ଲଣ୍ଡନ ୧।୩: ଇରାନ ଉପରେ ଆକ୍ରମଣକୁ ନେଇ ଉପସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ଗତିବିଦ୍ଧି ପ୍ରଭାବିତ ହୋଇଛି। ଜାହାଜ ଟ୍ରାକିଂ ଡାଟା ଅନୁସାରେ ଅନୁନ୍ୟ ୧୫୦ଟି ତୈଳ ଟ୍ୟାଙ୍କର ଷ୍ଟ୍ରେଟ ଅଫ ହରମୁଜ ଆଗକୁ ଖୋଲା ସମୁଦ୍ରରେ ଲଙ୍ଗର ପକାଇ ଛିଡା ହୋଇଛନ୍ତି। ଏଥିରେ ଅଶୋଧିତ ତୈଳ ଓ ଏଲଏନଜି ବୋଝେଇ ନେଇ ଯାଉଥିବା ଜାହାଜ ମଧ୍ୟ ଅଛନ୍ତି। ସୂଚନା ଅନୁସାରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ କ୍ଷେତ୍ରରେ ଅନିଶ୍ଚିତତା ବଢି ଯାଇଛି। ଏଣୁ ଜାହାଜମାନେ ସାଉଦୀ ଆରବ ଓ କତାର ଉପକୂଳରେ ଛିଡା ହୋଇ ରହିଛନ୍ତି।

ମେରାଇନ ଟ୍ରାଫିକ ଡାଟା ଅନୁସାରେ ଅନେକ ପୋତ କ୍ୱେତ ଓ ୟୁଏଇର ବିଶେଷ ଆର୍ଥିକ କ୍ଷେତ୍ର (ଇଇଜେଡ)ମଧ୍ୟରେ ରହିଛନ୍ତି। ବୈଶ୍ୱିକ ତୈଳ ଯୋଗାଣର ୨୦% ଷ୍ଟ୍ରେଟ ଅଫ ହରମୁଜ ହୋଇ ଯାଇଥାନ୍ତି। ଏଥିରେ ସାଉଦୀ ଆରବ, ୟୁଏଇ, ଇରାକ, କ୍ୱେତ ଓ ଇରାନ ତୈଳ ମଧ୍ୟ ପରିବହନ ହୋଇଥାଏ। ଏହା ଛଡା ଏହି ମାର୍ଗରେ କତାରରୁ ବିପୁଳ ଏଲଏନଜି ମଧ୍ୟ ପରିବହନ ହୋଇଥାଏ। ତଥ୍ୟ ଅନୁସାରେ ଷ୍ଟ୍ରେଟ ଅଫ ହରମୁଜ ବାହାରେ ୟୁଏଇ ଏବଂ ଓମାନ ଉପକୂଳରେ ପାଖାପାଖି ୧୦୦ ଟ୍ୟାଙ୍କର ଲଙ୍ଗର ପକାଇ ରହିଛନ୍ତି।

ସୂତ୍ର ଅନୁସାରେ ଅନେକ ଟ୍ୟାଙ୍କର ମାଲିକ ଓ ଇନ୍ଧନ କମ୍ପାନୀମାନେ ଆକ୍ରମଣ ପରେ ହର୍ମୁଜ ମାର୍ଗରେ ଅଶୋଧିତ ତୈଳ, ଏଲଏନଜି ପରିବହନ ଅସ୍ଥାୟୀ ରୂପେ ଅଟକାଇ ଦେଇଛନ୍ତି। ଏହା ଛଡା ଇରାନ ପକ୍ଷରୁ ନେଭିଗେସନ ବନ୍ଦ କରିବାକୁ ଧମକ ମଧ୍ୟ ସାମ୍ନାକୁ ଆସିଛି। ତେବେ ଅନ୍ତର୍ଜାତୀୟ ସାମୁଦ୍ରିକ ପ୍ରାଧିକରଣ ଏପର୍ଯ୍ୟନ୍ତ ଔପଚାରିକ ନିଲମ୍ବନ ପୁଷ୍ଟି କରି ନାହାନ୍ତି। ଏଥିରେ ବିଶେଷଜ୍ଞ କହିଛନ୍ତି ଯେ ଯଦି ଉତ୍ତେଜନା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହେ ତେବେ ଏହାର ପ୍ରଭାବ ବୈଶ୍ୱିକ ଇନ୍ଧନ ବଜାର ସମୁ୍ଦର ବ୍ୟାପାର ଉପରେ ବ୍ୟାପକ ରୂପେ ପଡିବ।