ନୂଆଦିଲ୍ଲୀ: ଆସନ୍ତା ମାସରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟ ଏବଂ ତିନୋଟି ଦିନିକିଆ (ODI) ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହେବାକୁ ଯାଉଛି। ଜାତୀୟ ଚୟନକର୍ତ୍ତା କମିଟି ବୈଠକରେ ଏଥର ଷ୍ଟାର୍ ବୋଲର ଜସପ୍ରୀତ ବୁମରାଙ୍କ ୱର୍କଲୋଡ୍ ମ୍ୟାନେଜମେଣ୍ଟ ଏବଂ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ମ୍ୟାଚ୍ ଫିଟନେସକୁ ନେଇ ସବୁଠାରୁ ବଡ଼ ଆଲୋଚନା ହେବ। ମେ’ ୩୧ରେ ଆଇପିଏଲ୍ ଫାଇନାଲ୍ ସରିବା ପରେ ଜୁନ୍ ୬ରୁ ମୁଲ୍ଲାନପୁର (ନ୍ୟୁ ଚଣ୍ଡୀଗଡ଼)ରେ ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହାପରେ ଜୁନ୍ ୧୪, ୧୭ ଏବଂ ୨୦ ତାରିଖରେ ଯଥାକ୍ରମେ ଧର୍ମଶାଳା, ଲକ୍ଷ୍ନୌ ଓ ଚେନ୍ନାଇରେ ଦିନିକିଆ ସିରିଜ୍ ଅନୁଷ୍ଠିତ ହେବ।

୫୦ ଓଭର ବିଶ୍ୱକପକୁ ଅନେକ ସମୟ ବାକି ଥିବାରୁ ବୁମରାଙ୍କୁ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇପାରେ। ସେହିପରି ଆଇପିଏଲ୍ ସମୟରେ ହାମଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ଅନେକ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ହେଲେ ହିଁ ତାଙ୍କୁ ଦଳରେ ସାମିଲ କରାଯିବ। ଅନ୍ୟପଟେ, ଆଇପିଏଲରେ ଦମଦାର୍ ଫର୍ମରେ ଥିବା ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ତିନୋଟି ଯାକ ଦିନିକିଆ ମ୍ୟାଚ୍ ଖେଳିବା ପ୍ରାୟ ନିଶ୍ଚିତ।

Also Read: IPL ପରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ, ଅଗଷ୍ଟରେ ଖେଳାଯିବ ଟେଷ୍ଟ ସିରିଜ୍, ସାମ୍ନାକୁ ଆସିଲା ବଡ଼ ଅପଡେଟ୍

ଟେଷ୍ଟ ଦଳର ୩ ନମ୍ବର ସ୍ଥାନ ଉପରେ ଫୋକସ୍

ଘରୋଇ ମାଟିରେ ସ୍ପିନ୍ ଅନୁକୂଳ ପିଚ୍ରେ ଭାରତୀୟ ବ୍ୟାଟରମାନଙ୍କ ଦୁର୍ବଳତା ଗତ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ସାମ୍ନାକୁ ଆସିଥିଲା। ଚେତେଶ୍ୱର ପୂଜାରାଙ୍କ ପରେ ଟେଷ୍ଟ ଦଳରେ ୩ ନମ୍ବର ସ୍ଥାନ ପାଇଁ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଥିଲେ ବି ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ତେଣୁ ଏହି ସିରିଜ୍ରୁ ଦେବଦତ୍ତ ପାଡିକ୍କଲଙ୍କୁ କ୍ରମାଗତ ସୁଯୋଗ ମିଳିପାରେ। ଏହାସହ ଜାମ୍ମୁ-କାଶ୍ମୀରକୁ ରଣଜୀ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଆକିବ ନବୀ (ସିଜନରେ ୬୦ଟି ୱିକେଟ୍)ଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।

ନୂଆ ଚେହେରାଙ୍କୁ ମିଳିପାରେ ସୁଯୋଗ

ଆଇପିଏଲରେ ନିଜ ଦ୍ରୁତ ବୋଲିଂରେ ପ୍ରଭାବିତ କରିଥିବା ପ୍ରିନ୍ସ ଯାଦବଙ୍କୁ ଦିନିକିଆ ସିରିଜ୍ ପାଇଁ ଟିମରେ ଏଣ୍ଟ୍ରି ମିଳିପାରେ। ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ବୋଲିଂ ଆଟାକର ନେତୃତ୍ୱ ନେବେ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମଧ୍ୟ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିଠି ଜନିତ ସମସ୍ୟା ଦେଇ ଗତି କରୁଥିବାରୁ ତାଙ୍କ ଖେଳିବା ଉପରେ ସସପେନ୍ସ ଜାରି ରହିଛି।

Also Read: ଗମ୍ଭୀରଙ୍କ ସହ ଏକମତ ନୁହନ୍ତି ଦ୍ରାବିଡ଼, କହିଲେ- ‘ଖେଳକୁ ତା’ର ହିରୋର ଆବଶ୍ୟକତା ରହିଛି’