ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟରେ ଗୁରୁବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୯୧.୩୫%ର ଆଶ୍ଚର୍ଯ୍ୟଜନକ ମତଦାନ ରେକର୍ଡ ହୋଇଛି। ରାଜ୍ୟର ବର୍ତ୍ତମାନ ଭୋଟର ପ୍ରତିଶତ ସ୍ୱାଧୀନତା ପରଠାରୁ ସବୁଠୁ ଅଧିକ, ଯାହା ୨୦୨୧ ନିର୍ବାଚନର ୮୨.୩୦% ମତଦାନ ରେକର୍ଡକୁ ଭାଙ୍ଗିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବେଙ୍ଗଲ ଓ ତାମିଲନାଡୁ ଭୋଟରଙ୍କ ନିର୍ବାଚନରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି। ତେବେ ଏତେ ଉଚ୍ଚ ମତଦାନ ପ୍ରତିଶତ ପଛରେ ନିର୍ବାଚନ ଶୁଦ୍ଧିକରଣ, ପ୍ରବାସ ଧାରା ଓ ରାଜନୈତିକ ଭୟ ଭଳି କାରଣ ରହିଥିବା ବିଶେଷଜ୍ଞ କହିଛନ୍ତି।

ଏଥିରେ ଧ୍ୟାନ ଦେବାର କଥା ହେଉଛି ଏହି ନିର୍ବାଚନରେ ୯୦%ରୁ ଅଧିକ ମତଦାନ ହେବାର କାରଣ ହେଉଛି ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା କରାଯାଇଥିବା ବିଶେଷ ଗହନ ପୁନରୀକ୍ଷଣ ପ୍ରକ୍ରିୟା। ଏହି ବିବାଦୀୟ ପ୍ରକ୍ରିୟାରେ ରାଜ୍ୟରେ ପାଖାପାଖି ୯୧ ଲକ୍ଷ ଭୋଟରଙ୍କୁ ଭୋଟ ଦାନରୁ ବଞ୍ଚିତ କରାଯାଇଛି। ଫଳରେ ଯେଉଁଠି ପୂର୍ବରୁ ଭୋଟରଙ୍କ ସଂଖ୍ୟା ୭.୯ କୋଟି ଥିଲା ଏବେ ସେଠାରେ ୬.୮ କୋଟିରେ ସୀମିତ ହୋଇଯାଇଛି। ଏସଆଇଆରରେ ସବୁଠୁ ଅଧିକ ପ୍ରଭାବିତ କ୍ଷେତ୍ର ମଧ୍ୟରେ ମୁର୍ଶିଦାବାଦ, ଉତ୍ତର ୨୪ ପ୍ରଗଣା ଓ ନଦିୟା ଆଦି ଜିଲ୍ଲା ରହିଛି।

କେବଳ ରାଜ୍ୟ ରାଜଧାନୀ କୋଲକାତାରେ ୭ ଲକ୍ଷ ଭୋଟର ବାଦ ପଡିଛନ୍ତି। ଯେହେତୁ କୋର୍ଟଙ୍କ ନିଷ୍ପତ୍ତି ଓ ପାତ୍ରତା ସତ୍ୟାପନ କାରଣରୁ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ହ୍ରାସ ହୋଇଛି ସେଥି ଯୋଗୁ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ବଢିବା ନିଶ୍ଚିତ। ଗଣିତ ବ୍ୟତୀତ ଏକ ମଜଭୁତ ସାମାଜିକ କାରକ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏସଆଇଆରକୁ ଏନଆରସି ମାଧ୍ୟମରେ ନାଗରିକତା ଛଡାଇବାର ପ୍ରସ୍ତୁତି ବୋଲି ବାରମ୍ବାର କହିବା ହୁଏତ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗୃହ ରାଜ୍ୟକୁ ଆସି ଭୋଟ ଦେବାକୁ ବାଧ୍ୟ କରିଛି।

ଏହା ଛଡା ସୁରକ୍ଷାଗତ କାରଣ ମଧ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ୧୫୨ ବିଧାନସଭା ଆସନ ନିମନ୍ତେ ଏଥର ରେକର୍ଡ ସଂଖ୍ୟକ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଥିଲା। ରାଜ୍ୟରେ ପାଖାପାଖି ୨ଲକ୍ଷ ୪୦ ହଜାର ସିଆରପିଏଫ ଜବାନ ମୁତୟନ ହୋଇଥିଲେ। ଏଣୁ ସମ୍ବେଦନଶୀଳ ଅଞ୍ଚଳରେ ଭୋଟରଙ୍କୁ ସ୍ୱାଧୀନ ରୂପେ ନିଜ ମତାଧିକାର ପ୍ରୟୋଗ କରିବାକୁ ଅବସର ମିଳିଛି। ଟିଏମସି ଘୋଷଣା କରିଛି ଯେ ଉଚ୍ଚମତଦାନ ହାର ବିଜେପି ଲାଗି ବିନାଶକାରୀ ଝଟକା, ଯିଏ ୧୫୨ରୁ ୧୨୫ ଆସନରେ ଜିତିବ ବୋଲି ଆଶା ବାନ୍ଧି ବସିଛି। ତେବେ ବିଶେଷଜ୍ଞ ଏ ନେଇ ସଂସୟରେ ରହିଛନ୍ତି।

ତେବେ ସାଧାରଣ ଧାରଣା ଅନୁସାରେ ଅଧିକ ମତଦାନର ଅର୍ଥ ଶାସନ ବିରୋଧ ଲହର ବୋଲି ବୁଝା ଯାଏ। ତେବେ ନିକଟରେ ସମ୍ପନ୍ନ ହୋଇଥିବା ଭାରତୀୟ ନିର୍ବାଚନରେ ଅଧିକ ମତଦାନର ଅର୍ଥ ଶାସକ ଦଳ ଦ୍ୱାରା ସଫଳତା ପୂର୍ବକୁ ଶାସନକୁ ଫେରିବା ମଧ୍ୟ ସାବ୍ୟସ୍ତ ହୋଇଛି ।