ନୂଆଦିଲ୍ଲୀ: ଲସ୍କର-ଏ-ତୋଏବାର ଆତଙ୍କବାଦୀ ଉସମାନ ଜୁଟ୍ ଏକ ବଡ଼ ମିଶନରେ ଭାରତ ଆସିଥିଲା । କିନ୍ତୁ ନିଜର ଚେହେରା ଓ ସୁନ୍ଦରତା ଚକ୍କରରେ ମିଶନ ଅଧାରେ ରହିଗଲା । ସେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରି ଏଠାରେ ଏକ 'ସ୍ଲିପର ସେଲ୍' ଗଠନ କରିବାକୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ସେ ନିଜର ମିଶନକୁ ପଛରେ ପକାଇ ଶ୍ରୀନଗରର ଏକ ମେଡିକାଲ କ୍ଲିନିକରେ ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ପହଞ୍ଚିଥିଲା ।

କେବଳ ଉସମାନ ନୁହେଁ, ଏମିତି ଅନେକ ଆତଙ୍କବାଦୀ ଅଛନ୍ତି ଯେଉଁମାନେ ମିଶନ ଅପେକ୍ଷା ନିଜ ଚେହେରାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ବାଂଲାଦେଶରେ ଲସ୍କରର ଏକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ଶବିର ଅହମ୍ମଦ ଲୋନ ନାମକ ଆଉ ଜଣେ ଆତଙ୍କବାଦୀକୁ ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ସେ ମଧ୍ୟ ଗୁରୁଗ୍ରାମର ଏକ ପ୍ରାଇଭେଟ୍ କ୍ଲିନିକରେ ଦାନ୍ତର ଚିକିତ୍ସା କରାଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ନିଜ ଚାର୍ଜସିଟ୍‌ରେ ଏହି ସବୁ ବିଷୟ ଉଲ୍ଲେଖ କରିବାକୁ ଯାଉଛି ।

କେବଳ ସୁନ୍ଦରତା ପାଇଁ ନା ଚେହେରା ଲୁଚାଇବାର ଷଡ଼ଯନ୍ତ୍ର ?

ତଦନ୍ତକାରୀଙ୍କ ସୂଚନା ଅନୁସାରେ, ଏହି ମେକଓଭର୍ କେବଳ ସୁନ୍ଦର ଦେଖାଯିବା ପାଇଁ ନୁହେଁ ବରଂ ସୁରକ୍ଷା ଏଜେନ୍ସିଗୁଡ଼ିକର ନଜର, ସର୍ଭେଲାନ୍ସ ଏବଂ ଫେସିଆଲ୍ ରେକୋଗିନେସନ ସିଷ୍ଟମରୁ ବଞ୍ଚିବା ପାଇଁ ଏକ ଚତୁର ରଣନୀତି ହୋଇପାରେ । ଅଧିକାରୀଙ୍କ ଅନୁସାରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଚେହେରା ବଦଳାଇ ନକଲି ପାସପୋର୍ଟ ତିଆରି କରିବା ଏବଂ ସହଜରେ ଅନ୍ତର୍ଜାତୀୟ ସୀମା ପାର୍ ହେବା । ଏହି ଆତଙ୍କବାଦୀମାନେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ୍ ମୀରଠାରୁ ପ୍ରେରଣା ପାଇଛନ୍ତି । ବହୁ ବର୍ଷ ପୂର୍ବେ ମୀର ନିଜ ଚେହେରା ବଦଳାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଥିଲା ।

ପୋଲିସ ପଚରାଉଚରା ବେଳେ ଲସ୍କର ଆତଙ୍କବାଦୀ ଉସମାନ ଜୁଟ୍ ସ୍ୱୀକାର କରିଛି ଯେ, ଚୁଟି ଝଡ଼ିବା ଯୋଗୁଁ ତାର ଆତ୍ମବିଶ୍ୱାସ ସମ୍ପୂର୍ଣ୍ଣ କମିଯାଇଥିଲା । ଟ୍ରେନିଂ କ୍ୟାମ୍ପରେ ତାକୁ ଯେଉଁ ପ୍ରକାର ଉଗ୍ର ଚିନ୍ତାଧାରା ଶିଖାଯାଇଥିଲା, ଭାରତରେ ତାର ବିପରୀତ ଦେଖିଥିଲା । ଭାରତର ସାଧାରଣ ଜୀବନଯାତ୍ରା ଓ ଶାନ୍ତିପୂର୍ଣ୍ଣ ବାତାବରଣ ଦେଖିବା ପରେ ତାର ସେହି ମାନସିକତା ଦୋହଲି ଯାଇଥିଲା । ଫଳରେ ସେ ନିଜର ଆତଙ୍କବାଦୀ ମିଶନ ଅପେକ୍ଷା ନିଜର ଚନ୍ଦାପଣ ଦୂର କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲା ।