ନୂଆଦିଲ୍ଲୀ: ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ପ୍ରତିବର୍ଷ ଜମା ହେଉଥିବା ପର୍ବତାରୋହୀଙ୍କ ମୂତ୍ର (Urine) ଯୋଗୁଁ ଖୁମ୍ବୁ ଗ୍ଲେସିୟରରୁ ବହୁ ପରିମାଣର ବରଫ ତରଳିବାରେ ଲାଗିଛି। 'Regional Environmental Change' ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଗ୍ଲେସିୟର ଉପରେ ହେଉଥିବା ମାନବୀୟ କାର୍ଯ୍ୟକଳାପ ବରଫ ତରଳିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି। ଗତ ୨୦୨୬ ଅଗଷ୍ଟ ୨୬ ରେ ନେପାଳରେ ଘଟିଥିବା ଭୟଙ୍କର ଆକସ୍ମିକ ବନ୍ୟା ଓ ଗ୍ଲେସିୟର ହ୍ରଦ ବିସ୍ଫୋରଣ (GLOF) ପଛରେ ଏହି ଅସନ୍ତୁଳନକୁ ମୁଖ୍ୟ କାରଣ ଭାବେ ଦେଖାଯାଉଛି।

ଉଚ୍ଚତା ଯୋଗୁଁ ପର୍ବତାରୋହୀମାନେ ଅଧିକ ପାଣି ପିଅନ୍ତି। ୨୦୨୩ ସିଜନ୍‌ରେ ପ୍ରତିଦିନ ହାରାହାରି ୬,୭୬୬ ଲିଟର ପରିସ୍ରା ହୋଇଥିଲା। ଶରୀରରୁ ନିର୍ଗତ ମୂତ୍ରର ତାପମାତ୍ରା ପ୍ରାୟ ୩୭ ଡିଗ୍ରୀ ସେଲ୍‌ସିୟସ୍ ଥାଏ। ଗବେଷକଙ୍କ ଅନୁଯାୟୀ, କେବଳ ଏହି ମୂତ୍ରର ଉତ୍ତାପ ଯୋଗୁଁ ଗୋଟିଏ ସିଜନ୍‌ରେ ପ୍ରାୟ ୧୫୪ ଟନ୍ ବରଫ ତରଳିଯାଇଛି। ମୂତ୍ର ଅପେକ୍ଷା ବେସ୍ କ୍ୟାମ୍ପ୍‌ରେ ବ୍ୟବହୃତ ହେଉଥିବା ଜାଳେଣି ସବୁଠାରୁ ବଡ଼ ସଙ୍କଟ ସୃଷ୍ଟି କରୁଛି।

୮୨୪ ଟି LPG ସିଲିଣ୍ଡର, ୧୮,୯୩୫ ଲିଟର କିରୋସିନ୍ ଏବଂ ୫,୧୩୦ ଲିଟର ଗ୍ୟାସୋଲିନ୍ ରନ୍ଧନ, ଗରମ ପାଣି ଓ ବିଦ୍ୟୁତ୍ ପାଇଁ ବ୍ୟବହାର କରାଯାଇଥିଲା। ମାନବ ସୃଷ୍ଟ ଉତ୍ତାପ ଯୋଗୁଁ ତରଳୁଥିବା ବରଫ ମଧ୍ୟରୁ ୯୪% ଜାଳେଣି ଯୋଗୁଁ ଏବଂ ୬% ମୂତ୍ର ଯୋଗୁଁ ହୋଇଥାଏ। ବେସ୍ କ୍ୟାମ୍ପ୍ ଅଞ୍ଚଳର ପୃଷ୍ଠଭାଗ ତାପମାତ୍ରା ବାର୍ଷିକ ୦.୨୮ ଡିଗ୍ରୀ ସେଲ୍‌ସିୟସ୍ ବୃଦ୍ଧି ପାଉଛି, ଯାହା ଅନ୍ୟାନ୍ୟ ଗ୍ଲେସିୟର ଅପେକ୍ଷା ଅଧିକ। ଗବେଷକମାନେ ବେସ୍ କ୍ୟାମ୍ପ୍‌କୁ South-west ଦିଗକୁ ସ୍ଥାନାନ୍ତର କରିବା ସହ ସୌରଶକ୍ତି ବ ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି।