ନୂଆଦିଲ୍ଲୀ,|୧: ଟି୨୦ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ ଘୋଷଣା କରିଛି । କେଉଁ ଖେଳାଳି ବଡ ଟୁର୍ଣ୍ଣାମେଣ୍ଟରେ ଖେଳିବେ ତାହାର ତାଲିକା ଆସିଛି । କିନ୍ତୁ ପାକିସ୍ତାନୀ କ୍ରିକେଟ୍ ଟିମ୍ ବିଶ୍ୱକପ୍ ଖେଳିବ ନା ନାହିଁ ତାହା ନେଇ ସସପେନ୍ସ୍ ଲାଗି ରହିଛି । ସେଠାକାର ସରକାରଙ୍କ ଶେଷ ନିଷ୍ପତ୍ତିକୁ ଅପେକ୍ଷା କରିଛି ପିସିବି । ବାଂଲାଦେଶକୁ ସମର୍ଥନ ଜଣାଇ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ହେବ ବୋଲି ଧମକ ଦେଉଛି । ଯଦି ପାକିସ୍ତାନ ଓହରେ ତେବେ ଆଇସଲ୍ୟାଣ୍ଡ୍ ବିକଳ୍ପ ଟିମ୍ ଭାବେ ଖେଳିପାରେ । ଏସବୁ ଭିତରେ ଆଇସଲ୍ୟାଣ୍ଡ କ୍ରିକେଟ୍ ଟିମ୍ ପାକିସ୍ତାନକୁ କଟାକ୍ଷ କରିଛି ।

ଗତ କିଛି ଦିନ ଧରି ପାକିସ୍ତାନର ଉତ୍ପାତ ବଢିବାରେ ଲାଗିଛି । ଆଇସିସିକୁ ବ୍ଲାକମେଲିଂ କରୁଛି । ବିଶ୍ୱକପ୍ ରୁ ଓହରିବାକୁ କହୁଛି । ଆଇସିସି ମଧ୍ୟ ଚେତାବନୀ ଦେଇଛି । ଯଦି ଶେଷ ମୁହୂର୍ତ୍ତରେ ଟୁର୍ଣ୍ଣାମେଣ୍ଟରୁ ଦଳ ବାହାରେ ତେବେ କଟକଣା ଲଗାଯିବ ବୋଲି ଆଇସିସି କହି ସାରିଛି । ଏସବୁ ଭିତରେ ଶେଷ ନିଷ୍ପତ୍ତି ଇସଲାମାବାଦ ନେବ ।

ତେବେ ପାକିସ୍ତାନ କ୍ରିକେଟର ବୋର୍ଡର ସସପେନ୍ସ ମଧ୍ୟରେ ଆଇସଲ୍ୟାଣ୍ଡ୍ କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛି । ଆଇସଲ୍ୟାଣ୍ଡ କହିଛି ଯେ, ସେମାନେ ପାକିସ୍ତାନ ବଦଳରେ ଖେଳିବାକୁ ରାଜି ଅଛନ୍ତି ।୨୦୦୯ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା । ଏଥର ସେ ନଖେଳିଲେ ଆଇସଲ୍ୟାଣ୍ଡ ଜାଗା ନେବାକୁ ପ୍ରସ୍ତୁତ ଅଛି ।

​​​​​​​ଆଇସଲ୍ୟାଣ୍ଡ କ୍ରିକେଟ୍ କହିଛି ଯେ, ପାକିସ୍ତାନ ଶୀଘ୍ର ନିଷ୍ପତ୍ତି ନେଉ । ଫେବ୍ରୁଆରୀଭିତରେ ସେମାନେଶ୍ରୀଲଙ୍କାଆସିବାକୁ ଯୋଜନା କରୁଛନ୍ତି । ଫେବ୍ରୁଆରୀରେ କଲୋମ୍ବୋରେ ନିଜ ଦଳକୁ ଦେଖିବା ପାଇଁ ଦେଶବାସୀ ଉତ୍ସୁକ ରହିଛନ୍ତି । ଏହାସହ ସୋସିଆଲ ମିଡିଆ ପୋଷ୍ଟରେ ଆଇସଲ୍ୟାଣ୍ଡରୁ କଲୋମ୍ବୋକୁ ଉଡୁଥିବା କିଛି ବିମାନର ସମୟ ଏବଂ ପ୍ରାଇସ୍ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ପିସିବି ମୁଖ୍ୟ ଲଗତାର ଭାବେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଖୁବ୍ ଶୀଘ୍ର ଆଇସିସିକୁ ଚୂଡାନ୍ତ ନିଷ୍ପତ୍ତି ଜଣାଇଦିଆଯିବ । ବାଂଲାଦେଶ ଓହରିବା ପରେ ତାକୁ ସମର୍ଥନ ଜଣାଇ ପାକିସ୍ତାନ ମଧ୍ୟ ବାହାନା କରୁଛି । ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡ୍ ଟି୨୦ବିଶ୍ୱକପ୍ ଖେଳିବ । ସେହିପରି ପାକିସ୍ତାନ ମନା କଲେ ଆଇସଲ୍ୟାଣ୍ଡ୍ କିମ୍ବା ଅନ୍ୟ କେଉଁ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରନ୍ତି ।