ନୂଆଦିଲ୍ଲୀ: ଭାରତ ଏ’ ଏବଂ ଶ୍ରୀଲଙ୍କା ଏ’ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ସୁପର ଓଭରରେ ଶେଷ ହୋଇଛି । ଆୟୋଜକ ଶ୍ରୀଲଙ୍କା, ଭାରତକୁ ଛଅ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଉଭୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ପ୍ରତ୍ୟେକେ ୨୬୫ ରନ ସଂଗ୍ରହ କରିଥିଲେ, ଯାହା ମ୍ୟାଚକୁ ସୁପର ଓଭରକୁ ନେଇ ଯାଇଥିଲା ।

ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୨୬୫ ରନ୍ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ମଧ୍ୟ ୨୬୫ ରନ୍ କରିଥିଲା । ଏହାପରେ ଅମ୍ପାୟର ଏବଂ ଭାରତୀୟ ଟିମ୍ ଅଧିନାୟକ ତିଲକ ବର୍ମାଙ୍କ ମଧ୍ୟରେ ସୁପର ଓଭରକୁ ନେଇ ଆଲୋଚନା ହୋଇଥିଲା । ବ୍ୟାଡ୍ ଲାଇଟ୍ ଯୋଗୁ ଅମ୍ପାୟର ପ୍ରଥମେ ମ୍ୟାଚକୁ ଟାଇ ରଖିବା ଉପରେ ଜୋର ଦେଇଥିଲେ । କିନ୍ତୁ କିଛି ସମୟ ପରେ ଅମ୍ପାୟର ସୁପର ଓଭର ପାଇଁ ରାଜି ହୋଇଥିଲେ । ସୁପର ଓଭରରେ ଶ୍ରୀଲଙ୍କା ଟିମ୍ ୧୭ ରନ୍ ଟାର୍ଗେଟ୍ ଦେଇଥିଲା, କିନ୍ତୁ ଭାରତୀୟ ଟିମ୍ ମାତ୍ର ୯ ରନ୍ କରିବାର ସକ୍ଷମ ହେଲା । ଟ୍ରାଇ ନେସନ୍ ଏ’ ସିରିଜରେ ଭାରତ ଏ’ର ଲାଗାତାର ଦ୍ୱିତୀୟ ପରାଜୟ ଅଟେ । ଏହା ପୂର୍ବରୁ ଆଫଗାନିସ୍ତାନଠାରୁ ମଧ୍ୟ ଟିମ୍ ପରାଜିତ ହୋଇଥିଲା ।

ଆଜିର ମ୍ୟାଚରେ ଶ୍ରୀଲଙ୍କା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ଓପନର ବୈଭବ ସୂର୍ଯ୍ୟବଂଶୀ ୨୧ ରନ, ପ୍ରଭସିମରନ ସିଂ ୧୧ ରନ୍ ଏବଂ ଅଧିନାୟକ ତିଲକ ବର୍ମା ମାତ୍ର ୨୩ ରନ୍ କରି ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଫର୍ମରେ ଥିବା ଋତୁରାଜ ଗାଏକ୍ୱାଡ୍ ୩୭ ରନ ପାଳି ଖେଳିଥିଲେ ମଧ୍ୟ ଭାରତ ମାତ୍ର ୧୪୩ ରନରେ ୭ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ଏହି ସମୟରେ ସୂର୍ଯ୍ୟାଂଶ ଶେଡଗେ (୭୨ ରନ) ଏବଂ ବିପ୍ରାଜ ନିଗମ (୫୧ ରନ) ଚମତ୍କାର ବ୍ୟାଟିଂ କରି ନିଜର 'ଲିଷ୍ଟ ଏ' କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ୮ମ ୱିକେଟ୍ ପାଇଁ ୧୦୦ରୁ ଅଧିକ ରନ୍ର ଭାଗିଦାରୀ କରିଥିଲେ । ଏହି ଦୁଇଜଣଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତୀୟ ଦଳ ୪୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬ ରନ୍ର ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା ।

ଏହାର ଜବାବରେ ୨୬୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କାକୁ ଏକ ପେନାଲ୍ଟି କାରଣରୁ ପାଳି ଆରମ୍ଭ ପୂର୍ବରୁ ହିଁ ୫ ରନ୍ ବୋନସ୍ ଆକାରରେ ମିଳିଥିଲା । ଶ୍ରୀଲଙ୍କାର ଓପନରମାନେ ଦଳକୁ ଏକ ଦ୍ରୁତ ଆରମ୍ଭ ଦେଇ ୪ ଓଭରରେ ୪୬ ରନ୍ ସଂଗ୍ରହ କରିଥିଲେ । ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ୨୨ ରନ୍ରେ ଆଉଟ୍ କରି ଭାରତ ପାଇଁ ପ୍ରଥମ ସଫଳତା ନିଶାନ୍ତ ସିନ୍ଧୁ ଆଣିଥିଲେ । ଏହାପରେ ନିୟମିତ ଭାବେ ଶ୍ରୀଲଙ୍କାର ୱିକେଟ ପତନ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ସଦୀରା ସମରବିକ୍ରମା ସର୍ବାଧିକ ୯୩ ରନ କରିଥିଲେ । ଶେଷ ଓଭର ସୁଦ୍ଧା ଶ୍ରୀଲଙ୍କା ଦଳ ମଧ୍ୟ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୨୬୫ ରନ୍ ହିଁ କରିପାରିଥିଲା, ଯାହାଫଳରେ ମ୍ୟାଚ୍ଟି ଟାଇ ହୋଇଥିଲା ।