ନୂଆଦିଲ୍ଲୀ: ୟେମେନର ଦୁର୍ଗମ ପାହାଡ଼ରୁ ବାହାରି ଲୋହିତ ସାଗରର ସବୁଠୁ ରଣନୈତିକ ଜଳମାର୍ଗ ‘ବାବ-ଅଲ-ମଣ୍ଡେଭ’ ଉପରେ ନିୟନ୍ତ୍ରଣ ହାସଲ କରିଥିବା ହୁତି ବିଦ୍ରୋହୀଙ୍କ ନୂଆ ଚାଲ ଏବେ ବୈଶ୍ୱିକ ଗୁଇନ୍ଦା ଏଜେନ୍ସୀଙ୍କ ନିଦ ହଜେଇ ଦେଇଛି। ଇରାନ ସମର୍ଥିତ ଏହି ଆତଙ୍କବାଦୀ ଗୋଷ୍ଠୀ ରେଡ ସିରେ ବୈଶ୍ୱିକ ସିପିଂ କୁ ରୋକିବା ଓ ସାଉଦୀ ଆରବର ଏନାର୍ଜୀ ପ୍ଲାଣ୍ଟ ଉପରେ ବଡ଼ ଧରଣର ଆକ୍ରମଣ ପରେ ଏବେ ଭୂ-ଭାଗରେ ଏକ ସୈନ୍ୟ ଅଭିଯାନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏଥର ସେମାନେ କୌଣସି ଡ୍ରୋନ ଅଥବା ରକେଟ ଆକ୍ରମଣ ବଦଳେ ୟେମେନରେ ଚୁପଚାପ ପ୍ରବେଶ କରୁଥିବା ପିକ୍ ଟ୍ରକ ଆଗାମୀ ମହାସଂଗ୍ରାମର ସତର୍କ ଘଣ୍ଟି ବଜେଇଲେଣି। ଗରିଲା ଯୁଦ୍ଧ ଉପାୟକୁ ବୁଝୁଥିବା ବିଶ୍ଲେଷକ ୟେମେନରେ ସିଭିଲିୟାନ ବାହନର ବଢୁଥିବା ଯାତାୟାତକୁ ଏବେ ବିପଦ ସଂକେତ ଭାବେ ଦେଖିବା ଆରମ୍ଭ କଲେଣି। ଗତ ସାଢେ ୪ ବର୍ଷରେ ୟେମେନକୁ ୩୮,୭୦୦ ଟୋୟୋଟା ପିକଅପ୍ ଭ୍ୟାନ ପହଞ୍ଚିଛି। ଖାସ କରି ଲ୍ୟାଣ୍ଡ କ୍ରୁଜର ଓ ହିଲକ୍ସ ବିକ୍ରି ଗତବର୍ଷ ବୃଦ୍ଧି ହୋଇଥିଲା।

ଗୋଟିଏ ପଟେ ସମୁଦ୍ରରେ ନାକାବନ୍ଦୀ ଯୋଗୁ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ପିକଅପ ସହିତ ହଜାର ହଜାର ହୁତୀଙ୍କ ଯୁଦ୍ଧ ଆହ୍ୱାନ ଏବେ ଚିନ୍ତାକୁ ବଢାଇଛି। ଏଥିରେ ସୈନ୍ୟ ରଣନୀତିକାରଙ୍କ ଅନୁସାରେ ଯେବେବି କୌଣସି ବଡ଼ ଯୁଦ୍ଧ ଘନାଇ ଆସେ ଗୁଇନ୍ଦା ଏଜେନ୍ସୀ କେବଳ ମିଜାଇଲ ଭଣ୍ଡାର ଅଥବା ଫଲସ୍ ଫ୍ଲାଗ୍ ଅପରେସନ ଉପରେ ନଜର ରଖନ୍ତିନି, ସେମାନଙ୍କ ରଣନୀତି ଉପରେ ମଧ୍ୟ ଶାଗୁଣା ନଜର ରଖିଥାନ୍ତି। ହେଲେ ଏଥର ଗୁଇନ୍ଦା ଏଜେନ୍ସୀଙ୍କୁ ସେଭଳି କୌଣସି ସୂଚନା ମିଳି ନାହିଁ।

ଅନ୍ୟପଟେ କାଲାସନିକୋଭ (ଏକେ-୪୭) ଯେପରି ବିଦ୍ରୋହୀଙ୍କ ପ୍ରଥମ ପସନ୍ଦ ଠିକ୍ ସେହିପରି ଟ୍ରାନ୍ସପୋର୍ଟ ଦୁନିଆ ଟୟୋଟା ହିଲକ୍ସ ଓ ଲ୍ୟାଣ୍ଡକ୍ରୁଜର ହୁତିଙ୍କ ପ୍ରଥମ ପସନ୍ଦ ପାଲଟିଛି। ଇରାକରେ ଆଇଏସଆଇଏସ ଆତଙ୍କୀଙ୍କଠାରୁ ଆରମ୍ଭ କରି ଆଫ୍ରିକା ଗୃହ ଯୁଦ୍ଧ ପର୍ଯ୍ୟନ୍ତ ଏହି ଟ୍ରକ୍ ସବୁ ଯୁଦ୍ଧ କ୍ଷେତ୍ରରେ ନିଜର ଉପଯୋଗୀତା ସାବ୍ୟସ୍ତ କରିଛନ୍ତି। ଏଗୁଡିକର ମଜଭୁତ ନିର୍ମାଣ ଶୈଳୀ, ମରୁଭୂମିରେ ବାଲି ପାହାଡକୁ ସହଜରେ ଅତିକ୍ରମ କରିବାର କ୍ଷମତା ସାଙ୍ଗକୁ ଖୋଲାପଛ ଏହାକୁ ଏକ ମୋବାଇଲ ଅସ୍ତ୍ରରେ ପରିଣତ କରିଛି।

ହୁତୀ ଯୋଦ୍ଧାମାନେ ଏହି ଗାଡିର ପଛ ପାର୍ଶ୍ୱରେ ଓଜନଦାର ମେସିନଗନ, ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ଓ ରକେଟ ଲଞ୍ଚର ମୁତୟନ କରି ବେଶ୍ ଦ୍ରୁତବେଗରେ ଟେକ୍ନିକାଲ ପ୍ରସ୍ତୁତି କରି ନେଉଛନ୍ତି। ଏହି ଟ୍ରକ୍ ଗୁଡିକର ସହନଶୀଳତାର ଅନ୍ଦାଜ ଏଥିରୁ ଲଗା ଯାଇ ପାରେ ଯେ ନିଆଁ ଲାଗିଗଲେ, ଗଭୀର ସମୁଦ୍ର ପାଣିରେ ଘଣ୍ଟାଘଣ୍ଟା ବୁଡାଇ ରଖିଲେ, ବିଲ୍ଡିଂ ଧ୍ୱଂସାବଶେଷ ତଳେ ଦବି ରହିଲେ ବି ଏହି ଗାଡିଗୁଡିକୁ ପୁଣି ଚାଲୁଅବସ୍ଥାରେ ବାହାରୁଛନ୍ତି। ଟ୍ରକ୍ ଗୁଡିକର ଏପରି ମଜଭୁତ ହୁତି ବିଦ୍ରୋହୀଙ୍କ ଲାଗି ୟେମେନର ଆବୁଡାଖାବୁଡା ମରୁଭୂମି ଓ ସାଉଦୀଆରବ ସୀମାର ବିଶାଳ ମରୁଭୂମିରେ ଏଗୁଡିକ ଅସ୍ତ୍ରଭାବେ ଉଭା ହୋଇଛନ୍ତି।

ଏହି ବିଶାଳ ପିକଅପ ବାହିନୀ ଏବେ ଏହା ସଂକେତ ଦେଉଛି ଯେ ହୁତି ବିଦ୍ରୋହୀ କେବଳ ସମୁଦ୍ର ମାର୍ଗ ରୋକିବାରେ ସୀମିତ ରହିବେ ନାହିଁ। ସାଉଦୀ ଆରବର ତୈଳ ଓ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟକୁ ସିଧା ଟାର୍ଗେଟ କରିବା ପାଇଁ ମରୁଭୂମିରେ ଏକ ବହୁତ ବଡ଼ ତଥା ଘାତକ ସ୍ଥଳ ଆକ୍ରମଣ ଲାଗି ସେମାନଙ୍କ ପୃଷ୍ଠଭୂମି ତିଆରି ସାରିଲେଣି।