ଲର୍ଡ୍ସ: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ 'ଲର୍ଡ୍ସ' ମଇଦାନରେ ରବିବାର ଏକ ରୋମାଞ୍ଚକର ମହାଲଢ଼େଇ ଦେଖିବାକୁ ମିଳିବ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧-୧ରେ ବରାବର ସ୍ଥିତିରେ ରହିଛି। କାର୍ଡିଫରେ ଇଂଲଣ୍ଡ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବା ପରେ ଏହି ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚଟି ଉଭୟ ଦଳ ପାଇଁ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି। ତେବେ ଅଧିନାୟକ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବାକୁ ଥିବା ଟିମ୍ ଇଣ୍ଡିଆ ସାମ୍ନାରେ ଏବେ ୨୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିଛି।

ଲର୍ଡସରେ ଭାରତର ୨୨ ବର୍ଷର ମରୁଡ଼ି

ଆଶ୍ଚର୍ଯ୍ୟ କଥା ଭାରତୀୟ ଦଳ ଲର୍ଡସ ମୈଦାନରେ ଶେଷ ଥର ପାଇଁ ୨୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୪ ମସିହାରେ କୌଣସି ଦିନିକିଆ ମ୍ୟାଚ୍ ଜିତିଥିଲା। ଏହା ପରଠାରୁ ଏହି ମଇଦାନରେ ଭାରତ କେବେ ବି ଦିନିକିଆରେ ବିଜୟୀ ହୋଇପାରି ନାହିଁ। ଯଦିଓ ୧୯୮୩ ବିଶ୍ୱକପ୍ ବିଜୟ ଏବେ ୨୦୦୨ର ନେଟୱେଷ୍ଟ ଟ୍ରଫି ଫାଇନାଲ୍ ଭଳି ଅନେକ ସ୍ମରଣୀୟ ମୁହୂର୍ତ୍ତ ଏହି ମଇଦାନ ସହ ଜଡ଼ିତ, ତଥାପି ଗତ ଦୁଇ ଦଶନ୍ଧି ଧରି ଚାଲିଆସୁଥିବା ପରାଜୟର ଧାରାକୁ ଶେଷ କରିବାକୁ ଗିଲ୍ ଆଣ୍ଡ କମ୍ପାନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ରୋହିତ-ବିରାଟଙ୍କ ଉପରେ ରହିବ ନଜର

ଭାରତୀୟ ବ୍ୟାଟିଂ ବିଭାଗର ଦୁଇ ସ୍ତମ୍ଭ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଚଳିତ ସିରିଜରେ ରୋହିତଙ୍କ ବ୍ୟାଟରୁ କୌଣସି ବଡ଼ ସ୍କୋର ଦେଖିବାକୁ ମିଳିନାହିଁ, କିନ୍ତୁ ବଡ଼ ମ୍ୟାଚରେ ଦଳକୁ ଜିତାଇବାର କ୍ଷମତା ସେ ରଖନ୍ତି। ଅନ୍ୟପଟେ, କାର୍ଡିଫରେ ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି ବିରାଟ କୋହଲି ନିଜର ପୁରୁଣା ଲୟକୁ ଫେରିଛନ୍ତି। ଯଦି ଏହି ମ୍ୟାଚ୍ରେ କୋହଲି ଆଉ ଏକ ଅର୍ଦ୍ଧଶତକ କିମ୍ବା ଶତକ ମାରନ୍ତି, ତେବେ ସେ ଇଂଲଣ୍ଡ ମାଟିରେ ରୋହିତ ଶର୍ମାଙ୍କ ସର୍ବାଧିକ ୫୦+ ସ୍କୋରର ରେକର୍ଡ ସହ ସମାନ ହେବେ।

ଜୋ ରୁଟଙ୍କୁ ରୋକିବା ବଡ଼ ଆହ୍ୱାନ

ଘରୋଇ ଦଳ ଇଂଲଣ୍ଡର ଆତ୍ମବିଶ୍ୱାସ ଏବେ ଉଚ୍ଚରେ ରହିଛି, ବିଶେଷ କରି ଦଳର ଷ୍ଟାର୍ ବ୍ୟାଟର ଜୋ ରୁଟଙ୍କ ଫର୍ମ। ରୁଟ୍ ଲଗାତାର ୫ଟି ଦିନିକିଆରେ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ଏବଂ ଗତ ମ୍ୟାଚରେ ୯୯ ରନ୍ କରି ଅପରାଜିତ ଥିଲେ। ଏହି ନିର୍ଣ୍ଣାୟକ ମ୍ୟାଚ୍ରେ 'ଜୋ ରୁଟ୍ ବନାମ ଯଶପ୍ରୀତ ବୁମରାଙ୍କ ଲଢ଼େଇ ବେଶ୍ ରୋମାଞ୍ଚକର ହେବ। ବୁମରା ନିଜର ଶାଣିତ ବୋଲିଂ ବଳରେ ରୁଟଙ୍କୁ ଶୀଘ୍ର ପାଭିଲିୟନ ପଠାଇବାକୁ ଚେଷ୍ଟା କରିବେ।

ଦଳ ଚୟନରେ ସମସ୍ୟା

ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିର ପାଇଁ ଖେଳାଳିଙ୍କ ଫିଟନେସ ଏବଂ ଦଳର ସନ୍ତୁଳନ ରକ୍ଷା କରିବା ଏକ ବଡ଼ ଚିନ୍ତା ସାଜିଛି। ଷ୍ଟାର୍ ୱିକେଟକିପର ବ୍ୟାଟର କେ.ଏଲ୍. ରାହୁଲଙ୍କ ଫିଟନେସ ଉପରେ ଏବେ ବି ସସପେନ୍ସ ଜାରି ରହିଛି। ଗତ ମ୍ୟାଚ୍ରେ ସେ ଅନୁପସ୍ଥିତ ଥିଲେ। ଏହା ସହିତ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଅନୁପସ୍ଥିତି ଯୋଗୁଁ ଚୂଡ଼ାନ୍ତ ଏକାଦଶ ବାଛିବା ପାଇଁ ମ୍ୟାନେଜମେଣ୍ଟକୁ ବେଶ୍ କସରତ କରିବାକୁ ପଡ଼ିବ।