ପାନାମା ସିଟି: ପାନାମାରେ ଶନିବାର ୨ଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ପରଠାରୁ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ପରବର୍ତ୍ତି କମ୍ପନ ଅନଭୂତ ହେଲାଣି। ଭୂମିକମ୍ପରେ ଘର, ସ୍କୁଲ, ସଡକ ଓ ପୋଲ ଆଦି କ୍ଷତିଗ୍ରସ୍ତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ପ୍ରଭାବିତ ଲୋକଙ୍କୁ ରିଲିଫ ଓ ସହାୟତା ପହଞ୍ଚାଇବା ପାଇଁ ସରକାର ରବିବାର ଏମାର୍ଜେନ୍ସୀ ଘୋଷଣା କରିଛନ୍ତି। ଲାଗ ଲାଗ ଭୂମିକମ୍ପ ଓ ପରବର୍ତ୍ତି କମ୍ପନ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଭୂମିକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୭ ଜଣ ଆହତ ହୋଇଛନ୍ତି, ହେଲେ କେଉଁଠୁ ମୃତ୍ୟଖବର ଆସି ନାହିଁ। ଅନୁଭୂତ ହୋଇଥିବା ଭୂମିକମ୍ପର ଉତ୍ପତି ସ୍ଥଳ ରାଜଧାନୀ ପାନାମା ସିଟିରୁ ପାଖାପାଖି ୨୦୦ କିଲୋମିଟର ଦୂର ଅଜୁଏରୋ ପେନିନସୁଲାରେ ଥିଲା।

ଆମେରିକା ଜିୟୋଲଜିକାଲ ସର୍ଭେ (ୟୁଏସଜିଏସ୍) ଅନୁସାରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ଥିଲା। ଏହାର ଉତ୍ପତିସ୍ଥଳ ହେରେରା ପ୍ରାନ୍ତର ପିତାଲୋସା ଅରିବାରୁ ୧୨ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା। ଏହି ଭୂମିକମ୍ପ ଭୂ-ପୃଷ୍ଠରୁ ୧୨.୬ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଏହା ପରେ ପରେ ରିଓ ଗ୍ରାଣ୍ଡେରେ ୬.୬ ତୀବ୍ରତାର ଦ୍ୱିତୀୟ ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲାଗ ଲାଗ ୨ଟି ବଡ଼ ଭୂମିକମ୍ପ ପରେ ଲଗାତାର ପରବର୍ତ୍ତି କମ୍ପନ ଜାରି ରହିଛି। ଏଥିରୁ କିଛି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ ପର୍ଯ୍ୟନ୍ତ ରହୁଥିବା ଦେଖାଯାଇଛି। ଭୀଷଣ ଭୂମିକମ୍ପ ଯୋଗୁ ଅନେକ ଅଞ୍ଚଳରେ ଲୋକେ ବଡ଼ ବଡ଼ ବିଲ୍ଡିଂ ଖାଲି କରିଦେଇଛନ୍ତି। ପଡୋସୀ ଦେଶ କଲମ୍ବିୟାରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି।

ଗଣମାଧ୍ୟମ ରିପୋର୍ଟ ମୂତାବକ ଏହି ଭୂମିକମ୍ପକୁ ପାନାମା ଜିୟୋଲଜିକାଲ ଅଥରିଟି ଅଜୁଏରୋ-ସୋନା ଫଲ୍ଟ ସିଷ୍ଟମ ସହ ସମ୍ପର୍କିତ ବୋଲି କହୁଛନ୍ତି। ସେହିପରି ଭୂମିକମ୍ପ ସୃଷ୍ଟି ହେବାର ମୁଖ୍ୟ କାରଣ ପୃଥିବୀର ଉପର ପ୍ରସ୍ତରେ ଚାପ ଜମା ହୋଇ ରହିବା ବୋଲି କୁହାଯାଇଛି। ପୃଥିବୀ ପୃଷ୍ଠ ତଳେ ଥିବା ଚଟ୍ଟାଣ କୌଣସି ଫଲ୍ଟ ସହାୟତାରେ ଅଚାନକ ଖସିଲେ ଜମା ହୋଇ ରହିଥିବା ଶକ୍ତି ବାହାରକୁ ବାହରିଥାଏ। ଏଣୁ ସେସମିକ୍ ୱେଭ୍ ସୃଷ୍ଟି ହେବା ସହ ମାଟି ଥରିବାକୁ ଲାଗେ। ପାନାମା ମଧ୍ୟ ଆମେରିକାର ଏପରି ଭୌଗଳିକ ସ୍ଥିତିରେ ରହିଛି ଯେଉଁଠି ଟେକ୍ଟୋନିକ୍ ପ୍ଲେଟ୍ ଲଗାତାର ହଲି ଥାଏ ଓ ଗୋଟିଏ ପ୍ଲେଟ୍ ଅନ୍ୟ ପ୍ଲେଟ୍ ସମ୍ପର୍କରେ ଆସିଥାଏ। ପ୍ଲେଟମାନଙ୍କର ଏପରି କାର୍ଯ୍ୟକଳାପରୁ ସର୍ବଦା ଭୂମିକମ୍ପ ଆଶଙ୍କା ଲାଗି ରହିଥାଏ।

ତେବେ ଭୂମିକମ୍ପ ପରେ ସରକାରଙ୍କ ପକ୍ଷରୁ ଘର ମାନଙ୍କର ସ୍ଥିତି ଯାଞ୍ଚ କରାଯାଇଛି, ଯାହାଦ୍ୱାରା କ୍ଷୟକ୍ଷତି ଓ ବିଲ୍ଡିଂର ସୁରକ୍ଷା ଜଣାପଡିବ। ଏହି ଭୂମିକମ୍ପ ଯୋଗୁ ଅନେକ ଶିକ୍ଷାୟତନ ପ୍ରଭାବିତ ହୋଇଛି। ଏଣୁ ସୁରକ୍ଷା ଯାଞ୍ଚ ନିମନ୍ତେ ଇନସ୍ପେକ୍ସନ ଓ ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ପାଠପଢା ବନ୍ଦ ଘୋଷଣା କରାଯାଇଛି। ଭୂମିକମ୍ପ ଯୋଗୁ ସଡ଼କ କ୍ଷତିଗ୍ରସ୍ତ ହୋଇଛି, ଭୂ-ସ୍ଖଳନ ଓ କିଛି ସ୍ଥାନରେ ପୋଲର ସୁରକ୍ଷା ନେଇ ଚିନ୍ତା ଯୋଗୁ ପରିବହନ ପ୍ରଭାବିତ ହୋଇଛି। ସେହିପରି ଭୂମିକମ୍ପ ଯୋଗୁ ୨୧ଟି ହେଲଥ୍ ସେଣ୍ଟର କ୍ଷତିଗ୍ରସ୍ତ ହୋଇଥିବା ସରକାରୀ ଭାବେ କୁହାଯାଇଛି।