କୋଲକାତା: ପଶ୍ଚିମବଙ୍ଗରେ ଅଜସ୍ର ମତଦାନ ହୋଇଛି । ରେକର୍ଡ ମତଦାନ ପରେ, ବିଜେପି ଶିବିରରେ ଖୁସିର ପରିବେଶ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । କୃଷ୍ଣନଗର ଏବଂ ପରେ ରାଜ୍ୟର ନାଦିଆ ଜିଲ୍ଲାର ମଥୁରାପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ବିପୁଳ ଭୋଟଦାନ ପାଇଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ, ଏହି ମତଦାନ ‘ପରିବର୍ତ୍ତନ ପାଇଁ ଏକ ଜବରଦସ୍ତ ଜନାଦେଶ’ର ସଙ୍କେତ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨ ପ୍ରତିଶତ ମତଦାନ ହୋଇଛି।

ନିର୍ବାଚନ କମିଶନଙ୍କୁ ପ୍ରଶଂସା

ନିର୍ବାଚନ କମିଶନର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ନିର୍ବାଚନ ସମୟରେ ହିଂସାର ଯେକୌଣସି ବଡ଼ ଘଟଣାକୁ ରୋକିବା ପାଇଁ ନିର୍ବାଚନ କମିଶନ ଅଭିନନ୍ଦନ ପାଇବାର ଯୋଗ୍ୟ। ପଶ୍ଚିମବଙ୍ଗରେ ଗତ ୫୦ ବର୍ଷର ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ହିଂସାର ଘଟଣା ସର୍ବନିମ୍ନ ହୋଇଛି। ଭୋଟିଂ ବିଷୟରେ ଏପର୍ଯ୍ୟନ୍ତ ମୁଁ ଯେଉଁ ସୂଚନା ପାଇଛି ମୁଁ ନିଶ୍ଚିତ ଯେ, ଏହା ପଶ୍ଚିମବଙ୍ଗର ଭୋଟରଙ୍କ ଦ୍ୱାରା ପରିବର୍ତ୍ତନ ପାଇଁ ଏକ ଜବରଦସ୍ତ ଜନାଦେଶ । ଯେତେବେଳେ ଲୋକମାନେ ବହୁ ସଂଖ୍ୟାରେ ଭୋଟ ଦେଇଛନ୍ତି, ବିଜେପି ନିର୍ଣ୍ଣାୟକ ବିଜୟଲାଭ କରିଛି ବୋଲି କହିଛନ୍ତି ମୋଦୀ ।

କିଛି ଲୋକଙ୍କୁ ଝାଲମୁଢ଼ି ଝଟକା ଦେଇଛି

ପଶ୍ଚିମବଙ୍ଗରେ ୧୫୨ ବିଧାନସଭା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୯୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। କିଛି ସ୍ଥାନରୁ ହିଂସାର ରିପୋର୍ଟ ମଧ୍ୟ ଆସିଛି। ସୁରକ୍ଷା ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ୨୪୦୦ ରୁ ଅଧିକ କମ୍ପାନୀ ନିୟୋଜିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭୋଟ ଗଣତି ପରେ, ବିଜେପିର ପଶ୍ଚିମବଙ୍ଗ ୟୁନିଟ୍ ମେ’ ୪ରେ ବିଜୟ ଉତ୍ସବ ପାଳନ କରିବ । ଏହି ସମୟରେ ମିଠା ସହିତ 'ଝାଲମୁଢ଼ି' ମଧ୍ୟ ଲୋକଙ୍କୁ ବଣ୍ଟନ କରାଯିବ। ସେ କହିଛନ୍ତି, ‘ମୁଁ ଶୁଣିଛି ଯେ, ଝାଲମୁଢ଼ି କିଛି ଲୋକଙ୍କୁ ମଧ୍ୟ କଠୋର ଆଘାତ ଦେଇଛି।’