କୋଲକାତା, ୧୫|୦୭: ବିଧାନସଭା ନିର୍ବାଚନ ହାରିବା ପରେ ତୃଣମୂଳ କଂଗ୍ରେସର ଅବସ୍ଥା ଭଲ ନାହିଁ । ଦଳ ଭାଗ ଭାଗ ହୋଇଗଲାଣି । ନେତୃତ୍ୱ ଉପରେ ସଙ୍କଟ ଆସିଛି । ଅସ୍ତିତ୍ୱ ମଧ୍ୟ ବିପଦରେ ପଡିଛି । ମମତା ବାନାର୍ଜୀ ଆଗଭଳି ଆକ୍ଟିଭ୍ ନାହାଁନ୍ତି । ତାଙ୍କର ନିର୍ଦ୍ଦେଶ କାମ କରୁନି । ୨୦ରୁ ଅଧିକ ଟପ୍ ନେତା ଦଳ ଛାଡିଲେଣି କିମ୍ବା ବିଦ୍ରୋହ କଲେଣି । ଏପରି ସ୍ଥିତିରେ ମମତାଙ୍କ ପାଇଁ କଂଗ୍ରେସ ହିଁ ବଡ ସାହାରା ବୋଲି ଅନେକ କହୁଛନ୍ତି । କିଛି କିଛି ନେତା ଟିଏମସିର କଂଗ୍ରେସରେ ବିଲୟ ହେବ ବୋଲି ମତ ଦେଉଛନ୍ତି । ଏସବୁ ଭିତରେ କୋଲକାତାରେ ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ କଂଗ୍ରେସ ଦିଦିଙ୍କୁ ନିମନ୍ତ୍ରଣ କରିଛି ।

ରିପୋର୍ଟ ଅନୁସାରେ, କୋଲକାତାରେ କଂଗ୍ରେସ ବଳିଦାନ ଦିବସ ପାଳନ କରିବ ।ଏଥିପାଇଁ ଦଳ ମମତାଙ୍କୁ ଡାକିଛି । କିନ୍ତୁ ସର୍ତ୍ତ ରଖିଛି । ମମତାଙ୍କୁ ସମସ୍ତଙ୍କ ସାମ୍ନାରେ ଭୁଲ ସ୍ୱୀକାର କରିବାକୁ ହେବ ବୋଲି ସର୍ତ୍ତରେ ରହିଛି । ଅର୍ଥାତ ଦୀର୍ଘ ୩୦ ବର୍ଷ ତଳେ ମମତା କଂଗ୍ରେସରୁ ଅଲଗା ହୋଇଥିଲେ । ଆଉ ଏବେ ସେହି ଭୁଲକୁ ସେ ସ୍ୱୀକାର କରିବେ ବୋଲି କଂଗ୍ରେସ ପକ୍ଷରୁ ସର୍ତ୍ତ ରହିଛି ।

ପଶ୍ଚିମବଙ୍ଗ କଂଗ୍ରେସ କମିଟିର ସଭାପତି ଶୁଭଙ୍କର ସରକାର କହିଛନ୍ତି ଯେ, ୧୯୯୩ ଜୁଲାଇ ୨୧ ତାରିଖରେ ମମତା ଯାହା କରିଥିଲେ ତାକୁ ସମସ୍ତଙ୍କ ଆଗରେ ଉଲ୍ଲେଖ କରାଯିବା ଦରକାର । ଯଦି ତାଙ୍କ ପାଖରେ ପ୍ରକୃତରେ ସତସାହାସ ଅଛି ତାହାଲେ ସେ ଇତିହାସକୁ ସମ୍ମାନ ଦେବେ । ଆହୁରି ମଧ୍ୟ ଅତୀତରେ ରାଜନୈତିକ ସ୍ତରରେ ସେ ଭୁଲ ନିଷ୍ପତ୍ତି ଏବଂ ପଦକ୍ଷେପ ଗ୍ରହଣ କରିଥିବା ତାଙ୍କୁ ସର୍ବ ସମ୍ମୁଖରେ ମାନିବାକୁ ହେବ । ସହିଦ ମିନାରରେ କଂଗ୍ରେସର କାର୍ଯ୍ୟକ୍ରମରେ ତାଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ଅଛନ୍ତି ବୋଲି ସରକାର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୯୧ ଜୁଲାଇ ୨୧ରେ ଯୁବ କଂଗ୍ରେସ ଏକ ବିରାଟ ଆନ୍ଦୋଳନ ଆରମ୍ଭ କରିଥିଲା । ଏହା ଇତିହାସର ଏକ ଅଂଶ ବିଶେଷ । ଏହାକୁ କେହି ମନା କରିପାରିବେ ନାହିଁ । ଏଥିରେ ମମତା ଯୋଗ ଦେଇଥିଲେ । ପରେ ସେ କଂଗ୍ରେସ ଛାଡି ଭୁଲ କରିଥିଲେ । ଜଣେ ଭଲ ନେତା ନିଜ ରାଜନୈତିକ ଇତିହାସକୁ ସମ୍ମାନ ଦେବା ଦରକାର । ଯଦି ସେ ଅତୀତରେ କଂଗ୍ରେସ ଛାଡିଥିବା କଥାକୁ ଭୁଲ ବୋଲି ମାନିବେ ତାହାଲେ ଏହା ରାଜନୀତିରେ ଏକ ସୁନ୍ଦର ମୂହୁର୍ତ୍ତ ହୋଇପାରିବ । ଏହା ପୂର୍ବ ତ୍ରୁଟିକୁ ସୁଧାରିବା ପାଇଁ ପ୍ରୟାସ ଭାବେ ବିବଚେନା ହେବ । କଂଗ୍ରେସର ଦରବାର ସମସ୍ତଙ୍କ ପାଇଁ ଖୋଲା ଅଛି ।

Also Read :- ମହାକାଶରେ ଚିନି କଣିକା ଠାବ କଲେ ବୈଜ୍ଞାନିକ ! କିନ୍ତୁ ଆସିଲା କେଉଁଠୁ ? ମହାକାଶଚାରୀ ଆଶ୍ଚର୍ଯ୍ୟ

ସୂଚନାଯୋଗ୍ୟ, ୧୯୯୩ ଜୁଲାଇ ୨୧ରେ ମମତାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ରାଲି ହେଉଥିଲା । ଏଥିରେ ପୋଲିସ ଗୁଳିରେ ୧୩ ଜଣ ପ୍ରାଣ ହରାଇଥିଲେ । ପରେ ସେ ୧୯୯୭ରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ଏହା ସତ୍ତ୍ୱେ ସେ ଏହି ଦିନକୁ ପାଳନ କରୁଥିଲେ । କଂଗ୍ରେସ ମଧ୍ୟ ଜୁଲାଇ ୨୧କୁ ବଳିଦାନ ଦିବସ ଭାବେ ପାଳନ କରୁଛି ।