ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ଅଭିବୃଦ୍ଧି ବେଶ୍ ମଜବୁତ ରହିଛି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ଯେଉଁ ଆଶଙ୍କା କରାଯାଉଛି, ତାହା କେବଳ ଏକ 'ଧାରଣା' ମାତ୍ର, ବାସ୍ତବତା ନୁହେଁ। ଏହା କହିଛନ୍ତି ବିଶ୍ୱବ୍ୟାଙ୍କରେ ଭାରତର ନବନିଯୁକ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

ଏଏନଆଇ (ANI)କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ସତ୍ତ୍ୱେ ଭାରତୀୟ ଅର୍ଥନୀତି ବେଶ୍ ସୁରକ୍ଷିତ ସ୍ଥିତିରେ ଅଛି। ଅନ୍ୟ ତୈଳ ଆମଦାନୀକାରୀ ଦେଶ ତୁଳନାରେ ଭାରତ ଅଧିକ ଦରରେ ମଧ୍ୟ ତୈଳ ସହି ପାରିବ ଏବଂ ଏହାର ଅଭିବୃଦ୍ଧି ଉପରେ ଏହାର ପ୍ରଭାବ କମ୍ ପଡ଼ିବ।

Also Read- Indian Tyre Exports : ଟାୟାର ରପ୍ତାନିରେ ଭାରତର ରେକର୍ଡ, ସବୁଠାରୁ ଅଧିକ କିଣିଛି ଆମେରିକା

ଦେଶରେ ଅଭିବୃଦ୍ଧିର ଗତିକୁ ନେଇ ସେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୫-୨୬ର ଫେବୃଆରୀ-ମାର୍ଚ୍ଚ ମାସ ସୁଦ୍ଧା ଭାରତୀୟ ଅର୍ଥନୀତି ୮ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଉଥିଲା। ମେ’ ମାସରେ କାର୍ ବିକ୍ରିରେ ୨୯ ପ୍ରତିଶତ ବୃଦ୍ଧି, ମଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଏବଂ ସିମେଣ୍ଟର ଚାହିଦା ବୃଦ୍ଧି ପରି ଗ୍ରାଉଣ୍ଡ ରିପୋର୍ଟରୁ ଏହା ସ୍ପଷ୍ଟ ହେଉଛି ବୋଲି ଶ୍ରୀ ମିଶ୍ର କରିଛନ୍ତି।

ସେହିପରି ତୈଳ ଦରର ପ୍ରଭାବ ନେଇ ସେ କହିଛନ୍ତି ଯେ ଭାରତର ତୈଳ କମ୍ପାନୀଗୁଡ଼ିକ ମଧ୍ୟ ରିଫାଇନାରୀ ଭାବେ କାର୍ଯ୍ୟ କରୁଥିବାରୁ, ସେମାନେ ରିଫାଇନିଂ ମାର୍ଜିନରୁ ଲାଭବାନ ହେଉଛନ୍ତି। ଏହି କାରଣରୁ ଭାରତ ପାଇଁ ତୈଳର ପ୍ରକୃତ ଖର୍ଚ୍ଚ ଅନ୍ୟ ଦେଶ ତୁଳନାରେ କମ୍ ରହୁଛି। ବର୍ତ୍ତମାନ ତୈଳ ଦର ପ୍ରାୟ ୯୪-୯୫ ଡଲାର ପ୍ରତି ବ୍ୟାରେଲ ଥିବାରୁ, ଭାରତରେ ତୈଳ ଦର ଆଉ ବଢ଼ାଇବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ମିଶ୍ର କହିନ୍ତି। ବଜାରରେ ତୈଳ ଦର ସ୍ଥିର ହେଉଥିବାରୁ ଦେଶର ଅର୍ଥନୀତି ଖୁବ୍ ଶୀଘ୍ର ପୁନର୍ବାର ଅଧିକ ବେଗରେ ଆଗେଇବ ବୋଲି ସେ କହିଛନ୍ତି।

ଦେଶର ଆର୍ଥିକ ଅବିବୃଦ୍ଧିର ଯେହେତୁ ତୈଳ ଯୋଗାଣ ଉପରେ ନିର୍ଭର କରୁଛି, ତେଣୁ ଏ ନେଇ ସେ କହିଛନ୍ତି ଯେ ମାର୍ଚ୍ଚ ୨୦୨୭ ସୁଦ୍ଧା ତୈଳ ଦର ପ୍ରତି ବ୍ୟାରେଲ ୮୦ ଡଲାରକୁ ଖସି ଆସିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଦେଶର ଆର୍ଥିକ ଅଭିବୃଦ୍ଧି ୭.୫ ରୁ ୮ ପ୍ରତିଶତ ମଧ୍ୟରେ ସ୍ଥିର ରହିବ। କେବଳ ତୈଳ ଦର ବୃଦ୍ଧି ନୁହେଁ, ବରଂ ମୁଦ୍ରାସ୍ଫୀତି ଏବଂ ମୁଦ୍ରା ମୂଲ୍ୟର ପରିଚାଳନା ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତ ବର୍ତ୍ତମାନର ଆର୍ଥିକ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଶୃଙ୍ଖଳିତ ଏବଂ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି।

Also Read-ଭାରତକୁ ଆଶ୍ୱସ୍ତି, ଋଷିଆରୁ ନିରନ୍ତର ଜାରି ରହିବ ଅଶୋଧିତ ତୈଳ ଯୋଗାଣ, ପୁଷ୍ଟିକଲା ରୋସନେଫ୍ଟ