• ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯାଇଛି
  • ମାର୍ଚ୍ଚ ୧୨ ତାରିଖରେ ମିଳିତ ବିରୋଧୀ ଦଳ ରାଜ୍ୟସଭାରେ ଏହି ପ୍ରସ୍ତାବ ଦେଇଥିଲେ
  • ଜ୍ଞାନେଶ କୁମାରଙ୍କ ବିରୋଧରେ ବିପକ୍ଷ ୭ଟି ଗୁରୁତର ଅଭିଯୋଗ କରିଥିଲେ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ୧୯୩ ସାଂସଦଙ୍କ ଦ୍ୱାରା ଉପସ୍ଥାପିତ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରିଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ପ୍ରସ୍ତାବର ସମସ୍ତ ଦିଗକୁ ନିରପେକ୍ଷ ମୂଲ୍ୟାୟନ କରିବା ପରେ ନ୍ୟାୟାଧିଶ (ଯାଞ୍ଚ) ଅଧିନିୟମର ଶକ୍ତି ପ୍ରୟୋଗ କରି ଏହାକୁ ଅସ୍ୱୀକାର କରିଦେଇଛନ୍ତି। ଫଳରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ସୁନିଶ୍ଚିତ ହୋଇଯାଇଛି।

ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିବା ପ୍ରସ୍ତାବ ଉପରେ ରାଜ୍ୟସଭା ସଭାପତି ବିଚାରବିମର୍ଷ କରିଥିଲେ। ସବୁ ପ୍ରାସଙ୍ଗିକ ଦିଗ ଓ ପ୍ରସଙ୍ଗକୁ ନିରପେକ୍ଷ ମୂଲ୍ୟାୟନ କରିବା ପରେ ସଭାପତି ନ୍ୟାୟାଧୀଶ (ଯାଞ୍ଚ) ଅଧିନିୟମ, ୧୯୬୮ର ଧାରା ୩ରେ ପ୍ରଦତ୍ତ ଶକ୍ତି ପ୍ରୟୋଗ କରି ପ୍ରସ୍ତାବକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟକାଳ ଜାରି ରହିବ ଓ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଉ ଆଗକୁ ବଢିବ ନାହିଁ।

ଏହି ପଦକ୍ଷେପ ସମ୍ବିଧାନ ଓ ନିର୍ବାଚନ ପ୍ରକ୍ରିୟାର ସ୍ୱାଧୀନତା ମଜଭୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ଦଳ ଏଥି ପାଇଁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ନୋଟିସ୍ ଦେଇଥିଲେ। ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ପ୍ରସ୍ତାବ ଆଣିବାକୁ ଦାବି କରାଯାଇଥିଲା। ବିରୋଧୀ ନିର୍ବାଚନ କମିଶନରଙ୍କ ଉପରେ ପକ୍ଷପାତ ପୂର୍ଣ୍ଣ ବ୍ୟବହାରର ଅଭିଯୋଗ ଆଣିଥିଲେ। ଏହା ଛଡା ଜ୍ଞାନେଶ କୁମାରଙ୍କ ବିରୋଧରେ ବିପକ୍ଷ ୭ଟି ଗୁରୁତର ଅଭିଯୋଗ କରିଥିଲେ।

ଏଥିରେ କାର୍ଯ୍ୟାଳୟରେ ପକ୍ଷପାତ ଓ ଭେଦଭାବପୂର୍ଣ୍ଣ ଅଭିମୁଖ୍ୟ, ଦୁର୍ବ୍ୟବହାର, ନିର୍ବାଚନ ଠକେଇ ଓ ଭୋଟ ଦେବାର ଅଧିକାର ଛଡେଇବା ଭଳି ଅଭିଯୋଗ ଥିଲା। ବିରୋଧୀ ଦଳ ବିଶେଷ କରି ବିହାର ଓ ପଶ୍ଚିମବଙ୍ଗ ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର) ଅଭିଯାନକୁ ନେଇ ପ୍ରଶ୍ନ ଉଠାଇଥିଲେ। ବିରୋଧୀ ଅଭିଯୋଗ କରିଥିଲେ ଯେ ଏହି ପ୍ରକ୍ରିୟା କାରଣରୁ ଅନେକ ଭୋଟରଙ୍କ ଭୋଟଦାନ ଅଧିକାର ଛଡାଇ ନିଆଯାଇଛି। ଏହା ବି କୁହାଯାଇଥିଲା ଯେ ସିଇସି କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳଙ୍କ ପକ୍ଷ ନେଇ ପକ୍ଷପାତପୂର୍ଣ୍ଣ କାମ କରିଛନ୍ତି।

ବିପକ୍ଷ ସେମାନଙ୍କ ଅଭିଯୋଗ ସମର୍ଥନରେ ସୁପ୍ରିମକୋର୍ଟଙ୍କ କେତେକ ରାୟର ଉଦାହରଣ ମଧ୍ୟ ଦେଇଥିଲେ। ବିଜେପିକୁ ସହଯୋଗ କରୁଥିବାର ଅଭିଯୋଗକୁ ବି ନୋଟିସ୍ ରେ ସାମିଲ କରାଯାଇଥିଲା। ବିରୋଧୀଙ୍କ କହିବା କଥା ଥିଲା ଏସଆଇଆର ମାଧ୍ୟମରେ ନିର୍ବାଚନ ଆୟୋଗ କ୍ଷମତାସୀନ ପାର୍ଟିକୁ ଲାଭ ଦେଉଛନ୍ତି। ଏଥିରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ଗଣତାନ୍ତ୍ରିକ ଅଧିକାରର ଦାବି କରାଯାଇଥିଲା। ତେବେ ସ୍ୱାଧୀନ ଭାରତର ନିର୍ବାଚନ ଇତିହାସରେ କୌଣସି ନିର୍ବାଚନ କମିଶନରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବାର ଏହା ପ୍ରଥମ ଘଟଣା।