ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ପୁରୁଷ ଦିନିକିଆ ଖେଳାଳିଙ୍କ ସଦ୍ୟତମ ମାନ୍ୟତା ଜାରି କରିଛି। ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ମହାନ ବ୍ୟାଟର ବିରାଟ କୋହଲିଙ୍କୁ ବଡ଼ ଫାଇଦା ମିଳିଛି। କୋହଲି ସିଧାସଳଖ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇ ଅଧିନାୟକ ଶୁଭମନ ଗିଲଙ୍କ ନମ୍ବର-୧ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛନ୍ତି।

ଗିଲ୍ ଓ କୋହଲିଙ୍କ ମଧ୍ୟରେ କଡ଼ା ଟକ୍କର

ରାଙ୍କିଙ୍ଗ୍ ଅନୁଯାୟୀ, ଶୁଭମନ ଗିଲ୍ ୮୧୬ ରେଟିଂ ପଏଣ୍ଟ ସହିତ ବର୍ତ୍ତମାନ ମଧ୍ୟ ଦିନିକିଆ ବ୍ୟାଟର ତାଲିକାର ଶୀର୍ଷରେ ଅଛନ୍ତି। କିନ୍ତୁ ବିରାଟ କୋହଲି ୭୯୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଆସିଯାଇଛନ୍ତି। ବିରାଟ କୋହଲି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ବିସ୍ଫୋରକ ୧୩୯ ରନର ଶତକୀୟ ଇନିଂସ ଖେଳିଥିଲେ। ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ମାତ୍ର ୨୦ ପଏଣ୍ଟର ବ୍ୟବଧାନ ରହିଛି। ସାମ୍ପ୍ରତିକ ମ୍ୟାଚ୍ଗୁଡ଼ିକରେ ଉଭୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଏହି ପଏଣ୍ଟ ବ୍ୟବଧାନକୁ ବେଶ୍ କମାଇ ଦେଇଛି।

Also Read: 'ସଚିନଙ୍କୁ ଟାର୍ଗେଟ୍ କରୁଛନ୍ତି ବିରାଟ, କିଛି ଭୁଲ କରୁନାହାଁନ୍ତି' : କାହିଁକି ଏମିତି କହିଲେ ରାହାଣେ ?

ନ୍ୟୁଜିଲାଣ୍ଡର ଡେରିଲ୍ ମିଚେଲ୍ (୭୯୪ ପଏଣ୍ଟ) ତୃତୀୟ ସ୍ଥାନରେ ରହିଥିବାବେଳେ ଭାରତୀୟ ଓପନର୍ ରୋହିତ ଶର୍ମା (୭୧୯ ପଏଣ୍ଟ) ଚତୁର୍ଥ ସ୍ଥାନରେ ଅଛନ୍ତି। ରୋହିତ ତିରୁଅନନ୍ତପୁରମରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ୩୫ ବଲରୁ ୩୨ ରନ କରିଥିଲେ। ଇଂଲଣ୍ଡ ବିପକ୍ଷ ଲିଡ୍ସ ଦିନିକିଆରେ ଶତକ ଅର୍ଜନ କରିଥିବା ଶ୍ରୀଲଙ୍କାର କୁଶଲ ମେଣ୍ଡିସ ତିନୋଟି ସ୍ଥାନ ଉନ୍ନତି ଘଟାଇ ସପ୍ତମ ସ୍ଥାନକୁ ଉଠିଛନ୍ତି।

ବୋଲିଂ ତାଲିକାରେ କୁଲଦୀପଙ୍କ ଦମଦାର୍ ଏଣ୍ଟ୍ରି

ବ୍ୟାଟିଂ ବ୍ୟତୀତ ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ଖେଳାଳିମାନେ ଚମକ ଦେଖାଇଛନ୍ତି। ଭାରତର ସ୍ପିନର୍ କୁଲଦୀପ ଯାଦବ ୬୨୩ ରେଟିଂ ପଏଣ୍ଟ ସହିତ ୪ଟି ସ୍ଥାନ ଉପରକୁ ଉଠି ସିଧାସଳଖ ଟପ୍-୫ (ପଞ୍ଚମ ସ୍ଥାନ)ରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନର ଷ୍ଟାର୍ ସ୍ପିନର୍ ରଶିଦ ଖାନ୍ ଏହି ତାଲିକାର ଶୀର୍ଷରେ ରହିଛନ୍ତି। କ୍ରିକେଟ୍ ପ୍ରେମୀଙ୍କ ନଜର ଏବେ ଆଗାମୀ ମ୍ୟାଚ୍ଗୁଡ଼ିକ ଉପରେ ରହିଛି, କାରଣ କୋହଲିଙ୍କ ଜବରଦସ୍ତ ଫର୍ମ ଦେଖିଲେ ଯେକୌଣସି ମୁହୂର୍ତ୍ତରେ ସେ ଶୁଭମନ ଗିଲ୍‌ଙ୍କୁ ପଛରେ ପକାଇ ନମ୍ବର-୧ ସ୍ଥାନ ଅଧିକାର କରିପାରନ୍ତି।

Also Read: Asian Games 2026: ଏହି ଦିନ ଭାରତ ଓ ପାକିସ୍ତାନ ଖେଳିବେ ସେମି ଫାଇନାଲ୍, ଜାଣି ରଖନ୍ତୁ ପୂରା ସିଡ୍ୟୁଲ୍