ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଏବଂ ଗ୍ଲୋବାଲ ବଣ୍ଡ ୟିଲ୍ଡ କମିବା ଫଳରେ ସୋମବାର ଭାରତୀୟ ଶେୟାର ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ବଡ଼ ବଡ଼ କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ବଢ଼ିବା ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ (Sensex) ୫୬୪.୦୩ ପଏଣ୍ଟ (୦.୭୬%) ବୃଦ୍ଧି ପାଇ ୭୪,୮୫୮.୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି (Nifty) ୬୭.୯୦ ପଏଣ୍ଟ (୦.୨୯%) ବଢ଼ି ୨୩,୪୧୪.୩୦ ପଏଣ୍ଟରେ ପହଞ୍ଚିଛି।

ବଜାର ବୃଦ୍ଧିର ମୁଖ୍ୟ କାରଣ

ତୈଳ ଦରରେ ହ୍ରାସ: ଗତ ପ୍ରାୟ ୩ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୭ ପ୍ରତିଶତ କମି ବ୍ୟାରେଲ ପିଛା ୯୧.୫୦ ଡଲାର ସ୍ତରକୁ ଚାଲିଆସିଛି। ଏହା ଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ କମିବା ଆଶା ସୃଷ୍ଟି ହୋଇଛି।

ବିଶ୍ୱସ୍ତରୀୟ ସଂକେତ: ଆମେରିକା ଓ ଚୀନ ମଧ୍ୟରେ ଆଗାମୀ ଆଲୋଚନା ଏବଂ ମିଳିତ ଜାତିସଂଘରେ ଆମେରିକା- ଇରାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାର ନେଇ ନିବେଶକମାନେ ଆଶାବାଦୀ ଅଛନ୍ତି।

ଟଙ୍କାର ସ୍ଥିତି: କ୍ରୁଡ୍ ଅଏଲ୍ ଦର କମିବା ଯୋଗୁଁ ଭାରତୀୟ ମୁଦ୍ରା (ଟଙ୍କା) ମଧ୍ୟ ୦.୧୧% ମଜବୁତ ହୋଇ ୯୫.୮୧ ସ୍ତରରେ କାରବାର କରିଛି।

Also Read: ଦରମା ୧୫,୦୦୦ରୁ ଅଧିକ କି ? ସରକାରଙ୍କ ନୂଆ ନିୟମ ଜାଣିନିଅନ୍ତୁ

କେଉଁ ସେକ୍ଟର ଲାଭରେ, କେଉଁଠି କ୍ଷତି ?

ଲାଭଜନକ ସେକ୍ଟର: କଞ୍ଜୁମର ଡ୍ୟୁରେବଲ୍ସ, ଏଫଏମସିଜି (FMCG), ଫାର୍ମା, ହେଲ୍ଥକେୟାର ଏବଂ ରିଆଲଟି ସେକ୍ଟରର ଶେୟାରଗୁଡ଼ିକରେ ଭଲ କାରବାର ହୋଇଛି।

ଟପ୍ ଗେନର୍ସ: ନିଫ୍ଟି କମ୍ପାନୀଗୁଡ଼ିକ ମଧ୍ୟରେ ଇଟରନାଲ (Eternal), ଏଚସିଏଲ ଟେକ୍ନୋଲୋଜି (HCL Tech) ଏବଂ ଏସବିଆଇ ଲାଇଫ୍ ଇନସୁରାନ୍ସ ସବୁଠାରୁ ଅଧିକ ଲାଭ କରିଛନ୍ତି।

କ୍ଷତିରେ ଥିବା ସେକ୍ଟର: ଅନ୍ୟପଟେ ମେଟାଲ୍ ଏବଂ ସରକାରୀ ବ୍ୟାଙ୍କ (PSU Bank) ଶେୟାରଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଛି। ମିଡକ୍ୟାପ୍ ୦.୨୯% ଏବଂ ସ୍ମଲକ୍ୟାପ୍ ସୂଚକାଙ୍କରେ ୦.୦୭% ହ୍ରାସ ହୋଇଛି।