ଅହମ୍ମଦାବାଦ: ଆଇସିସିର ଗୁରୁତ୍ୱପୂର୍ଣ୍ଣବୋର୍ଡ ବୈଠକ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଟେଷ୍ଟ କ୍ରିକେଟରେ ବ୍ୟାଡ୍ ଲାଇଟ୍ ସମସ୍ୟାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପରେ ପିଙ୍କ୍ ବଲ୍ ବ୍ୟବହାରର ଟ୍ରାୟଲ୍‌କୁ ମଞ୍ଜୁରି ଦିଆଯାଇଛି । ଯଦି କୌଣସି ମ୍ୟାଚ୍‌ ବ୍ୟାଡ୍ ଲାଇଟ୍ ଯୋଗୁଁ ଖେଳ ବାଧାପ୍ରାପ୍ତ ହେବାର ସମ୍ଭାବନା ଥାଏ, ତେବେ ଉଭୟ ଦଳର ସହମତିରେ ପିଙ୍କ୍ ବଲ୍ ବ୍ୟବହାର କରାଯାଇପାରିବ । ଏହାସହିତ ଆଇସିସି, ଏମ୍‌ସିସି ସହିତ ମିଶି ଲାଇଟିଂ ଟେକ୍ନୋଲୋଜି ଉପରେ ଗବେଷଣା ପାଇଁ ପାଣ୍ଠି ଯୋଗାଇବ ।

ଏହି ବୈଠକରେ ଆଇସିସି ସଦସ୍ୟତାର ସର୍ତ୍ତାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ କ୍ରିକେଟ୍ କାନାଡାକୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି । ତେବେ କାନାଡାର ସଦସ୍ୟତା ସ୍ଥଗିତ ରହିଥିଲେ ମଧ୍ୟ ଖେଳାଳିଙ୍କ ସ୍ୱାର୍ଥ ରକ୍ଷା ପାଇଁ କାନାଡାର ନ୍ୟାସନାଲ୍ ଟିମ୍‌କୁ ଆଇସିସି ଇଭେଣ୍ଟରେ ଭାଗ ନେବାକୁ ଅନୁମତି ମିଳିବ । ସେମାନଙ୍କୁ ମିଳୁଥିବା ଆର୍ଥିକ ଅନୁଦାନ ମଧ୍ୟ ଜାରି ରହିବ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ଏବେ ଡ୍ରିଙ୍କସ୍ ବ୍ରେକ୍ ସମୟରେ ଟିମର ମୁଖ୍ୟ କୋଚ୍ କିମ୍ବା ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି ଖେଳାଳିମାନଙ୍କ ସହ କଥା ହୋଇ ରଣନୀତି ପ୍ରସ୍ତୁତ କରିପାରିବେ । ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଦୁଇଟି ଇନିଂସ ମଧ୍ୟରେ ୧୫ ମିନିଟର ବିରତିକୁ ବାଧ୍ୟତାମୂଳକ କରାଯାଇଛି । ଏହା ବ୍ୟତୀତ, 'ଲେଗ୍-ସାଇଡ୍ ୱାଇଡ୍' ଟ୍ରାଲୟକୁ ସ୍ଥାୟୀ ଭାବେ ଗ୍ରହଣ କରାଯାଇଛି । ଏହି ନିୟମରେ ବଲ୍ ପକାଇବା ସମୟରେ ବ୍ୟାଟର ପୋଜିସନକୁ ରେଫରାନ୍ସ ପଏଣ୍ଟ ଧରାଯିବ । ସନ୍ଦେହଜନକ ବୋଲିଂ ଆକ୍ସନ ଯାଞ୍ଚ ପାଇଁ 'ହକ୍-ଆଇ' (Hawk-Eye) ଡାଟା ବ୍ୟବହାରକୁ ମଧ୍ୟ ଅନୁମତି ଦିଆଯାଇଛି ।

ମହିଳା କ୍ରିକେଟ୍ କ୍ଷେତ୍ରରେ ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ୨୦୨୭ ଆଇସିସି ମହିଳା ଚାମ୍ପିଅନ୍ସ ଟ୍ରଫିକୁ ପୂର୍ବ ନିର୍ଦ୍ଧାରିତ ଜୁନ୍-ଜୁଲାଇ ବଦଳରେ ଏବେ ୨୦୨୭ ଫେବ୍ରୁଆରୀ ୧୪ରୁ ୨୮ ମଧ୍ୟରେ ଆୟୋଜନ କରାଯିବ । ୨୦୨୬ ମସିହାରେ ୧୦ଟି ଦଳକୁ ନେଇ 'ମହିଳା ଇମର୍ଜିଂ ନେସନ୍ସ ଟ୍ରଫି' ଆରମ୍ଭ କରାଯିବ । ୨୦୨୮ ମହିଳା ଟି-୨୦ ବିଶ୍ୱକପ୍ ପାକିସ୍ତାନରେ ଆୟୋଜନ ହେବ ଏବଂ ଭାରତର ସମସ୍ତ ମ୍ୟାଚ୍ ନ୍ୟୁଟ୍ରାଲ୍ ସ୍ଥାନରେ ଖେଳାଯିବ । ବଢୁଥିବା ଫ୍ରାଞ୍ଚାଇଜ୍ କ୍ରିକେଟ୍ ଲିଗ୍ ଏବେ ଆନ୍ତର୍ଜାତିକ କ୍ରିକେଟ୍ ସହ ଯେପରି ସନ୍ତୁଳନ ରକ୍ଷା କରିପାରିବ, ସେଥିପାଇଁ ଆଇସିସି ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି । ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି ଯେ ଏହି ସବୁ ପଦକ୍ଷେପ କ୍ରିକେଟକୁ ଅଧିକ ରୋମାଞ୍ଚକର କରିବ ।