ନୂଆଦିଲ୍ଲୀ: ୨୦୨୭ ମସିହା ମଧ୍ୟଭାଗ ସୁଦ୍ଧା ଭାରତର ନିଜସ୍ୱ ଏବଂ ପ୍ରତିଯୋଗୀ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ବଜାରକୁ ଆସିବ। ଏହି ଦୌଡ଼ରେ ବର୍ତ୍ତମାନ ତିନୋଟି ଭାରତୀୟ କମ୍ପାନୀ ସାମିଲ ଅଛନ୍ତି ବୋଲି ଶୁକ୍ରବାର ଦିନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ₹୬୨,୫୦୦ କୋଟି ଟଙ୍କାର 'ମୋବାଇଲ୍ ଫୋନ୍ ମାନୁଫାକ୍ଚରିଂ ସ୍କିମ୍' (MPMS) ପାଇଁ ଗାଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି। ଏହି ଯୋଜନା ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ପୂର୍ବରୁ କର ସମ୍ବନ୍ଧୀୟ ସମସ୍ୟା ଏବଂ ଚୀନ୍ କମ୍ପାନୀଗୁଡ଼ିକର ପ୍ରତିଯୋଗିତା ଯୋଗୁଁ ଭାରତୀୟ ବ୍ରାଣ୍ଡଗୁଡ଼ିକ ପଛରେ ପଡ଼ିଯାଇଥିଲେ। ଏବେ Indian IP ଏବଂ ଡିଜାଇନ୍ ସହ ସ୍ୱଦେଶୀ ବ୍ରାଣ୍ଡ ଗଢ଼ିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ଭାରତୀୟ ସ୍ମାର୍ଟଫୋନ୍ ବଜାରର ପ୍ରାୟ ୫୫% ଅଂଶ ଚୀନ୍ କମ୍ପାନୀ (Vivo, OPPO, Xiaomi, Realme) ନିୟନ୍ତ୍ରଣ କରୁଛନ୍ତି। ସାମସଙ୍ଗ୍ (Samsung) ଏବଂ ଆପଲ୍ (Apple) ର ମଧ୍ୟ ବଡ଼ ଭାଗିଦାରୀ ରହିଛି । 

ଭାରତୀୟ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ କେବଳ 'ଲାଭା'  କିଛି ମାତ୍ରାରେ ପ୍ରତିଯୋଗିତା କରୁଥିବା ବେଳେ 'ମାଇକ୍ରୋମାକ୍ସ' ଏବଂ 'ଜିଓ' ର ଭାଗିଦାରୀ ବହୁତ କମ୍ ରହିଛି । ତେବେ ଭାରତୀୟ ବ୍ରାଣ୍ଡଗୁଡ଼ିକୁ ବଡ଼ କରିବା ପାଇଁ ସରକାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏଥିପାଇଁ ମାପଦଣ୍ଡ ସ୍ଥିର କରାଯାଇଛି । ଭାରତୀୟ ବ୍ରାଣ୍ଡ ଅତିକମରେ ୧୦୦୦ କୋଟିର କାରବାର କରିଥିବା ବେଳେ କମ୍ପାନୀରେ ମାଲିକାନା ୫୧ ପ୍ରତିଶତର ଅଧିକ ଥିବା ଦରକାର । ସେହିଭଳି ଆଇପି ଏବଂ ଟ୍ରେଡମାର୍କ ମଧ୍ୟ ଭାରତର ହୋଇଥିବା ଆବଶ୍ୟକ । ଭାରତୀୟ କମ୍ପାନୀଙ୍କୁ ବିକ୍ରି ଉପରେ ୫% ପ୍ରୋତ୍ସାହନ, ଭାରତୀୟ ଡିଜାଇନ୍/R&D ପାଇଁ ଅତିରିକ୍ତ ୩% ପ୍ରୋତ୍ସାହନ ମିଳିବ । ୧ ବର୍ଷର ଗ୍ରେସ୍ ପିରିୟଡ୍ ସୁବିଧା ମଧ୍ୟ ରହିବ ।

ସେପଟେ ଯଦି କମ୍ପାନୀଗୁଡ଼ିକ ୨୫% ରୁ ଅଧିକ ଭାରତୀୟ ଯନ୍ତ୍ରାଂଶ (Components) ବ୍ୟବହାର କରନ୍ତି, ତେବେ ସେଗୁଡ଼ିକୁ ଅତିରିକ୍ତ ୧.୫% ସହାୟତା ମିଳିବ। ଏହି ଯୋଜନାକୁ ୧ ଏପ୍ରିଲ ୨୦୨୬ ରୁ ପିଛିଲା ଭାବରେ ଲାଗୁ କରାଯାଇଛି। 'ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି' ଏହାର ତଦାରଖ କରିବ ଏବଂ MeitY ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଆବେଦନଗୁଡ଼ିକର ଅନୁମୋଦନ ଓ ଅନୁଦାନ ପ୍ରଦାନ କରିବ।