ନୂଆଦିଲ୍ଲୀ: ଦୀର୍ଘ ସମୟ ପରେ ପୁଣି ଥରେ ଟି-୨୦ ମାନ୍ୟତାର ଟପ୍-୧୦ରେ ଏଣ୍ଟ୍ରି କରିଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚରେ ଲଗାତାର ଅର୍ଦ୍ଧଶତକର ପୁରସ୍କାର ତାଙ୍କୁ ମିଳିଛି। ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟି-୨୦ ମାନ୍ୟତାରେ ପାଞ୍ଚଟି ସ୍ଥାନ ଉପରକୁ ଉଠି ସୂର୍ଯ୍ୟ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

ପୂର୍ବରୁ ଏକ ନମ୍ବର ସ୍ଥାନରେ ରହିଥିବା ସୂର୍ଯ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ମ୍ୟାଚରେ ଯଥାକ୍ରମେ ୩୨ ରନ, ଅପରାଜିତ ୮୨ ରନ ଓ ଅପରାଜିତ ୫୭ ରନ କରିଥିଲେ। ଏଥିରେ ତାଙ୍କ ମାନ୍ୟତାରେ ବୃଦ୍ଧି ଘଟିଛି। ଅନ୍ୟପଟେ ଭାରତର ବିସ୍ଫୋରକ ଓପନିଂ ବ୍ୟାଟର ଅଭିଷେକ ଶର୍ମା ପୂର୍ବବତ୍ତ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତିଳକ ବର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଆହତ କାରଣରୁ ତିଳକ ଏହି ସିରିଜ ଖେଳି ପାରି ନାହାନ୍ତି। ରାୟପୁରରେ ଖେଳା ଯାଇଥିବା ଦ୍ଵିତୀୟ ଟି-୨୦ରେ ୩୨ ବଲରେ ୭୬ ରନ କରିଥିଲେ। ଏହାପରେ ଇଶାନ ୬୪ତମ ସ୍ଥାନ ସହ ମାନ୍ୟତାରେ ପୁଣି ଥରେ ପ୍ରବେଶ କରିଛନ୍ତି। ଶିବମ ଦୁବେ ନଅଟି ସ୍ଥାନ ଉପରକୁ ଉଠି ୫୮ତମ ଏବଂ ରିଙ୍କୁ ସିଂ ୧୩ଟି ସ୍ଥାନ ଉନ୍ନତି ଘଟାଇ ୬୮ତମରେ ପହଞ୍ଚିଛନ୍ତି।

ବୋଲିଂରେ ବୁମରା ଏହି ସ୍ଥାନରେ

ଟି-୨୦ରେ ବୋଲିଂ ମାନ୍ୟତାରେ ଆଫଗାନିସ୍ତାନର ସ୍ପିନର ମୁଜୀବ ଉର ରେହମାନ ପାଞ୍ଚଟି ସ୍ଥାନ ଉନ୍ନତି ଘଟାଇ ନବମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଚାରୋଟି ସ୍ଥାନ ଉପରକୁ ଉଟି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର କାର୍ବିନ ବୋଶ ଆଠ ସ୍ଥାନ ଉନ୍ନତି ସହ କ୍ୟାରିୟରର ସର୍ବଶ୍ରେଷ୍ଠ ୩୨ତମ ସ୍ଥାନରେ ପହଞ୍ଚିଛନ୍ତି।

ତୃତୀୟ ସ୍ଥାନରେ ପାଣ୍ଡ୍ୟା

ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ତିନୋଟି ମ୍ୟାଚରେ ୪ ଓ୍ଵିକେଟ୍ ଅକ୍ତିକାର କରି ୧୮ଟି ସ୍ଥାନ ଲମ୍ଫ ମାରି ୫୯ତମ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟିଂ ମାନ୍ୟତାରେ ସେ ଦୁଇଟି ସ୍ଥାନ ଉପରକୁ ଉଠି ୫୩ତମ ସ୍ଥାନରେ ରହିଛନ୍ତି। ପାଣ୍ଡ୍ୟା ଅଲରାଉଣ୍ଡର ମାନ୍ୟତାରେ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ତୃତୀୟରେ ପହଞ୍ଚିଛନ୍ତି।