କଟକ: ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦ୍ରୁତ ବୋଲିଂ ସୁପରଷ୍ଟାର ଜସପ୍ରିତ ବୁମରା ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି । ତାଙ୍କର ପ୍ରଥମ ୱିକେଟ୍ ସହିତ, ଜସପ୍ରିତ ବୁମରା ଟି-୨୦ କ୍ରିକେଟରେ ଏପରି ଏକ ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ କୌଣସି ଭାରତୀୟ ବୋଲର ହାସଲ କରିନଥିଲେ।

ଏହି ମ୍ୟାଚରେ ପ୍ରଥମ ୱିକେଟ୍ ସହିତ ଜସପ୍ରିତ ବୁମରା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ଏହା ସହିତ ବୁମରା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି । ଏହି ସଫଳତା ପ୍ରଥମେ ଅର୍ଶଦୀପ ସିଂହ ହାସଲ କରିଥିଲେ। ବୁମରା ମାତ୍ର ୮୧ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜସପ୍ରିତ ବୁମରା ଏବେ ତିନୋଟି ଅନ୍ତର୍ଜାତୀୟ ଫର୍ମାଟରେ ୧୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ବୁମରା ୧୦୦ରୁ ଅଧିକ ଓ୍ବିକେଟ ନେଇ ବଡ଼ ରେକର୍ଡ କରିଛନ୍ତି । ବୁମରା ଟେଷ୍ଟରେ ୨୩୪ ଏବଂ ଦିନିକିଆରେ ୧୪୯ ୱିକେଟ୍ ନେଇଛନ୍ତି। ବିଶ୍ୱ କ୍ରିକେଟରେ ମଧ୍ୟ, ତିନୋଟି ଫର୍ମାଟରେ ୧୦୦+ ୱିକେଟ୍ ନେଇଥିବା ବୋଲରଙ୍କ ତାଲିକା ବହୁତ ଛୋଟ । ଏବେ ଭାରତୀୟ କ୍ରିକେଟର ବୁମରାଙ୍କ ନାମ ଯୋଡିହୋଇଛି।

ସମସ୍ତ ଫର୍ମାଟରେ ୧୦୦ ୱିକେଟ୍ ନେଇଥିବା ବୋଲର

ଲସିଥ ମାଲିଙ୍ଗା – ଟେଷ୍ଟ (୧୦୧ ୱିକେଟ୍), ଦିନିକିଆ (୩୩୮ ୱିକେଟ୍), ଟି୨୦ (୧୦୭ ୱିକେଟ୍)

ଟିମ୍ ସାଉଦି – ଟେଷ୍ଟ (୩୯୧ ୱିକେଟ୍), ଦିନିକିଆ (୨୨୧ ୱିକେଟ୍), ଟି୨୦ (୧୬୪ ୱିକେଟ୍)

ସାକିବ ଅଲ୍ ହାସନ – ଟେଷ୍ଟ (୨୪୬ ୱିକେଟ୍), ଦିନିକିଆ (୩୧୭ ୱିକେଟ୍), ଟି୨୦ (୧୪୯ ୱିକେଟ୍)

ଶାହିନ ଆଫ୍ରିଦି – ଟେଷ୍ଟ (୧୨୧ ୱିକେଟ୍), ଦିନିକିଆ (୧୩୫ ୱିକେଟ୍), ଟି୨୦ (୧୨୬ ୱିକେଟ୍)

ଜସପ୍ରିତ ବୁମରା – ଟେଷ୍ଟ (୨୩୪ ୱିକେଟ୍), ଦିନିକିଆ (୧୪୯ ୱିକେଟ୍), ଟି୨୦ (୧୦୧* ୱିକେଟ୍)