ଲକ୍ଷ୍ନୌ: ଅଧିନାୟକ ଶୁଭମନ ଗିଲ୍ ଓ ଇଶାନ କିଷନଙ୍କ ବିସ୍ଫୋରକ ଶତକ ପରେ ବୋଲରଙ୍କ ଶାଣିତ ବୋଲିଂ। ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଭାରତ ୧୭୦ ରନରେ ଆଫଗାନିସ୍ତାନକୁ ହରାଇଛି। ଏହି ବିଶାଳ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିବା ସହ ସିରିଜ୍ ଜିତିଛି। ପଥମେ ବ୍ୟାଟିଂ କରିଥିବା ଭାରତ ୪୦୨ ରନର ବିଶାଳ ସ୍କୋର କରିଥିଲା। ଶୁଭମନ ଗିଲ୍ ୧୫୪ ରନର ମାରାଥନ ଇନିଂସ ଖେଳିଥିବା ବେଳେ ଇଶାନ କିଷନ ୧୨୫ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଜବାବରେ ଆଫଗାନିସ୍ତାନ ୪୪.୩ ଓଭରରେ ୨୩୨ ରନରେ ଅଲଆଉଟ୍ ହୋଇଛି। ରେହମତ ଶାହ ସର୍ବାଧିକ ୭୯ ରନ କରିଛନ୍ତି।ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଗୁରନୁର ବ୍ରାର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଯୋଗଦାନ ଦେଇଛନ୍ତି।

୪୦୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆଫଗାନିସ୍ତାନର ଆରମ୍ଭ ଭଲ ଥିଲା। ରେହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ୫୨ ରନ ଯୋଡ଼ିଥିଲେ। ଜଦ୍ରାନ ୨୧ ରନ କରି ଆଉଟ୍ ହୋଇଥିବା ବେଳେ ଗୁରବାଜ ୪୧ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହା ପରେ ସେଦିକୁଲ୍ଲା ଅଟଲ ଓ ରେହମତ ଶାହ ଭଲ ବ୍ୟାଟିଂ କରି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ିଥିଲେ। ହେଲେ ସେଦିକୁଲ୍ଲା ଅଟଲ ୪୨ ରନ କରି ଆଉଟ୍ ହେବା ମାତ୍ରେ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

Also Read: ଅଳ୍ପକେ ଅର୍ଦ୍ଧଶତକ ହାତଛଡ଼ା କଲେ ରୋହିତ ଶର୍ମା, କିନ୍ତୁ ରଚିଲେ ନୂଆ ଇତିହାସ

ରେହମତ ଶାହ ଗୋଟିଏ ପଟେ କ୍ରିଜରେ ରହିଥିବା ବେଳେ ଅନ୍ୟପଟେ ଓ୍ଵିକେଟ୍ ପତନ ହୋଇ ସାରିଥିଲା। ଡାରଓ୍ଵିଶ ରାସୋଲି ୬ ରନ, ହସମତୁଲ୍ଲା ଶାହିଦି ୪ ରନ ଓ ନଙ୍ଗେୟାଲିଆ ଖାରୋଟି ୬ ରନ କରି ଆଉଟ୍ ହୋଇଥିଲେ। ରେହମତ ଶାହ ଆଉଟ୍ ହେବା ସହ ଆଫଗାନିସ୍ତାନ ୪୪.୩ ଓଭରରେ ୨୩୨ ରନରେ ଅଲଆଉଟ୍ ହୋଇଛି। ଶାହ ୮୯ ବଲରୁ ୮ ଚୌକା ସହ ୭୯ ରନ କରିଥିଲେ।

ଭାରତର ଇନିଂସ

ଟସ୍ ହାରି ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆରମ୍ଭରୁ ଝଟକା ଖାଇଥିଲା । ଯଶସ୍ୱୀ ଜୟସୱାଲ ୯ ବଲରେ ୪ ରନ୍ କରି ସଲିମ ସାଫିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ରୋହିତ ଶର୍ମା ଦ୍ୱିତୀୟ ୱିକେଟ ପାଇଁ ଶୁଭମନଙ୍କ ସହିତ ୮୭ ରନର ପାର୍ଟନରସିପ୍ କରିଥିଲେ । ରୋହିତ ୩୯ ବଲରୁ ୪୮ ରନ ସଂଗ୍ରହ କରିଥିଲେ ।

ଏହାପରେ ଶୁଭମନ ଏବଂ ଇଶାନ ତୃତୀୟ ୱିକେଟ ପାଇଁ ୨୨୪ ରନର ଭାଗୀଦାରି କରିଥିଲେ । ଇଶାନ ୭୯ ବଲରୁ ୧୨୫ ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ଇନିଂସରେ ୧୪ ଚୌକା ଏବଂ ୭ ଛକା ସାମିଲ ରହିଥିଲା । ଖାରୋତି ୪୩ତମ ଓଭରରେ ଶୁଭମନ ଏବଂ କେଏଲ ରାହୁଲଙ୍କୁ ଆଉଟ୍ କରିଥିଲେ । ଗିଲ୍ ୧୧୦ ବଲରୁ ୨୨ ଚୌକା ଏବଂ ୨ ଛକା ସହାୟତାରେ ୧୫୪ ରନ କରିଥିଲେ । ରାହୁଲ ଶୂନ କରି ଆଉଟ୍ ହୋଇଥିଲେ । ଶ୍ରେୟସ ଆୟର (୨୬), ଗୁରନୁର ବ୍ରାର (୩) ଏବଂ ଅର୍ଶଦୀପ ସିଂହ (୩), ୱାଶିଂଟନ ସୁନ୍ଦର (୧୯) କରିଥିଲେ । ଆଫଗାନିସ୍ତାନ ପାଇଁ ନାଙ୍ଗେୟାଲିଆ ଖାରୋତି ଚାରିଟି ୱିକେଟ ଏବଂ ରସିଦ ଖାନ ତିନୋଟି ୱିକେଟ ନେଇଥିଲେ ।