ମୁମ୍ଵାଇ ୨୦।୦୩; ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା। ମୁଭି ନାଇଟ୍ ପରେ ଲୋନାଭାଲାରେ ସୂର୍ଯ୍ୟୋଦୟ ଦେଖିବାକୁ ଯାଇ ଫେରୁଥିବା ସମୟରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଇଆଇଟି-ବୋମ୍ବେର ତିନିଜଣ ମେଧାବୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସକାଳ ପ୍ରାୟ ୮:୩୫ ମିନିଟରେ ଭାଟାନ ସୁଡ଼ଙ୍ଗ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା, ଯେଉଁଠାରେ ଛାତ୍ରମାନେ ଯାତ୍ରା କରୁଥିବା ଭୋଲ୍ସୱାଗନ ପୋଲୋ କାର୍ଟି ଏକ କଣ୍ଟେନର ଟ୍ରକକୁ ଓଭରଟେକ୍ କରିବାକୁ ଚେଷ୍ଟା କରିବା ସମୟରେ ପଛପଟୁ ଧକ୍କା ଦେଇଥିଲା ଏବଂ ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିଟି ଅନେକଥର ଓଲଟି ଏକ ଲୁହା ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା ।

ହାଇୱେ ଟ୍ରାଫିକ ପୋଲିସ କଟର ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଭିତରୁ ଛାତ୍ରମାନଙ୍କୁ ବାହାର କରି କାମୋଥେ ସ୍ଥିତ ଏମଜିଏମ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ ଛାତ୍ରମାନେ ହେଲେ ଓମକୁମାର ନିତିନ ବୋର୍ସେ, ଶ୍ରେୟାଂଶ ନରେଶ ଶର୍ମା ଓ ଲୟ ପ୍ରଶାନ୍ତ ଦେଶଭ୍ରାତର । ଏହି ଘଟଣାରେ ପୋଲିସ ଏକ ଏଫଆଇଆର ରୁଜୁ କରିବା ସହ ସିସିଟିଭି ଫୁଟେଜ ମାଧ୍ୟମରେ ଫେରାର କଣ୍ଟେନର ଟ୍ରକକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି । 

ଦୁର୍ଘଟଣାର ଶିକାର ହୋଇଥିବା ଏହି ଛାତ୍ରମାନେ ଏକ ଭଡ଼ା ଗାଡ଼ିରେ ମୁମ୍ବାଇର ବିକେସିରେ ସିନେମା ଦେଖିବା ପରେ ଲୋନାଭାଲା ବୁଲିବାକୁ ଯାଇଥିଲେ। ଫେରିବା ବାଟରେ ଓମକୁମାର ଗାଡ଼ି ଚଲାଉଥିଲେ। ଓମକୁମାର ଜଣେ ଦ୍ୱିତୀୟ ବର୍ଷର ଏରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ର ଥିଲେ ଓ କ୍ୟାମ୍ପସରେ ବେଶ୍ ସକ୍ରିୟ ଥିଲେ। ସେହିପରି ଶ୍ରେୟାଂଶ ଜଣେ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଥିଲେ ଯିଏ ପରବର୍ତ୍ତୀ ସମୟରେ ଆଇଏଏସ୍ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ ଏବଂ ଲୟ ଦେଶଭ୍ରାତର ଜଣେ ପଦାର୍ଥ ବିଜ୍ଞାନର ଛାତ୍ର ଥିଲେ। ଏହି ଘଟଣା ଆଇଆଇଟି-ବୋମ୍ବେ କ୍ୟାମ୍ପସରେ ଶୋକର ଛାୟା ଖେଳାଇ ଦେଇଛି ।

Also Read- ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟି ହେଲା କାର, ୫ ମୃତ