ଲକ୍ଷ୍ନୌ: ରାମ ମନ୍ଦିରର ଦାନ ଚୋରି ମାମଲା କୋଟି କୋଟି ରାମ ଭକ୍ତଙ୍କ ଭାବନାକୁ କଠୋର ଆଘାତ ଦେଇଛି । ଏହି ମାମଲାରେ ବିବାଦ ଛନ୍ଦି ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପୟ ରାୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏବେ ପ୍ରଥମ ଥର ପାଇଁ ସେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ରାମଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରି ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।

ସେ ନିଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଶ୍ରୀରାମଚରିତମାନସର ଏକ ଚୌପାଈ, “ଧୀରଜ ଧର୍ମ ମିତ୍ର ଅରୁ ନାରୀ, ଆପଦା କାଳ ପରିଖିଅହିଁ ଚାରୀ” (ଧୈର୍ଯ୍ୟ, ଧର୍ମ, ମିତ୍ର ଓ ନାରୀ ଏହି ଚାରିଜଣଙ୍କୁ ବିପତ୍ତି ସମୟରେ ହିଁ ପରଖାଯାଏ) ସହିତ ଏହି ପତ୍ରଟିକୁ ସେୟାର କରିଛନ୍ତି ।

ଚମ୍ପତ ରାୟ ପତ୍ରରେ ଲେଖିଛନ୍ତି, "ଗତ ଜୁନ୍ ୭ରୁ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରର ଦାନପାତ୍ର ଗଣତି ସମୟରେ ହୋଇଥିବା କଥିତ ଚୋରିକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ଚାଲିଛି । ବ୍ୟକ୍ତିଗତ ଭାବେ ମୋ ଉପରେ ମଧ୍ୟ ଅନେକ ଅଯଥା ଅଭିଯୋଗ ଲଗାଯାଇଛି । ତେଣୁ ମୁଁ ବର୍ତ୍ତମାନ ମୌନ ବ୍ରତ ଧାରଣ କରିଛି ।"

ସେ ଆହୁରି କହିଛନ୍ତି, ୬ ଜୁଲାଇରେ ହୋଇଥିବା ମନ୍ଦିର ଟ୍ରଷ୍ଟର ବୈଠକରେ SIT ର ପ୍ରାଥମିକ ରିପୋର୍ଟ ଉପସ୍ଥାପନ କରାଯାଇଥିଲା, ଯାହା ଏବେ ସାର୍ବଜନୀନ ହୋଇସାରିଛି । ଚମ୍ପତ ରାୟ ନିଜ ପତ୍ରରେ ଆଶ୍ୱାସନା ଦେଇ ଲେଖିଛନ୍ତି, "ଏସଆଇଟିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ, ମୋ ବିରୋଧରେ କରାଯାଉଥିବା ସମସ୍ତ ପ୍ରଚାରର ମୁଁ କ୍ରମାନ୍ୱୟରେ ଜବାବ ଦେବି ଏବଂ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ।"

 

ନିଜର ଦୀର୍ଘ ସାମାଜିକ ଜୀବନ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, "ସଂଗଠନ ମୋତେ ୧୯୯୧ ମସିହାରେ ଅଯୋଧ୍ୟା ପଠାଇଥିଲା । ମୁଁ ବିଗତ ୪୫ ବର୍ଷ ହେବ ଜଣେ ପ୍ରଚାରକ ଭାବେ କାର୍ଯ୍ୟ କରୁଛି । ମୁଁ ଯେଉଁଠି ବି ରହିଛି, ମୋର ଜୀବନ ଏକ ଖୋଲା ବହି ସଦୃଶ । ସମସ୍ତଙ୍କୁ ଆଦରର ସହ ନମସ୍କାର।"

ଚମ୍ପତ ରାୟଙ୍କର ଏହି ବୟାନ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ତାଙ୍କର ଇସ୍ତଫା ଗ୍ରହଣ କରାଯିବାର ଗୋଟିଏ ଦିନ ପରେ ଆସିଛି । ଟ୍ରଷ୍ଟ ଅନିଲ ମିଶ୍ରଙ୍କ ଇସ୍ତଫା ପତ୍ର ମଧ୍ୟ ଗ୍ରହଣ କରିଛି । ଏବେ ଚମ୍ପତ ରାୟଙ୍କ ସ୍ଥାନରେ କୃଷ୍ଣ ମୋହନଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଅନ୍ତରୀଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।