• ଲୋକସଭାରେ ବର୍ତ୍ତମାନର ସଦସ୍ୟ ସଂଖ୍ୟା ବଜାୟ ରଖା ଯାଉ
  • ଲୋକସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ଆଧାରରେ ମହିଳାଙ୍କୁ ସଂରକ୍ଷଣ ଯୋଗାଇ ଦିଆଯାଉ
  • ଲୋକସଭାରେ ରାଜ୍ୟଗୁଡିକ ମଧ୍ୟରେ ଆସନ ବଣ୍ଟନ ଆଗାମୀ ୨୫ ବର୍ଷ ନିମନ୍ତେ ବଜାୟ ରଖାଯାଉ

ନୂଆଦିଲ୍ଲୀ: ପ୍ରସ୍ତାବିତ ପରିସୀମନ ପ୍ରକ୍ରିୟାକୁ ନେଇ ଇଣ୍ଡି ମେଣ୍ଟ ଶନିବାର ୩ଟି ଦାବି ଉଠାଇଛି। ଏଥିରେ ଲୋସଭାରେ ବିଦ୍ୟମାନ ସଦସ୍ୟ ସଂଖ୍ୟା ବଜାୟ ରଖିବା, ଏହି ସଂଖ୍ୟା ମଧ୍ୟରେ ମହିଳାଙ୍କ ନିମନ୍ତେ ସଂରକ୍ଷଣ କାର୍ଯ୍ୟକାରୀ କରିବା ଓ ରାଜ୍ୟଗୁଡିକ ମଧ୍ୟରେ ଆସନ ବଣ୍ଟନକୁ ୨୫ ବର୍ଷ ନିମନ୍ତେ ଅପରିବର୍ତ୍ତିତ ରଖିବାକୁ ଦାବି କରାଯାଇଛି। ନୂଆଦିଲ୍ଲୀରେ ଦଳର ସଭାପତି ତଥା ରଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ମେଣ୍ଟର ଫ୍ଲୋର ନେତାଙ୍କ ବୈଠକ ପରେ କଂଗ୍ରେସ ଦଳ ଏହି ଦାବି ଉପସ୍ଥାପନ କରିଛି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏବଂ ଅନ୍ୟ ବିରୋଧୀ ଦଳ ନେତା ବୈଠକରେ ଯୋଗ ଦେଇଥିଲେ। ବୈଠକର ଉଦ୍ଦେଶ୍ୟ ପ୍ରସ୍ତାବିତ ଆଇନ ଉପରେ ଆଲୋଚନା କରିବା ଏବଂ ନଭେମ୍ବର ୩୦ରେ ହେବାକୁ ଥିବା ସ୍ୱତନ୍ତ୍ରର ମିଳିତ ଅଧିବେଶନ ପାଇଁ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା। ଏକ ଏକ୍ସ ପୋଷ୍ଟରେ କଂଗ୍ରେସ କହିଛି ଯେ ବୈଠକରେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଧେୟକ ଉପରେ ଆଲୋଚନା ହୋଇଛି ଏବଂ ଏହି ପ୍ରକ୍ରିୟା ଉପରେ ବିରୋଧୀଙ୍କ ମତକୁ ଦୋହରାଯାଇଛି। ଆମର ସ୍ପଷ୍ଟ ଦାବି ହେଉଛି ଲୋକସଭାରେ ବର୍ତ୍ତମାନର ସଦସ୍ୟ ସଂଖ୍ୟା ବଜାୟ ରଖା ଯାଉ, ଲୋକସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ଆଧାରରେ ମହିଳାଙ୍କୁ ସଂରକ୍ଷଣ ଯୋଗାଇ ଦିଆଯାଉ ଓ ଲୋକସଭାରେ ରାଜ୍ୟଗୁଡିକ ମଧ୍ୟରେ ଆସନ ବଣ୍ଟନ ଆଗାମୀ ୨୫ ବର୍ଷ ନିମନ୍ତେ ବଜାୟ ରଖାଯାଉ।

ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଖଡଗେ କହିଛନ୍ତି ଯେ ସରକାର ଏବେ ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଆଣୁଛନ୍ତି, ଯାହାର ଲକ୍ଷ୍ୟ ଆସନ ସଂଖ୍ୟା ୮୦୦ ପାର କରିବା। ସେ କହିଛନ୍ତି ଯେ ସରକାରଙ୍କ ପୂର୍ବ ନିର୍ବାଚନ ସ୍ଲୋଗାନ ଥିଲା ’୪୦୦ ପାର’ ଏବେ ତାକୁ ଭୁଲି ଯାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳ ସ୍ଥାୟୀ ଭାବେ କ୍ଷମତା ଦଖଲ କରିବାକୁ ଚାହୁଁଛି ଓ ଏଥିରେ ଏହି ସଂଶୋଧନ ତାଙ୍କୁ ସହାୟକ ହେବ। ଖଡଗେ ପ୍ରସ୍ତାବିତ ସଂଶୋଧନରେ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ସ୍ୱାର୍ଥକୁ ଅଣଦେଖା କରୁଥିବାର ମଧ୍ୟ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟରେ ଏହି ବର୍ଗ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ସେମାନଙ୍କ ଜନସଂଖ୍ୟା ସହିତ ସମାନୁପାତିକ ହେବା ଉଚିତ। ସେ ଯୁକ୍ତିରେ ଦର୍ଶାଇଛନ୍ତି ଯେ ପ୍ରସ୍ତାବିତ ଆଇନରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କରିବାର ବ୍ୟବସ୍ଥା ନାହିଁ। ଏହା ବ୍ୟତୀତ ଅନିସୂଚିତ ଜାତି ଓ ଜନଜାତିଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଯେ କୌଣସି ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ହେବା ଉଚିତ। ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି ପାଇବା ଉଚିତ। କିନ୍ତୁ ପ୍ରସ୍ତାବିତ ସଂଶୋଧନରେ ଏପରି କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।

ଆଗାମୀ ୨୦୨୬ ଜନଗଣନାକୁ ଇଙ୍ଗିତ କରି ଖଡଗେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ପ୍ରକ୍ରିୟା ପାଇଁ ସର୍ବଶେଷ ଜନସଂଖ୍ୟା ତଥ୍ୟ ବ୍ୟବହାର କରିବା ପ୍ରସଙ୍ଗରେ ସରକାର ନିରବ କାହିଁକି? ସେ ଅଭିଯୋଗ କରିଛନ୍ତି ଯେ ସର୍ବଶେଷ ଜନଗଣନା ଆଧାରରେ ଅନୁସୂତିକ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ସେମାନଙ୍କ ଜନସଂଖ୍ୟା ଆଧାରରେ ବୃଦ୍ଧି ପାଇବା ଉଚିତ। କିନ୍ତୁ ପ୍ରସ୍ତାବିତ ସଂଶୋଧନ ଏହି ବର୍ଗଙ୍କୁ ସେମାନଙ୍କ ପ୍ରାପ୍ୟ ଅଂଶରୁ ବଞ୍ଚିତ କରିବା ପାଇଁ ଉଦ୍ଧିଷ୍ଟ ବୋଲି ମନେ ହେଉଛି।

ବୈଠକରେ ଯୋଗ ଦେଇଥିବା ଲୋକଙ୍କ ମଧ୍ୟରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି, ପବନ ଖେଡା, କେ.ସି.ବେଣୁଗୋପାଲ, ସୟଦ ନାସିର ହୁସେନ, ପ୍ରମୋଦ ତିୱାରୀ ଏବଂ ଗୌରବ ଗୋଗୋଇ ଥିଲେ। ସେହିପରି ତୃଣମୂଳ କଂଗ୍ରେସରୁ ସାଂସଦ ଅଭିଷେକ ବାନାର୍ଜୀ ଏବଂ ଡେରେକ ଓ’ବ୍ରାୟନ ଥିଲେ। ଏହା ଛଡା ସିପିଆଇ(ଏମ) ନେତା ଏ.ରହିମ, ରାଷ୍ଟ୍ରୀୟ ସମାଜପାର୍ଟି ସାଂସଦ ଏନ.କେ.ପ୍ରେମଚନ୍ଦ୍ରନ, ନ୍ୟାସନାଲ କନଫରେନ୍ସ ନେତା ଚୌଧୁରୀ ମହମ୍ମଦ ରମଜାନ, ରାଷ୍ଟ୍ରୀୟ ଜନତା ଦଳ ନେତା ଅଭୟ କୁଶୱାହ ଏବଂ ମନୋଜ ଝା, ସମାଜବାଦୀ ସାଂସଦ ରାମଜୀ ଲାଲ ସୁମନ, ଇଣ୍ଡିଆନ ୟୁନିୟନ ମୁସ୍ଲିମ ଲିଗ୍ ନେତା ଇ.ଟି.ମହମ୍ମଦ ବଶିର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ଶିବସେନା(ୟୁବିଟି) ନେତା ଅରବିନ୍ଦ ସାୱନ୍ତ, ଜେଏମଏମ ନେତା ବୈଦ୍ୟନାଥ ରାମ ଅନଲାଇନରେ ଯୋଗଦେଇଥିବା ବେଳେ ସିପିଆଇ ନେତା ପି.ସନ୍ତୋଷ, ନିର୍ଦ୍ଦଳୀୟ ସାଂସଦ କପିଲ ଶିବଲ ବୈଠକରେ ଯୋଗ ଦେଇଥିଲେ। ଏନସିପିର କୌଣସି ନେତା ବୈଠକରେ ଉପସ୍ଥିତ ନଥିଲେ। ଡିଏମକେ ମଧ୍ୟ ବୈଠକରୁ ଦୂରେଇ ରହିଛି। ଏହା ଛଡା କିଛି ଆଞ୍ଚଳିକ ଦଳ ପ୍ରସ୍ତାବିତ ସଂଶୋଧନକୁ ସମର୍ଥନ କରୁଥିବା ବେଳେ କିଛି ଅନ୍ୟ ଦଳ ରାଜ୍ୟମାନଙ୍କ ପ୍ରତିନିଧିତ୍ୱ ଉପରେ ପଡିବାକୁ ଥିବା ପ୍ରଭାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।