନ ମାସ ସବୁଠୁ ଶୁଷ୍କ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସଦ୍ୟତମ ତଥ୍ୟ ଅନୁସାରେ ଜୁନ ୪ରୁ ୨୨ ତାରିଖ ମଧ୍ୟରେ ମାତ୍ର ୫୩.୧ ମିଲିମିଟର ବର୍ଷା ହୋଇଛି। ଏହି ସମୟରେ ସାଧାରଣତଃ ୯୭.୬ ମିଲିମିଟର ବର୍ଷା ହେବା କଥା। ଅର୍ଥାତ ଦେଶରେ ଜୁନ ମାସରେ ଏପର୍ଯ୍ୟନ୍ତ ୪୬ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ତେବେ ଭାରତର କେନ୍ଦ୍ରୀୟ, ଉତ୍ତର ଓ ଉପଦ୍ୱୀପ ଅଞ୍ଚଳରେ କମ୍ ବର୍ଷା ଏବଂ କେତେକ ସ୍ଥାନରେ ବହୁତ କମ୍ ବର୍ଷା ହୋଇଛି।

ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ମାନଚିତ୍ରକୁ ଦେଖିଲେ ଜଣାପଡୁଛି ଯେ ମୌସୁମୀର କେନ୍ଦ୍ରୀୟ ଜୋନ୍ ଭାବେ ପରିଚିତ ମଧ୍ୟପ୍ରଦେଶରେ ୫୮ ଓ ମହାରାଷ୍ଟ୍ରରେ ୮୫ ପ୍ରତିଶତ କମ୍ ବର୍ଷିଛି। ସେହିଭଳି ଗୁଜରାଟରେ ସ୍ବାଭାବିକ ଠାରୁ ୮୪ ପ୍ରତିଶତ କମ୍ ବର୍ଷା ହୋଇଛି। ଛତିଶଗଡରେ ୭୧, ଝାଡଖଣ୍ଡରେ ୭୧ ଓ ମେଘାଳୟରେ ୮୧ ପ୍ରତିଶତ ବର୍ଷା କମ୍ ହୋଇଛି। ଉପଗ୍ରହ ଚିତ୍ରରୁ ଗତ କିଛିଦିନ ହେଲା ବଙ୍ଗୋପ ସାଗର, ପୂର୍ବ ଭାରତ ଓ ହିମାଳୟ ଅଞ୍ଚଳରେ ବାଦଲ ଦେଖିବାକୁ ମିଳୁଥିଲା ବେଳେ କେନ୍ଦ୍ରୀୟ ଓ ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳ ବାଦଲମୁକ୍ତ ରହିଛି।

ତେବେ ମହାରାଷ୍ଟ୍ର, ଗୁଜରାଟ ଓ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିଥିବାରୁ ଆଗାମୀ ୨୪ରୁ ୪୮ ଘଣ୍ଟା ଭିତରେ ସେଠାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ଯେତିକି ବର୍ଷ ହେବ ତାହା ନିଅଣ୍ଟକୁ ଭରଣା କରିପାରିବ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତବର୍ଷର ଜୁନ ପାଣିପାଗ ସଂକ୍ରାନ୍ତ ତଥ୍ୟ ରେକର୍ଡିଂ ହେବା ପରେ ଅର୍ଥାତ ଶତାଧିକ ବର୍ଷ ପରେ ସବୁଠାରୁ ଅଧିକ ଶୁଷ୍କ ବୋଲି କୁହାଯାଇପାରିବ।

କେବଳ ମରୁଡି ବର୍ଷରେ କମ୍ ବର୍ଷା ଦେଖିବାକୁ ମିଳିଥାଏ। ଦୁର୍ବଳ ମୌସୁମୀ ଯୋଗୁ ଚଳିତବର୍ଷ ଦେଶରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି। ଅନେକ ରାଜ୍ୟରେ ପାଣିର ଅଭାବ ଯୋଗୁ ବୁଣାବୁଣି ଆଗେଇ ପାରୁନାହିଁ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ ଚାଷୀମାନେ ଖରିଫ ଚାଷ ପାଇଁ ବର୍ଷାକୁ ଅପେକ୍ଷା କରିଛନ୍ତି। ତେଣୁ ଆଗାମୀ ସପ୍ତାହ ସେମାନଙ୍କ ଲାଗି ବେଶ୍ ଗୁରୁତ୍ବପୂର୍ଣ ହେବ। କାରଣ ମୌସୁମୀ ଅଗ୍ରସର ହୋଇଥିବାରୁ ସେହି ସବୁ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିବ ଏବଂ ଚାଷକାର୍ଯ୍ୟ ସ୍ବାଭାବିକ ଭାବେ ହୋଇପାରିବ ବୋଲି ଆଶା କରାଯାଉଛି।