ୱାସିଂଟନ: ଆମେରିକୀୟ ମହାକାଶ ସଂସ୍ଥାନ (ନାସା) ଆର୍ଟିମିସ୍-୨ର ସଫଳତା ପରେ ଏହାର ପରବର୍ତ୍ତି ପର୍ଯ୍ୟାୟ ପାଇଁ କାମ ଆରମ୍ଭ କରିଛନ୍ତି। ତେବେ ନୂଆ ମିସନ ପିଛିଲା ମିସନଠାରୁ ସମ୍ପୂର୍ଣ୍ଣ ପୃଥକ ହେବ। ଆର୍ଟିମିସ-୨ରେ ୫୦ ବର୍ଷ ପରେ ମଣିଷଙ୍କୁ ପୁଣି ଥରେ ଚନ୍ଦ୍ର କକ୍ଷକୁ ପଠାଯାଇଥିଲା,ହେଲେ ଆଗାମୀ ମିସନରେ ଚନ୍ଦ୍ର ପୃଷ୍ଠରେ ମାନବ ଅବତରଣ କରିବ। ସାଇନ୍ସ ଡେଲି ରିପୋର୍ଟ ଅନୁସାରେ ଏହି ମିସନ ୨୦୨୭ରେ ଲଞ୍ଚ ହେବ।

ତେବେ ନୂଆ ମିସନ ହାତକୁ ନେବା ପୂର୍ବରୁ ନାସା ଆର୍ଟିମିସ୍-୨ ମିସନର ଡାଟାକୁ ଟିକନିକ୍ ଯାଞ୍ଚ କରିବା ଆରମ୍ଭ କରିଛି। ଆର୍ଟିମିସ-୨ ମିସନ ସଫଳ ହୋଇଛି। ଏହି ମିସନର ସଫଳତା ସହିତ ଭବିଷ୍ୟତରେ ହେବାକୁ ଥିବା ମିସନର ରାସ୍ତା ମଧ୍ୟ ଖୋଲିଛି। ଆର୍ଟିମିସ-୩ ମିସନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚନ୍ଦ୍ରରେ ଅବସ୍ଥାନ କରିବା, ଗବେଷଣା କରିବା ଓ ମଙ୍ଗଳ ଗ୍ରହକୁ ମଣିଷ ପଠାଇବା ଆଦି ଗବେଷଣା ମଧ୍ୟ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଆର୍ଟିମିସ୍-୨ ମିସନରେ ଓରିୟନ ସ୍ପେସ୍ କ୍ରାଫ୍ଟ ପାଖାପାଖି ୬୯୪,୪୮୧ଲକ୍ଷ ମାଇଲ ଯାତ୍ରା ପୁରା କରିଛି। ଏହା ପରେ ପୃଥିବୀକୁ ଦ୍ରୁତଗତିରେ ଫେରିଛି। ଏଥି ପାଇଁ ଥର୍ମାଲ ପ୍ରୋଟେକ୍ସନ ସହିତ ହିଟ ସିଲ୍ଡ ମଧ୍ୟ ଆଶାନୁରୂପ କାମ କରିଛି।

ଏହି ମିସନରେ ନାସାର ଶକ୍ତିଶାଳୀ ସ୍ପେସ୍ ଲଞ୍ଚ ସିଷ୍ଟମ (ଏସଏଲଏସ) ମଧ୍ୟ ସଫଳ ହୋଇଛି। ଏହି ରକେଟ ଆର୍ଟିମିସ୍ ୨ କୁ ମହାକାଶକୁ ନେଇଯାଇଥିଲା। ଏହି ରକେଟ ଓରିୟନକୁ ସଠିକ ଟ୍ରାଜେକ୍ଟରୀରେ ସ୍ଥାପନ କରିଥିଲା। ଏହି ସ୍ପେସ୍ କ୍ରାଫ୍ଟ ପ୍ରତି ଘଣ୍ଟା ୧୮,୦୦୦ ମାଇଲ ବେଗରେ ଗତି କରିଥିଲା। ଆର୍ଟିମିସ-୨ର ସଫଳତାରୁ ନାସା ସ୍ପଷ୍ଟ ହୋଇଛନ୍ତି ଯେ ମଣିଷ ପୁଣିଥରେ ଚନ୍ଦ୍ରକୁ ପଠାଯାଇ ପାରିବ। ଏହି ଦିଗରେ ଆଗକୁ ପାଦ ବଢାଇ ନାସା ଆର୍ଟିମିସ-୩ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ୨୦୨୭ରେ ଲଞ୍ଚ କରାଯିବ।