ରମଲ୍ଲା: ପାଲେଷ୍ଟାଇନରେ ୨୦ ବର୍ଷ ପରେ ହେବାକୁ ଯାଉଥିବା ସଂସଦୀୟ ଓ ରାଷ୍ଟ୍ରପତି ନିର୍ବାଚନ ଟଳି ଯାଇଛି। ରାଷ୍ଟ୍ରପତି ମହମୁଦ ଅବ୍ବାସ ରବିବାର ନିର୍ବାଚନ ଟଳାଯିବାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେଠାରେ ୨୦୦୬ ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଗାଜାଷ୍ଟ୍ରିପରେ ହମାସ ଏବଂ ୱେଷ୍ଟବ୍ୟାଙ୍କରେ ୟାସର ଅରାଫତ ନେତୃତ୍ୱାଧୀନ ଅଲ-ଫତେହ ଗ୍ରୁପ ବିଜୟୀ ହୋଇଥିଲେ। ଏହା ପରଠାରୁ ସେଠାରେ ଏ ପର୍ଯ୍ୟନ୍ତ ନିର୍ବାଚନ ହୋଇ ପାରି ନାହିଁ।

ପାଲେଷ୍ଟାଇନ ସମ୍ବାଦ ସରବରାହ ସଂସ୍ଥା ଡବ୍ଲୁଏଏଫଏ ଅନୁସାରେ ଦେଶର ରାଷ୍ଟ୍ରପତି ମହମୁଦ ଅବ୍ବାସ ସଂସଦୀୟ ନିର୍ବାଚନକୁ ପାଖାପାଖି ୧ ବର୍ଷ ନିମନ୍ତେ ସ୍ଥଗିତ କରିଦେଇଛନ୍ତି। ଏହା ସହିତ ନିର୍ବାଚନର ନୂଆ ତାରିଖ ୧୧ସେପ୍ଟେମ୍ବର ୨୦୨୭ ଧାର୍ଯ୍ୟ କରାଯାଇଛି। ଏହା ପୂର୍ବରୁ ନିର୍ବାଚନ ଚଳିତବର୍ଷ ନଭେମ୍ବର ୨୮ ତାରିଖକୁ ପ୍ରସ୍ତାବିତ ଥିଲା। ଏହି ନିର୍ବାଚନ ମାଧ୍ୟମରେ ପାଲେଷ୍ଟାଇନ ଜନତାଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ମିଳିବ ବୋଲି ଆଶା କରାଯାଉଥିଲା। କେବଳ ସଂସଦୀୟ ନିର୍ବାଚନ ନୁହେଁ ରାଷ୍ଟ୍ରପତି ନିର୍ବାଚନକୁ ମଧ୍ୟ ଆଗାମୀ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଟାଳି ଦିଆଯାଇଛି। ଦେଶରେ ଶେଷ ଥର ୨୦୦୬ ମସିହାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଏଥିରେ ମହମୁଦ ଅବ୍ବାସ ବିଜୟୀ ହୋଇଥିଲେ। ଏହା ପରଠାରୁ କୌଣସି ନିର୍ବାଚନ କରା ନଯିବା କାରଣରୁ ସେ ୨୦ ବର୍ଷ ହେଲା ରାଷ୍ଟ୍ରପତି ପଦବୀରେ ଜମି ରହିଛନ୍ତି।

ରାଷ୍ଟ୍ରପତି ମହମୁଦ ଆବାସଙ୍କ ନିର୍ବାଚନ ସ୍ଥଗନ ଘୋଷଣା ପରେ ପାଲେଷ୍ଟାଇନ ଅଥରିଟିଙ୍କ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି। କେବଳ ଏତିକି ନୁହେଁ ରାଷ୍ଟ୍ରପତିଙ୍କ ରାଜନୈତିକ ବୈଧତା ଓ ଜନସମର୍ଥନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ରିପୋର୍ଟ ଅନୁସାରେ ମହମୁଦ ଆବ୍ବାସ ନିର୍ବାଚନ ଟଳିବା ଲାଗି ଇସ୍ରାଏଲକୁ ଦାୟି କରିଛନ୍ତି। ମହମୁଦ ଅବ୍ବାସଙ୍କ ନେତୃତ୍ୱାଧୀନ ‘ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ’ (ପିଏଲଓ) ଏକ ବୟାନ ଜାରି କରି ପୂର୍ବ ଜେରୁଜେଲମ, ୱେଷ୍ଟବ୍ୟାଙ୍କ ଓ ଗାଜା ଷ୍ଟ୍ରିପରେ ପରିସ୍ଥିତି ଏବେ ନିର୍ବାଚନ ଲାଗି ଅନୁକୂଳ ନୁହେଁ ବୋଲି କହିଛି।

ଇସ୍ରାଏଲ ଗାଜାରେ ନିର୍ବାଚନ ସାମଗ୍ରୀ ଅଥବା ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ଅନୁମତି ଦେଉନି। ଏଣୁ ସ୍ୱାଧୀନ ପରିବେଶରେ ଏବେ ନିର୍ବାଚନ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ପିଏଲଓ କହିଛି। ତେବେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଗିଦୋନ ସାର ଆରୋପକୁ ଭୁଲ ବୋଲି କହି ଖାରଜ କରିଦେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରି ଇସ୍ରାଏଲ ବିରୋଧରେ ଅଭିଯୋଗ କରି ନିଜର ଦାୟିତ୍ୱ ଓ ଉତ୍ତରଦାୟିତାରୁ ବର୍ତ୍ତିବା ପାଇଁ ଏହା ଏକ ହାସ୍ୟସ୍ପଦ ମିଥ୍ୟା ବୋଲି କହିଛନ୍ତି।

ସେ ଲେଖିଛନ୍ତି ଯେ ଆବ୍ବାସ କ୍ଷମତାରେ ରହିବା ପାଇଁ ଜାଣିଶୁଣି ଇସ୍ରାଏଲକୁ ଏହା ଭିତରକୁ ଘୋଷାଡୁଛନ୍ତି। ତେବେ ଆବ୍ବାସଙ୍କ ନିଷ୍ପତ୍ତିରେ ଆତଙ୍କବାଦ ସଙ୍ଗଠନ ହମାସ ଖୁସି ବ୍ୟକ୍ତ କରିଛି। ନିଷ୍ପତ୍ତିକୁ ସ୍ୱାଗତ କରି ହମାସ ଏହା ଉପଯୁକ୍ତ ପଦକ୍ଷେପ ବୋଲି କହିଛି। ହମାସ କହିଛି ଯେ ନିର୍ବାଚନ ତାରିଖ ପାଲେଷ୍ଟାଇନ ସଂସ୍ଥାଙ୍କ ପୁନର୍ଗଠନ ଓ ଆଲୋଚନା ପରେ ନିର୍ଦ୍ଧାରିତ କରାଯିବା ଆବଶ୍ୟକ।