ଭୁବନେଶ୍ବର: କେନ୍ଦ୍ର ସରକାର ଚାକିରିଆଙ୍କ ପାଇଁ ଆଣିଛନ୍ତି ଏକ ବଡ଼ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ପକ୍ଷରୁ ବାଧ୍ୟତାମୂଳକ ପିଏଫ୍ (PF) ସୀମାକୁ ବୃଦ୍ଧି କରାଯାଇଛି । ଚାକିରିଆଙ୍କ ପିଏଫ୍ ଯୋଗଦାନ ପାଇଁ ମାସିକ ସର୍ବୋଚ୍ଚ ଦରମା ସୀମା ବା ୱେଜ୍ ସିଲିଂ (Wage Ceiling)କୁ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ଏହି ନୂଆ ନିୟମ ଦ୍ୱାରା ଦେଶର ପ୍ରାୟ ୫୧ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ଏବଂ ସେମାନେ ସରକାରଙ୍କ ସାମାଜିକ ସୁରକ୍ଷା ଅଧୀନକୁ ଆସିବେ ।

ତେବେ ଏହି ନିଷ୍ପତ୍ତି ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଯଦି ଆପଣଙ୍କ ଦରମା ୧୦,୦୦୦ ଟଙ୍କା, ୨୦,୦୦୦ ଟଙ୍କା କିମ୍ବା ୨୫,୦୦୦ ଟଙ୍କାରୁ ଅଧିକ ହୋଇଥାଏ, ତେବେ ଆପଣଙ୍କ ପକେଟ୍ ଉପରେ ଏହାର କି ପ୍ରଭାବ ପଡ଼ିବ ? ଆସନ୍ତୁ ସହଜ ଭାଷାରେ ବୁଝିବା:

ଯଦି ଆପଣଙ୍କ ଦରମା ମାସକୁ ୧୦,୦୦୦ ଟଙ୍କା

ଯେଉଁମାନଙ୍କର ମାସିକ ମୂଳ ଦରମା (Basic Salary + DA) ୧୦ ହଜାର ଟଙ୍କା, ସେମାନଙ୍କ ପାଇଁ ଏହି ନୂଆ ନିଷ୍ପତ୍ତି ଦ୍ୱାରା କୌଣସି ପରିବର୍ତ୍ତନ ହେବ ନାହିଁ। କାରଣ ସେମାନେ ପୂର୍ବରୁ ୧୫,୦୦୦ ଟଙ୍କାର ସୀମା ଭିତରେ ଥିଲେ ଏବଂ ଏବେ ମଧ୍ୟ ବାଧ୍ୟତାମୂଳକ EPFO ଅଧୀନରେ ରହିବେ। ସେମାନଙ୍କ ଦରମାରୁ ପୂର୍ବଭଳି ୧୨% ପିଏଫ୍ କଟିବ ଏବଂ କମ୍ପାନୀ ମଧ୍ୟ ସମାନ ପରିମାଣର ଟଙ୍କା ଜମା କରିବ। ସେମାନେ ଘରକୁ ନେଉଥିବା ଦରମା (Take-home salary) ମଧ୍ୟ ସମାନ ରହିବ।

ଯଦି ଆପଣଙ୍କ ଦରମା ମାସକୁ ୨୦,୦୦୦ ଟଙ୍କା

ଏହି ବର୍ଗର କର୍ମଚାରୀଙ୍କ ଉପରେ ନୂଆ ନିୟମର ସବୁଠାରୁ ବଡ଼ ପ୍ରଭାବ ପଡ଼ିବ। କାରଣ ପୂର୍ବରୁ ନୂଆ ଚାକିରିରେ ଯୋଗଦେବା ବେଳେ ମୂଳ ଦରମା ୧୫,୦୦୦ ଟଙ୍କାରୁ ଅଧିକ ଥିଲେ ବାଧ୍ୟତାମୂଳକ ପିଏଫ୍ କାଟିବା ନିୟମ ନଥିଲା । ତେଣୁ ୨୦,୦୦୦ ଟଙ୍କା ପାଉଥିବା ଅନେକ କର୍ମଚାରୀ ପିଏଫ୍ ସୁବିଧାରୁ ବଞ୍ଚିତ ହେଉଥିଲେ। ହେଲେ ଏବେ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ୨୦,୦୦୦ ଟଙ୍କା ଦରମା ପାଉଥିବା କର୍ମଚାରୀମାନେ ମଧ୍ୟ ବାଧ୍ୟତାମୂଳକ ଭାବେ EPFO ପରିସରଭୁକ୍ତ ହେବେ ।

ଦରମା ଉପରେ ପ୍ରଭାବ: ଏହି ବର୍ଗରେ ଆସୁଥିବା କର୍ମଚାରୀଙ୍କର ଦରମାରୁ ୧୨% (ଅର୍ଥାତ୍ ମାସିକ ୨,୪୦୦ ଟଙ୍କା) ପିଏଫ୍ ଆକାଉଣ୍ଟକୁ ଯିବ । ଏହାଦ୍ୱାରା ହାତକୁ ମିଳୁଥିବା ମାସିକ ନଗଦ ଦରମା ସାମାନ୍ୟ କମିଯିବ ସତ, କିନ୍ତୁ ଭବିଷ୍ୟତ ପାଇଁ ଏକ ବଡ଼ ପାଣ୍ଠି ଜମା ହେବ । ଏହାସହ ସେମାନଙ୍କୁ ପେନସନ (EPS) ଏବଂ ମାଗଣା ବୀମା (EDLI)ର ସୁରକ୍ଷା ମିଳିବ ।

Also Read: ଖୁସି ଖବର ! PF ଲିମିଟ୍ ବଢ଼ିଲା, ବଢ଼ିବ ଆପଣଙ୍କ ଦରମା ଓ ପେନସନ

ଦରମା ମାସକୁ ୨୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ

ଯେଉଁମାନେ ପୂର୍ବରୁ ପିଏଫ୍ ସଦସ୍ୟ ଅଛନ୍ତି ଏବଂ ସେମାନଙ୍କର ଦରମା ୨୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ, ସେମାନଙ୍କ ପାଇଁ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ:

ପୂର୍ବରୁ କମ୍ପାନୀଗୁଡ଼ିକ ସର୍ବାଧିକ ୧୫,୦୦୦ ଟଙ୍କା ଉପରେ ହିଁ ପିଏଫ୍ ୧,୮୦୦ ଟଙ୍କା କାଟୁଥିଲେ । ଏବେ ଏହି ସୀମା ବଢ଼ିଥିବାରୁ ମାସିକ ପିଏଫ୍ କାଟ୍ ୧,୮୦୦ ଟଙ୍କାରୁ ବୃଦ୍ଧି ପାଇ ୩,୦୦୦ ଟଙ୍କା ୨୫,୦୦୦ର ୧୨% ହୋଇଯିବ।

ଏହାଦ୍ବାରା ପ୍ରତି ମାସରେ ଆପଣଙ୍କ ଦରମାରୁ ପ୍ରାୟ ୧,୨୦୦ ଟଙ୍କା ଅଧିକ କଟିବ । ଯାହାଫଳରେ ଟେକ୍-ହୋମ୍ ସାଲାରୀ କମିଯିବ । କିନ୍ତୁ ଏହାର ବଡ଼ ଫାଇଦା ହେଉଛି ଆପଣଙ୍କ ପିଏଫ୍ ଆକାଉଣ୍ଟରେ ଅଧିକ ଟଙ୍କା ଜମା ହେବ ଏବଂ ଅବସର ବେଳକୁ ଆପଣ ଏକ ମୋଟା ଅଙ୍କର ପାଣ୍ଠି ପାଇପାରିବେ ।

ଆହୁରି ପୁଣି କମ୍ପାନୀ ପକ୍ଷରୁ ପେନସନ ପାଣ୍ଠି (EPS)କୁ ଯାଉଥିବା ଅଂଶଧନ ମଧ୍ୟ ୧,୨୫୦ ଟଙ୍କାରୁ ବଢ଼ି ପ୍ରାୟ ୨,୦୮୩ ଟଙ୍କା ହେବ । ଯାହା ଅବସର ପରେ ଆପଣଙ୍କ ମାସିକ ପେନସନ ପରିମାଣକୁ ବହୁତ ବଢ଼ାଇଦେବ ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ୧୨ ବର୍ଷ ପରେ କେନ୍ଦ୍ର ସରକାର ଏହି ସୀମା ବଢ଼ାଇଛନ୍ତି । ବର୍ତ୍ତମାନର ମହଙ୍ଗା ପରିସ୍ଥିତି ଏବଂ ବଢୁଥିବା ଦରମାକୁ ଦେଖି ଏହି ପଦକ୍ଷେପ ନିଆଯାଇଛି । ହାତକୁ ମିଳୁଥିବା ନଗଦ ଟଙ୍କା ସାମାନ୍ୟ କମିଲେ ମଧ୍ୟ, ଦୀର୍ଘକାଳୀନ ଭବିଷ୍ୟତ ଏବଂ ଅବସର ଜୀବନକୁ ସୁରକ୍ଷିତ କରିବା ଦିଗରେ ସରକାରଙ୍କର ଏହା ଏକ ପ୍ରଶଂସନୀୟ ନିଷ୍ପତ୍ତି ।