କଲମ୍ବୋ, ୨୫/୦୮ : କଲମ୍ବୋରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ବିଶୃଙ୍ଖଳିତ ଆଚରଣ ପାଇଁ ଭାରତର ଓପନର ଯଶସ୍ୱୀ ଜୈଶ୍ୱାଲ ଓ ଶ୍ରୀଲଙ୍କା ପେସ୍ ବୋଲର ଆସିଥା ଫର୍ଣ୍ଣାଣ୍ଡୋ ଦଣ୍ଡିତ ହୋଇଛନ୍ତି। ଉଭୟ ୨୫% ଲେଖାଏଁ ମ୍ୟାଚ୍ ଫି ବା ପାଉଣା ହରାଇଛନ୍ତି।

ପ୍ରଥମ ଦିବସରେ ଉଭୟ ଗ୍ରାଉଣ୍ଡ ଭିତରେ ଲଢ଼େଇ କରିଥିଲେ। ଆସିଥାଙ୍କ ବଲ୍ରେ ଜୈଶ୍ୱାଲ ଆଉଟ୍ ହୋଇଥିଲେ। ଏହି ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଜୈସ୍ବାଲ ପାଭିଲିୟନ ଫେରୁଥିବା ସମୟରେ ଆସିଥା ତାଙ୍କୁ କିଛି କହିଥିଲେ। ଏଥିରେ ବିରକ୍ତ ହୋଇ ଜୈଶ୍ୱାଲ୍ ତାଙ୍କ ନିକଟକୁ ମାଡ଼ି ଆସିଥିଲେ। ଆସିଥା ମଧ୍ୟ ଜବାବ ଦେବାକୁ ଆଗେଇଥିଲେ।

ଜୈଶ୍ୱାଲ ପିନ୍ଧିଥିବା ହେଲମେଟରେ ଆସିଥାଙ୍କୁ ଧକ୍କା ଦେଇଥିଲେ। ଭିଡ଼ିଓ ରିପ୍ଲେରେ ସମସ୍ତ ଘଟଣା ସ୍ପଷ୍ଟ ହେବା ପରେ ମ୍ୟାଚ ରେଫରୀ ଉଭୟଙ୍କୁ ଦଣ୍ଡିତ କରିଛନ୍ତି। ଉଭୟ ଆଇସିସି ଆଚାର ସଂହିତାର ୨.୧୨ ନିୟମ ଉଲ୍ଲଙ୍ଘନ କରିଥିବା ପ୍ରମାଣ ମିଳିବା ପରେ ୨୫% ମ୍ୟାଚ ପାଉଣା କାଟ୍ କରାଯାଇଛି । ଏହା ସହ ଗୋଟିଏ ଲେଖାଏଁ ଶୃଙ୍ଖଳା ପଏଣ୍ଟ ମଧ୍ଯ ଯୋଡ଼ା ଯାଇଛି। ସୂଚନାଯୋଗ୍ୟ, ଜୈଶ୍ୱାଲ୍ ପ୍ରଥମ ଇନିଂସରେ ୫୩ଟି ବଲ୍ରୁ ୪୫ ରନ କରି ଆଉଟ୍ ହୋଇଥିଲେ। ଆସିଥା ମଧ୍ୟ ପ୍ରଥମ ଇନିଂସରେ ୪ଟି ୱିକେଟ୍ ଅକ୍ତିଆର କରିଥିଲେ।

Also Read:-ବଢିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ, ଅଦାଲତି ନିର୍ଦ୍ଦେଶକୁ ବାରମ୍ବାର ଅବମାନନ କରିବା ପଡ଼ିଲା ମହଙ୍ଗା

ଯଶସ୍ୱୀଙ୍କ କ୍ୟାରିୟରରେ ପୂର୍ବରୁ ମଧ୍ୟ ଏପରି ମାମଲା ସାମ୍ନାକୁ ଆସିସାରିଛି । ୨୦୨୨ ଦୁଲୀପ ଟ୍ରଫି ଫାଇନାଲରେ ୱେଷ୍ଟ ଜୋନ୍ ପକ୍ଷରୁ ଖେଳୁଥିବା ସମୟରେ ସାଉଥ୍ ଜୋନରଟି. ରବି ତେଜାଙ୍କ ସହ ତାଙ୍କର ବାରମ୍ବାର ପାଟିତୁଣ୍ଡ ହୋଇଥିଲା । ଅମ୍ପାୟାରଙ୍କ ଚେତାବନୀ ସତ୍ତ୍ୱେ ବିବାଦ ଜାରି ରହିବାରୁ ଅଧିନାୟକ ଅଜିଙ୍କ୍ୟ ରହାଣେ ନିଜେ ଯଶସ୍ୱୀଙ୍କୁ ପଡ଼ିଆ ବାହାରକୁ ପଠାଇ ଦେଇଥିଲେ । ରହାଣେ ପରେ କହିଥିଲେ ଯେ ମ୍ୟାଚ୍ ରେଫରୀ ଯଶସ୍ୱୀଙ୍କ ଉପରେ ୪ଟି ମ୍ୟାଚର ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଅଧିନାୟକଙ୍କ ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସେହି ଦଣ୍ଡ ଲାଗୁ ହୋଇନଥିଲା ।