ନୂଆଦିଲ୍ଲୀ: ଆଫଗାନିସ୍ତାନ ଏ' ଗୁରୁବାର ତ୍ରିକୋଣୀୟ ସିରିଜର ଦ୍ୱିତୀୟ ମୁକାବିଲାରେ ଇଣ୍ଡିଆ ଏ’କୁ ୪ ରନରେ ପରାସ୍ତ କରିଛି । ଦାମ୍ୱୁଲାର ରାଙ୍ଗିରି ଦାମ୍ୱୁଲା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୯ ୱିକେଟ୍ ହରାଇ ୩୪୯ ରନ୍ କରିଥିଲା । ତେବେ ବର୍ଷା କାରଣରୁ ଆଫଗାନିସ୍ତାନକୁ ସଂଶୋଧିତ ଲକ୍ଷ୍ୟ ମିଳିଥିଲା, ଯାହାପରେ ୩୮ ଓଭରରେ ୨୯୪ ରନ୍ କରିବାର ଥିଲା । କିନ୍ତୁ ଦ୍ୱିତୀୟ ଇନିଂସର ୨୬ତମ ଓଭରରେ ବର୍ଷା ହେବା ପରେ ଆଉ ମ୍ୟାଚ୍ ଆରମ୍ଭ ହୋଇପାରି ନ ଥିଲା । ମ୍ୟାଚ୍ ବନ୍ଦ ହେବା ବେଳକୁ ଆଫଗାନିସ୍ତାନ ଏ ଟିମ୍ ଡିଏଲଏସ୍ ସ୍କୋରଠାରୁ ତିନି ରନ ଆଗରେ ରହିଥିଲା । ଏଥିପାଇଁ ଆଫଗାନ ଟିମକୁ ଡିଏଲଏସ ପଦ୍ଧତି ଅନୁଯାୟୀ ଚାରି ରନରେ ବିଜେତା ଘୋଷିତ କରାଯାଇଛି । ଆଫଗାନ ପାଇଁ ଅଧିନାୟକ ଇମରାନ ଅପରାଜିତ ୭୫ ଏବଂ ବାହିର ଶାହ ଅପରାଜିତ ୫୧ ରନ୍ କରିଥିଲେ । ଇମରାନଙ୍କୁ ପ୍ଲେୟର ଅଫ୍ ଦ’ ମ୍ୟାଚ୍ ଘୋଷଣା କରାଯାଇଥିଲା ।

ସଂଶୋଧିତ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ଏ'ର ଆରମ୍ଭ ଭଲ ହୋଇଥିଲା । ଅଧିନାୟକ ଇମରାନ ଏବଂ ହାସନ ଇସାଖିଲ ପ୍ରଥମ ୱିକେଟ ପାଇଁ ୬୨ ରନର ପାର୍ଟନରଶିପ୍ କରିଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଖାଲିଦ ତାନିୱାଲଙ୍କୁ ଅନୁକୁଲ ରୟ ପ୍ୟାଭିଲିୟନ ପଠାଇଥିଲେ । ତୃତୀୟ ଉଇକେଟ୍ ପାଇଁ ଇମରାନ ଏବଂ ବହିର ଶାହଙ୍କ ମଧ୍ୟରେ ପାର୍ଟନରଶିପ ହୋଇଥିଲା । ଉଭୟଙ୍କ ମଧ୍ୟରେ ୧୦୮ ରନର ଅପରାଜିତ ଭାଗୀଦାରି ହୋଇଥିଲା । ବର୍ଷା ଯୋଗୁଁ ଖେଳ ମାତ୍ର ୨୫.୫ ଓଭର ପାଇଁ ଖେଳାଯାଇପାରିଲା ଏବଂ ଆଫଗାନିସ୍ତାନ ଦୁଇଟି ୱିକେଟ ହରାଇ ୧୭୭ ରନ କରିଥିଲା ।

ଆଫଗାନିସ୍ତାନ ଏ’ ଟସ୍ ଜିତି ଭାରତ ଏ’କୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ଏ’ ବୈଭବ ଏବଂ ପ୍ରଭସିମରନଙ୍କ ଯୋଗୁଁ ଏକ ଦୃଢ଼ ଆରମ୍ଭ କରିଥିଲା । ଶ୍ରୀଲଙ୍କା ଏ’ ବିପକ୍ଷରେ ପୂର୍ବ ମ୍ୟାଚ୍ରେ ବୈଭବ ଭଲ ପ୍ରଦର୍ଶନ କରିନଥିଲେ, କିନ୍ତୁ ଆଫଗାନିସ୍ତାନ ବିପକ୍ଷରେ ତାଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ଏହି ମ୍ୟାଚରେ ବୈଭବ୨୨ ବଲରେ ନଅ ଚୌକା ସହିତ ୪୪ ରନ କରି ଆଉଟ୍ ହୋଇଥିଲେ । ବୈଭବ ଏବଂ ପ୍ରଭସିମରନ ୭୪ ରନ୍ର ଓପନିଂ ପାର୍ଟନରଶିପ୍ କରିଥିଲେ । ତା’ପରେ ପ୍ରିୟାଂଶ ଆର୍ଯ୍ୟ ୮ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଭସିମରନ (୮୪), ଋତୁରାଜ ଗାଏକୱାଡ୍ (୬୬), ତିଲକ ବର୍ମା (୬୬), ସୂର୍ଯ୍ୟାଂଶ ଶେଡଗେ (୪୦) କରି ଆଉଟ୍ ହୋଇଥିଲେ । ଆଫଗାନିସ୍ତାନ ପାଇଁ ଅବଦୁଲା ଅହମଦଜାଇ ସର୍ବାଧିକ ୫ ୱିକେଟ୍ ଏବଂ ଫରମାନଉଲ୍ଲା ସଫି ୩ ୱିକେଟ୍ ନେଇଥିଲେ ।