ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ପାଇଁ ମଙ୍ଗଳବାର ବେଜିଂରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ୨୫ତମ ସ୍ବତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାରେ ଉଭୟ ଦେଶ ସୀମାରେ ଶାନ୍ତି ବଜାୟ ରଖିବା ଏବଂ ସମ୍ପର୍କକୁ ସୁଧାରିବା ନେଇ ବ୍ୟାପକ ଆଲୋଚନା କରିଛନ୍ତି।

ବୈଠକରେ ଭାରତର ପକ୍ଷ ରଖି ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ, ଭାରତ ଏବଂ ଚୀନ ଦୁଇଟି ପ୍ରାଚୀନ ସଭ୍ୟତା, ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ପ୍ରମୁଖ ଅର୍ଥନୀତି। ତେଣୁ ଉଭୟ ଦେଶ ପରସ୍ପରର ସହଯୋଗୀ ସାଜିବା ଆବଶ୍ୟକ, ପ୍ରତିଦ୍ୱନ୍ଦ୍ୱୀ ନୁହେଁ। ଏକ ସ୍ଥିର ଏବଂ ସକାରାତ୍ମକ ସମ୍ପର୍କ କେବଳ ଦୁଇ ଦେଶର ଜନସାଧାରଣଙ୍କ ପାଇଁ ନୁହେଁ ବରଂ ସମଗ୍ର ଏସିଆ ଏବଂ ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଏହି ଆଲୋଚନାକୁ ସକାରାତ୍ମକ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଚୀନ ଏବଂ ଭାରତ ମଧ୍ୟରେ ସୁସ୍ଥ ଓ ସ୍ଥିର ସମ୍ପର୍କ ରହିବା ଜରୁରୀ। ଉଭୟ ଦେଶ ରଣନୀତିକ ସ୍ତରରେ ପରସ୍ପର ସହ ଯୋଗାଯୋଗ ବୃଦ୍ଧି କରିବା, ମତଭେଦ ଦୂର କରିବା ଏବଂ ମିଳିତ ଭାବେ ଆଗକୁ ବଢ଼ିବା ଉଚିତ, ଯାହାଦ୍ୱାରା 'ଡ୍ରାଗନ ଏବଂ ହାତୀ' (ଚୀନ ଓ ଭାରତ) ଏକାଠି ଶାନ୍ତିପୂର୍ଣ୍ଣ ଭାବେ ସହବସ୍ଥାନ କରିପାରିବେ।

Also Read: ଦୀର୍ଘ ୪୫ ବର୍ଷ ପରେ ସିରିଆକୁ ‘ଆତଙ୍କବାଦ ପ୍ରାୟୋଜକ ରାଷ୍ଟ୍ର’ ତାଲିକାରୁ ହଟାଇଲା ଆମେରିକା

୨୦୦୫ ନିୟମ ଆଧାରରେ ହେବ ସମାଧାନ:

ଏହି ବୈଠକରେ ଉଭୟ ପକ୍ଷ ୨୦୦୫ ମସିହାରେ ସ୍ଥିର ହୋଇଥିବା ରାଜନୈତିକ ମାର୍ଗଦର୍ଶିକା ନିୟମକୁ ଦୋହରାଇଛନ୍ତି। ସୀମା ସମସ୍ୟାର ଏକ ନିରପେକ୍ଷ, ଯୁକ୍ତିଯୁକ୍ତ ଏବଂ ଉଭୟ ପକ୍ଷକୁ ଗ୍ରହଣୀୟ ହେଲା ଭଳି ସମାଧାନ ଖୋଜିବା ପାଇଁ ଦୁଇ ଦେଶ ସହମତ ହୋଇଛନ୍ତି। ଏହାସହ ଆଗାମୀ ଦିନରେ କୌଣସି ବିବାଦକୁ କେବଳ ଆଲୋଚନା ମାଧ୍ୟମରେ ହିଁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ତେବେ ଚଳିତ ବୈଠକର ଏକ ବଡ଼ ନିଷ୍କର୍ଷ ହେଉଛି ଯେ, ଏହି ସୀମା ଆଲୋଚନାର ପରବର୍ତ୍ତୀ ଅର୍ଥାତ୍ ୨୬ତମ ବୈଠକ ଆସନ୍ତା ୨୦୨୭ ମସିହାରେ ଭାରତରେ ଅନୁଷ୍ଠିତ ହେବ। ଏହା ସୂଚାଉଛି ଯେ ଉଭୟ ଦେଶ ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଏହି ଆଲୋଚନା ପ୍ରକ୍ରିୟାକୁ ଜାରି ରଖିବାକୁ ଚାହୁଁଛନ୍ତି।