ନୂଆଦିଲ୍ଲୀ-; ଆମେରିକାରେ ମୁଖ୍ୟାଳୟ ଥିବା ବିଶ୍ୱପ୍ରସିଦ୍ଧ କଫି କମ୍ପାନୀ ଷ୍ଟାରବକ୍ସ କଫି, ଭାରତରେ ନିଜର ପ୍ରଥମ ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (GCC) ସ୍ଥାପନ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ପକ୍ଷରୁ ତାମିଲନାଡୁ ସରକାର ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଚେନ୍ନାଇରେ ସ୍ଥାପିତ ହେବାକୁ ଥିବା ଏହି କେନ୍ଦ୍ର ମାଧ୍ୟମରେ ପ୍ରାୟ ୮୦୦ ଜଣ ଟେକ୍ନୋଲୋଜି ପ୍ରଫେସନାଲ୍ଙ୍କ ପାଇଁ ଉଚ୍ଚ ଦରମାର ଚାକିରି ସୁଯୋଗ ସୃଷ୍ଟି ହେବ। ସୋମବାର ତାମିଲନାଡୁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ଉପସ୍ଥିତିରେ ଷ୍ଟାରବକ୍ସ କଫି ଏବଂ ଶିଳ୍ପ ବିଭାଗ ଅଧୀନସ୍ଥ ସରକାରୀ ନୋଡାଲ୍ ଏଜେନ୍ସି ‘ଗାଇଡାନ୍ସ’ ମଧ୍ୟରେ ଏହି ସ୍ୱାକ୍ଷର ହୋଇଥିଲା।

ଚେନ୍ନାଇରେ ହେବାକୁ ଥିବା ଏହି ଗ୍ଲୋବାଲ୍ କାପାବିଲିଟି ସେଣ୍ଟର ଭାରତରେ ଷ୍ଟାରବକ୍ସର ପ୍ରଥମ ଏପରି କେନ୍ଦ୍ର ହେବ। ଏଠାରେ ପ୍ରଯୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରି ସୃଷ୍ଟି ହେବ। ଏହି କେନ୍ଦ୍ର ଭାରତରେ ଷ୍ଟାରବକ୍ସର ଖୁଚୁରା ବ୍ୟବସାୟ ପାଇଁ ଟାଟା କନ୍ଜ୍ୟୁମର୍ ପ୍ରଡକ୍ଟସ୍ ସହ ଥିବା ଯୁଗ୍ମ ଉଦ୍ୟୋଗଠାରୁ ସ୍ୱତନ୍ତ୍ର ଭାବେ ପରିଚାଳିତ ହେବ। ସରକାରୀ ବିବୃତ୍ତି ଅନୁସାରେ, ଷ୍ଟାରବକ୍ସର ଏହି ପଦକ୍ଷେପ ତାମିଲନାଡୁରେ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ନିବେଶ ଆକର୍ଷଣ କରିବାର ପ୍ରୟାସକୁ ଆହୁରି ମଜବୁତ କରିବ। ଏହା ସହିତ ଉଚ୍ଚ ଦରମାର ଚାକିରି ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ବିଶ୍ୱସ୍ତରୀୟ କମ୍ପାନୀର ଏହି ପଦକ୍ଷେପ ତାମିଲନାଡୁକୁ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଓ ବିଜନେସ୍ ସର୍ଭିସେସ୍ ହବ୍ ଭାବେ ଗଢ଼ି ତୋଳିବାରେ ସହାୟତା କରିବ ବୋଲି ସରକାର କହିଛି।

read also -ସେପ୍ଟେମ୍ବର ୨୮ରୁ ୩୦ ଯାଏଁ ବ୍ୟାଙ୍କ ଧର୍ମଘଟ: ୫ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ ? ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକର ପରାମର୍ଶ

ଚେନ୍ନାଇକୁ କାହିଁକି ବାଛିଲା ଷ୍ଟାରବକ୍ସ?

MoU ସ୍ୱାକ୍ଷର ସମୟରେ ଷ୍ଟାରବକ୍ସ କଫିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଆନନ୍ଦ ବରଦରାଜନ୍ କହିଥିଲେ ଯେ, ଭାରତ କମ୍ପାନୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଚେନ୍ନାଇରେ ବହୁ ସଂଖ୍ୟାରେ ଦକ୍ଷ ପ୍ରଯୁକ୍ତି ପେସାଦାର ଉପଲବ୍ଧ ଅଛନ୍ତି।ଏଥିସହ ଚେନ୍ନାଇରେ କର୍ମଚାରୀଙ୍କ ଚାକିରି ଛାଡ଼ିବା ହାର ତୁଳନାମୂଳକ ଭାବେ କମ୍ ଥିବା, ଉନ୍ନତ ଭିତ୍ତିଭୂମି ଏବଂ ତାମିଲନାଡୁ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ ଭଳି କାରଣ ଷ୍ଟାରବକ୍ସକୁ ଆକର୍ଷିତ କରିଛି। ଏହି ସୁବିଧାଗୁଡ଼ିକ କମ୍ପାନୀକୁ ନୂଆ ପ୍ରଯୁକ୍ତି ସମାଧାନ ବିକଶିତ କରିବା ସହ ବ୍ୟବସାୟ ବିସ୍ତାରରେ ସହାୟତା କରିବ ବୋଲି ସେ କହିଥିଲେ।

ଷ୍ଟାରବକ୍ସ ଚେନ୍ନାଇକୁ ନିଜର ନିବେଶ କ୍ଷେତ୍ର ପାଇଁ ବାଛିଥିବାରୁ ତାମିଲନାଡୁ ସରକାର ଖୁସି ବୋଲି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ କହିଛନ୍ତି। ଏକ ବିଶ୍ୱପ୍ରସିଦ୍ଧ କମ୍ପାନୀ ତାମିଲନାଡୁ ଉପରେ ଦେଖାଇଥିବା ଭରସା ରାଜ୍ୟର ଯୁବପିଢ଼ିର ଦକ୍ଷତାକୁ ସ୍ୱୀକୃତି ଦେଇଛି ବୋଲି ସେ କହିଥିଲେ।

ଏହି ନିବେଶ ଅନ୍ୟ ଉଚ୍ଚମାନର କମ୍ପାନୀଗୁଡ଼ିକୁ ମଧ୍ୟ ତାମିଲନାଡୁରେ ନିବେଶ କରିବାକୁ ଆକର୍ଷିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ଏହା ଦକ୍ଷ ଯୁବକ-ଯୁବତୀଙ୍କ ପାଇଁ ଅନେକ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଏସ୍. କୀର୍ତ୍ତନା, ମୁଖ୍ୟ ଶାସନ ସଚିବ ଏମ୍. ସାଇକୁମାର, ଶିଳ୍ପ, ନିବେଶ ପ୍ରୋତ୍ସାହନ ଓ ବାଣିଜ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସ୍. ବିଜୟକୁମାର, ଗାଇଡାନ୍ସର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦୀପକ୍ ଜାକବ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।