ନୂଆଦିଲ୍ଲୀ: ସରିଛି ନିର୍ବାଚନ, ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ତାମିଲନାଡୁରେ ସମସ୍ତ ୨୩୪ ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନରେ ମତଦାନ ହୋଇଛି । ରାଜନୈତିକ ହିଂସା ମଧ୍ୟରେ ଶେଷ ହୋଇଛି ବେଙ୍ଗଲର ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏପ୍ରିଲ ୨୯ରେ ବାକି ଆସନରେ ମତଦାନ ହେବ । ସେପଟେ ତାମିଲନାଡୁରେ ନିର୍ବାଚନ ସରିଛି । ମେ’ ୪ରେ ଖୋଲିବ ଇଭିଏମ, ଆଉ ଆସିବ ରେଜଲ୍ଡ । ତାମିଲନାଡୁରେ ୮୫ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୨୦୨୧ରେ ରାଜ୍ୟରେ ୭୩.୬୩ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନରେ ବାଜି ମାରିଥିଲା ଏମକେ ଷ୍ଟାଲିନଙ୍କ ଦଳ ଡିଏମକେ । ଏଥର ମତଦାନ ବୃଦ୍ଧି ପାଇଛି ଏବଂ ଶାସନ ପରିବର୍ତ୍ତନ ହୋଇପାରେ ଆଶା ରଖିଛନ୍ତି ବିରୋଧୀ ।

ଏଥର ଡିଏମକେ-କଂଗ୍ରେସ ମେଣ୍ଟ ଏବଂ ବିଜେପି-ଏଆଇଡିଏମକେ ମେଣ୍ଟ ମଧ୍ୟରେ ହୋଇଛି ଜୋରଦାର ଟକ୍କର । କିନ୍ତୁ ଏଥର ତାମିଲନାଡୁ ବିଧାନସଭା ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ । ତାଙ୍କ ଦଳ ଟିଭିକେ ସସମ୍ତ ୨୩୪ ଆସନରେ ପ୍ରାର୍ଥୀ ଦେଇଥିଲା । ଥାଲାପତି ବିଜୟଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ ଅଧିକ । ତେଣୁ ନିର୍ବାଚନରେ ତାଙ୍କର ଭୂମିକା କେତେ ଗୁରୁତ୍ବପୂର୍ଣ୍ଣ, ତାହା ଏପ୍ରିଲ ୪ରେ ହିଁ ଜଣାପଡ଼ିବ । ତେବେ ତାମିଲନାଡୁରେ ରେକର୍ଡ ମତଦାନକୁ ନେଇ ଏଆଇଏଡିଏମକେ ନେତୃତ୍ବାଧୀନ ଏନଡିଏ ଶିବିରରେ ଖୁସି । ତାମିଲନାଡୁରେ ଶାସନ ପରିବର୍ତ୍ତନ ଲକ୍ଷ୍ୟରେ ବିରୋଧୀ । ୨୦୨୬ ନିର୍ବାଚନରେ ୪,୦୨୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ । ୫ କୋଟି ୭୩ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବା ପାଇଁ କରିଛନ୍ତି ମତଦାନ।

ପଶ୍ଚିମବଙ୍ଗରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ତାମିଲନାଡୁ ସମେତ ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଦେଶର ନଜର । ପଶ୍ଚିବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୯୨ ପ୍ରତିଶତ ମତଦାନ ହୋଇଛି। ଏଭଳି ବିପୁଳ ମତଦାନ ପରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପ୍ରଚଣ୍ଡ ବିଜୟ ହାସଲ କରିବ ବୋଲି ଦାବି କରିଛନ୍ତି । ଏହି ପର୍ଯ୍ୟାୟରେ ବହୁ ହାଇଭୋଲଟେଜ୍ ଆସନରେ ପଡ଼ିଛି ଭୋଟ୍ । ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଘଟିଛି । ବିରୋଧୀଙ୍କ ଉପରେ ଶାସକ ଦଳର କର୍ମୀ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି । ଶାସନ ପରିବର୍ତ୍ତନ ଲକ୍ଷ୍ୟରେ ଥିବା ବିରୋଧୀ ବିଜେପି ବେଙ୍ଗଲ ଦଖଲ ପାଇଁ ସବୁ ଜୋର ଖଟାଇ ଦେଇଛି । ସେପଟେ ପୁଣି ଥରେ ଶାସନ ଗାଦି ହାତେଇବାକୁ ପ୍ରାଣମୂର୍ଛା ଉଦ୍ୟମ କରିଛି ଟିଏମସି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆରକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପକୁ ଟାର୍ଗେଟ କରିଛନ୍ତି ।

ମମତା ବନାମ ଶୁଭେନ୍ଦୁ

ପ୍ରଥମ ପର୍ଯ୍ୟାୟରେ ଭୋଟ ପଡ଼ିଥିବା ଆସନ ମଧ୍ୟରେ ରହିଛି ନନ୍ଦୀଗ୍ରାମ ଏବଂ ଭବାନୀପୁର ଭଳି ଆସନ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏଥର ନିଜର ପାରମ୍ପରିକ ଆସନ ଭବାନୀପୁରରୁ ଛିଡ଼ା ହୋଇଛନ୍ତି । ତାଙ୍କୁ ମାତ ଦେବାକୁ ୨୦୨୧ର ଫର୍ମୁଲା ରିପିଟ୍ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେପି ହେଭିଓ୍ବେଟ୍ ଶୁଭେନ୍ଦୁ ଅଧିକାରୀ । ନନ୍ଦୀଗ୍ରାମ ସମେତ ଭବାନୀପୁରରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଶୁଭେନ୍ଦୁ । ୨୦୨୧ ନିର୍ବାଚନରେ ନନ୍ଦୀଗ୍ରାମରୁ ମମତାକୁ ମାତ ଦେଇ ବିଜୟୀ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ । ଏହା ପରେ ଭବାନୀପୁରରୁ ବାଇ ଇଲେକ୍ସନରେ ଜିତିଥିଲେ ମମତା ।ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ମତଦାନ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧୪୭୮ ଜଣ ପ୍ରାର୍ଥୀ ମୈଦନାରେ ଥିଲେ । ୩ କୋଟି ୬୦ ଲକ୍ଷ ୭୭ ହଜାର ୧୭୧ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବାକୁ ଦେଇଛନ୍ତି ଭୋଟ । ସେମାନଙ୍କ ମଧ୍ୟରୁ ୧ କୋଟି ୭୫ ଲକ୍ଷ ୭୭ ହଜାର ୨୧୦ ମହିଳା ଭୋଟର । ମହିଳା ସଂରକ୍ଷଣ ବିଲକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ବେଙ୍ଗଲରେ ମହିଳାଙ୍କ ଭୋଟର ରହିବ ଅଧିକ ଗୁରୁତ୍ବ । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ଯେଉଁ ଜିଲ୍ଲାଗୁଡ଼ିକରେ ମତଦାନ ହୋଇଛି, ସେଥିରେ ଉତ୍ତର ବେଙ୍ଗଲର ୮ ଜିଲ୍ଲା, ଦକ୍ଷିଣ ବେଙ୍ଗଲର ୩ ଜିଲ୍ଲା ଏବଂ ଜଙ୍ଗଲମହଲ ଅଞ୍ଚଳର ୫ଟି ଜିଲ୍ଲା ଅନ୍ତର୍ଭୁକ୍ତ ।

Also Read: ବେଙ୍ଗଲ ଓ ତାମିଲନାଡୁରେ ଐତିହାସିକ Voting ରେକର୍ଡ, ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ହୋଇଛି ସବୁଠୁ ଅଧିକ ମତଦାନ, ଜାଣନ୍ତୁ କାରଣ କ’ଣ?

ଏପ୍ରିଲ ୨୯ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌

ପଶ୍ଚିବଙ୍ଗରେ ଦ୍ବିତୀୟ ପର୍ଯ୍ୟୟ ଭୋଟିଂ ଏପ୍ରିଲ ୨୯ରେ । ମେ’ ୪ରେ ଆସିବ ରେଜଲ୍ଟ । ମୋଟ ୨୯୪ ଆସନରୁ ସରକାର ଗଢ଼ିବାକୁ ଦରକର ୧୪୮ ଆସନ୍ । ୨୦୨୧ ନିର୍ବାଚନକୁ ଦେଖିଲେ, ଟିଏମସି ୨୧୫ ଏବଂ ବିଜେପି ୭୭ ଆସନରେ ବିଜୟୀ ହୋଇଥିଲେ । ୨୦୧୯ ମାତ୍ର ୩ ଆସନରୁ ସିଧା ୭୭ ଆସନରେ ଜିତି ବିଜେପି ବିରୋଧୀ ଦଳ ଆସନରେ ବସିଥିଲା । କଂଗ୍ରେସ ଖାତା ଖୋଲିପାରି ନଥିଲା । ଏଥର କିନ୍ତୁ ବିଜେପି ବହୁମତ ସହ ସରକାର ଗଢ଼ିବାକୁ ବେଶ ଆଶାବାଦୀ । କିନ୍ତୁ ଏଥର ଜନାଦେଶ କାହା ସପକ୍ଷରେ ଯିବ ? ମମତା ବାନାର୍ଜୀ ଚୌକି ବଞ୍ଚାଇପାରିବେ ନା, ବିଜେପି ଦଖଲ କରିବ ବେଙ୍ଗଲ, ତାହା ମେ’୪ରେ ସ୍ପଷ୍ଟ ହୋଇଯିବ ।