ନୂଆଦିଲ୍ଲୀ: ସୀମା ପୁନଃ ନିର୍ଦ୍ଧାରଣ ବିଧେୟକକୁ ନେଇ ଉଠୁଛି ପଡ଼ଛି ଜାତୀୟ ରାଜନୀତି। ସରଗରମ ହୋଇ ଉଠିଛି ସଂସଦ। ଏସବୁ ହଙ୍ଗାମା ମଧ୍ୟରେ ତୃଣମୂଳ କଂଗ୍ରେସ(ଟିଏମସି)ର ୨୦ ବିଦ୍ରୋହୀ ସାଂସଦଙ୍କୁ ଭୋଟିଂ ଦେବାର ଅନୁମତି ମିଳିପାରେ। ଏ ନେଇ ଶନିବାର ବଡ଼ ସଙ୍କେତ ମିଳିଛି। ଲୋକସଭା ସଚିବାଳୟର ସୂତ୍ର ମୁତାବକ, ସଂସଦର ଆଗାମୀ ସ୍ଵତନ୍ତ୍ର ଅଧିବେଶନରେ ଏହି ସାଂସଦମାନେ ନିଜ ଇଚ୍ଛା ଅନୁସାରେ ମତଦାନ କରି ପାରିବେ। ଶାସକ ଦଳକୁ ସୁହାଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍ ଗୃହୀତ କରାଇବାରେ ଏହି ସାଂସଦମାନଙ୍କ ଭୋଟ୍ ଗୁରୁତ୍ଵପୂର୍ଣ୍ଣ ହୋଇପାରେ। ଏହି ସାଂସଦ ଗୋଷ୍ଠୀରେ ସାୟୋନୀ ଘୋଷ ଓ ୟୁସୁଫ ପଠାନଙ୍କ ପରି ନେତା ସାମିଲ୍।

ଅଯୋଗ୍ୟତା ଯାଚିଲା ବିଚାରଧୀନ

ଟିଏମସିର ରାଜ୍ୟସଭା ସାଂସଦ ସାଗରିକା ଘୋଷଙ୍କ ପ୍ରଶ୍ନ ପରେ ବିଦ୍ରୋହୀ ଟିଏମସି ସାଂସଦଙ୍କୁ ନେଇ ଉପରୋକ୍ତ ସଙ୍କେତ ମିଳିଛି। ସାଗରିକା କହିଥିଲେ ଯେ, ୨୦ ସାଂସଦଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଦାୟର ହେବାର ଛଅ ମାସ ପରେ ବି ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ସେ ପ୍ରଶ୍ନ କରିଥିଲେ ଯେ, କଣ ଏହି ସାଂସଦମାନେ ଲୋକସଭାରେ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ଉପରେ ମତଦାନ କରି ପାରିବେ କି ?

Also Read: ରାହୁଲଙ୍କୁ ଅମିତ ଶାହଙ୍କ ଚ୍ୟାଲେଞ୍ଜ, ହେଲେ ବିଲ୍ ପାସ୍ ପାଇଁ କ’ଣ ରହିଛି ସଂଖ୍ୟା ଗଣିତ ?

ଏନଡିଟିଭିର ରିପୋର୍ଟ ମୁତାବକ, ଲୋକସଭା ସଚିବାଳୟର ସୂତ୍ର ମୁତାବକ, କୌଣସି ସାଂସଦଙ୍କୁ ସେ ପର୍ଯ୍ୟନ୍ତ ମତଦାନରୁ ରୋକା ଯାଇ ପାରିବ ନାହିଁ ଯେ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଅଯୋଗ୍ୟ ଘୋଷିତ ହୋଇ ନାହାନ୍ତି। ଅଯୋଗ୍ୟତା ଯାଚିକା ବିଚାରଧୀନ ରହିଲେ ମଧ୍ୟ ସାଂସଦମାନଙ୍କ ସଂସଦୀୟ ଅଧିକାର ସମାପ୍ତ ହୁଏ ନାହିଁ। ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଉକ୍ତ ସାଂସଦମାନଙ୍କ ସଂସଦୀୟ କାର୍ଯ୍ୟରେ ଯୋଗ ଦେବା ଏବଂ ଭୋଟ୍ ଦେବାର ଅଧିକାର ରହିଥାଏ।

ଜୁନରେ ଟିଏମସିରୁ ଅଲଗା ହୋଇଥିଲେ ୨୦ ସାଂସଦ

କାକଲି ଘୋଷଙ୍କ ନେତୃତ୍ଵରେ ଏହି ୨୦ ସାଂସଦ ଚଳିତ ବର୍ଷ ଜୁନରେ ତୃଣମୂଳ କଂଗ୍ରେସରୁ ଅଲଗା ହୋଇଥିଲେ। ଏହା ପରେ ଏନସିପିଆଇରେ ସାମିଲ୍ ହୋଇ ଏନଡିଏକୁ ସମର୍ଥନ ଦେଇଥିଲେ। ଏଥିରେ ମମତା ବାନାର୍ଜୀଙ୍କ ଘନିଷ୍ଠ ସାୟୋନୀ ଘୋଷଙ୍କଠୁ ନେଇ ୟୁସୁଫ ପଠାନଙ୍କ ପର୍ଯ୍ୟନ୍ତ ସାଂସଦ ସାମିଲ୍।

Also Read: ଲୋକସଭା ଏବଂ ବିଧାନସଭାରେ କେତେ ଆସନ ବଢ଼ିବ, ମହିଳାଙ୍କ ଭାଗରେ କ’ଣ ? ନୂଆ ବିଧେୟକରେ ବଡ଼ ପରିବର୍ତ୍ତନ

ବିଦ୍ରୋହୀ ସାଂସଦମାନେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଟିଏମସି ସାଂସଦଙ୍କଠୁ ଅଲଗା ବସିବାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ବାଚସ୍ପତି ମଧ୍ୟ ସେମାନଙ୍କ ଦାବି ସ୍ଵୀକାର କରି ନେଇଥିଲେ.। ଏହା ପରେ ଟିଏମସି ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ ସମସ୍ତ ୨୦ ସାଂସଦଙ୍କ ସଦସ୍ୟତା ରଦ୍ଦ ପାଇଁ ଅଲଗା ଯାଚିକା ଦାୟର କରିଥିଲେ।