ନୂଆଦିଲ୍ଲୀ, ୧୦ /୦୩: ଟି୨୦ ବିଶ୍ୱକପରେ ଭାରତ ବିଜୟୀ ହୋଇଛି । ଦଳ ତିନି ଥର ଚାମ୍ପିଅନ୍ ହେବାରେ ରେକର୍ଡ ପ୍ରତିଷ୍ଠା କରିଛି । ଏହାସହ ଟ୍ରଫିକୁ ନିଜ ପାଖରେ ରଖିବାରେ ସଫଳ ହୋଇଛି ଡିଫେଣ୍ଡିଂ ଚାମ୍ପିଅନ୍ । ତେବେ ଶେଷ ତିନୋଟି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିଲେ ଓପନର ସଞ୍ଜୁ ସାମସନ । ପ୍ରଥମେ ତାଙ୍କୁ ସୁଯୋଗ ମିଳୁନଥିଲା । ଯେବେ ମିଳିଲା ସେ ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଲେ । ଏବେ ସଞ୍ଜୁଙ୍କୁ ଚୟନ ନେଇ ମୁହଁ ଖୋଲିଛନ୍ତି କୋଚ୍ ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି ଯେ, ପ୍ରଥମେ କିଛି ମ୍ୟାଚରେ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇ ନଥିଲା । ଏହା ଦଳର ଏକ ଷ୍ଟ୍ରାଟେଜି ଥିଲା । ପରେ ତାଙ୍କୁ ସାମିଲ କରିଥିଲା ଟିମ୍ । ବିପକ୍ଷ ଦଳର ସ୍ପିନ୍ ବୋଲିଂ ନୁହେଁ ବରଂ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସଞ୍ଜୁଙ୍କୁ ପରେ ଦଳରେ ନିଆଯାଇଥିଲା ।

ଗମ୍ଭୀର ଆହୁରି କହିଛନ୍ତି ଯେ, ଦଳର ବ୍ୟାଟିଂକୁ ଅଧିକ ଶକ୍ତିଶାଳୀ ଏବଂ ମଜବୁତ କରିବା ପାଇଁ ଯୋଜନା ହୋଇଥିଲା । ପ୍ରଥମ ୬ ଓଭରରେ ଅଧିକରୁ ଅଧିକ ରନ୍ ସଂଗ୍ରହର ଆବଶ୍ୟକତା ଥିଲା । ପାଓ୍ୱାରପ୍ଲେରେ ବିପକ୍ଷ ଦଳ ବିରୋଧରେ ବଡ ସ୍କୋର ପାଇଁ ନୂଆ ବ୍ୟାଟର ଦରକାର ହୋଇଥିଲେ ।

ସେ ଆହୁରି କହିଛନ୍ତି ଯେ, ସଞ୍ଜୁଙ୍କ ପ୍ରତିଭାକୁ ନେଇ କାହା ମନରେ ସନ୍ଦେହ ନାହିଁ । ସେ ଜଣେ ଭଲ ବ୍ୟାଟର । ପାଓ୍ୱାର ପ୍ଲେରେ ଦ୍ରୁତ ରନ୍ ସଂଗ୍ରହ କରିବା ତାଙ୍କୁ ଭଲକରି ଆସେ । ପ୍ରଥମ ତିନି ଜଣ ବ୍ୟାଟର ଅର୍ଥାତ ଅଭିଷେକ, ସଞ୍ଜୁ ଏବଂ ଇଷାନଙ୍କ ବ୍ୟାଟ୍ ଚାଲିଲେ ଦଳ ବଡ ସ୍କୋରରେ ପହଁଚିପାରିବ । କିନ୍ତୁ ପ୍ରଥମେ ଦଳର ଷ୍ଟ୍ରାଟେଜି ଭିନ୍ନ ଥିଲା ।

ଭାରତୀୟ ଦଳର ମୁଖ୍ୟ କୋଚ୍ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ବ୍ୟକ୍ତି ଭାରତୀୟ ଦଳରେ ଅଧିକ ବାମହାତୀ ବ୍ୟାଟର ଥିଲେ । ତେଣୁ ସଞ୍ଜୁଙ୍କୁ ସାମିଲ କରାଯାଇଥିବା କହୁଛନ୍ତି । ଯାହା ଠିକ୍ ନୁହେଁ । ବରଂ ଦଳକୁ ଜଣେ ଭଲ ବ୍ୟାଟରର ଆବଶ୍ୟକତା ଥିଲା । ଯିଏ ସମସ୍ତ ବୋଲରଙ୍କୁ ପ୍ରହାର କରିପାରିବେ । ଟିମ୍ ରେ ସାମିଲ ନହୋଇଥିବା ବେଳେ ସେ ସଞ୍ଜୁଙ୍କ ସହ ଲଗାତାର ଭାବେ ସେ ଆଲୋଚନା କରୁଥିଲେ । ଡ୍ରେସିଂ ରୁମର ମାହୋଲ ଭଲ ଥିଲା । ଲଗାତାର ଭାବେ ମିଟିଂ କରାଯାଉଥିଲା । ଯାହା ବିଜୟରେ ମୁଖ୍ୟ ଭୂମିକା ନେଇଥିବା କୋଚ୍ କହିଛନ୍ତି ।