ଭୋପାଳ: ଆମେ ଆମର ଇତିହାସ, ସଂସ୍କୃତି ଏବଂ ଐତିହ୍ୟକୁ ନେଇ ଗର୍ବ କରୁ। କିନ୍ତୁ ଯେତେବେଳେ ଏହି ସବୁର ସୁରକ୍ଷା କଥା ଆସେ, ସେତେବେଳେ ଦାୟିତ୍ୱବୋଧ ହ୍ରାସ ପାଇଥିବା ପରି ମନେହୁଏ। କୀର୍ତ୍ତିରାଜିର ପ୍ରାଚୀର ନଷ୍ଟ କରିବା ଠାରୁ ଆରମ୍ଭ କରି ପ୍ରାଚୀନ ମୂର୍ତ୍ତି ଏବଂ ସାମଗ୍ରୀ ଚୋରି ହେବା ପର୍ଯ୍ୟନ୍ତ, ଭାରତର ଅନେକ ଐତିହ୍ୟ ସ୍ଥଳ ଅବହେଳାର ସମ୍ମୁଖୀନ ହେଉଛି। ଏବେ ଏକ ଚମକାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଐତିହାସିକ ନରୱାର ଦୁର୍ଗରେ ଶତାବ୍ଦୀ ଶତାବ୍ଦୀ ଧରି ସଂରକ୍ଷିତ ଥିବା ସିନ୍ଧିଆ ଶାସନ କାଳର ପ୍ରାୟ ୩,୦୦୦ କିଲୋଗ୍ରାମ ଓଜନର ଏକ ଐତିହାସିକ ତୋପକୁ ଲୁଟେରାମାନେ ରାତିଅଧିଆ ଅତି ଚତୁରତାର ସହ ଚୋରି କରି ନେଇଛନ୍ତି।

ଏହି ସଶସ୍ତ୍ର ଲୁଟେରା ଦଳ ପୂର୍ଣ୍ଣ ପ୍ରସ୍ତୁତି ସହ ଆସି ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ଭୟଭୀତ କରି ଏହି ପ୍ରାଚୀନ ତୋପକୁ ନେଇ ଚମ୍ପଟ ମାରିଛନ୍ତି । ଏହା ସୁରକ୍ଷିତ ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ, ଜୁଲାଇ ୧୫-୧୬ ତାରିଖ ବିଳମ୍ବିତ ରାତିରେ ପ୍ରାୟ ୨୫ ରୁ ୩୦ ଜଣ ସଶସ୍ତ୍ର ବ୍ୟକ୍ତି ନରୱାର ଦୁର୍ଗ ମଧ୍ୟକୁ ପ୍ରବେଶ କରିଥିଲେ। ଦୁର୍ଗ ପରିସରରେ ରଖାଯାଇଥିବା ୧୪ଟି ଐତିହାସିକ ତୋପ ମଧ୍ୟରୁ ସେମାନେ ଗୋଟିଏ ଚୋରି କରି ନେଇଛନ୍ତି। ସୁରକ୍ଷା କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ସଶସ୍ତ୍ର ବ୍ୟକ୍ତିମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଏବଂ ପ୍ରତିରୋଧ କଲେ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। 

କିଛି ଦିନ ପୂର୍ବରୁ ମିଳିଥିଲା ସଙ୍କେତ
ଏହି ଘଟଣା ସୁରକ୍ଷା ବ୍ୟବସ୍ଥାର ବଡ଼ ତ୍ରୁଟିକୁ ପଦାରେ ପକାଇଛି, କାରଣ ଚୋରି ହେବାର ପ୍ରାୟ ୧୨ ଦିନ ପୂର୍ବରୁ କିଛି ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଥିଲା। ଦୁର୍ଗ ଆଖପାଖରେ କିଛି ଅଜଣା ଲୋକ ବୁଲାବୁଲି କରୁଥିବା ଦେଖାଯାଇଥିଲେ ମଧ୍ୟ ଏହାକୁ ଗମ୍ଭୀରତାର ସହ ନିଆଯାଇ ନଥିଲା। ସୂଚନା ମିଳିବା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ନଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଲୁଟେରା ଦଳ ଏହି ଭାରୀ ତୋପକୁ ସେଠାରୁ ହଟାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ଆସିଥିଲେ। ଯେହେତୁ ଏହି ଯୁଦ୍ଧାସ୍ତ୍ରର ଓଜନ ପ୍ରାୟ ୩,୦୦୦ କିଲୋଗ୍ରାମ ଥିଲା, ତେଣୁ ସେମାନେ ଏହାକୁ ଉଠାଇବା ଏବଂ ପରିବହନ କରିବା ପାଇଁ ନିଜ ସହ ଏକ କ୍ରେନ୍ ଏବଂ ଟ୍ରକ୍ ଆଣିଥିଲେ। ଅଭିଯୁକ୍ତମାନେ ଦୁର୍ଗର ପଛପଟ ରାସ୍ତା ଦେଇ ଭିତରକୁ ପ୍ରବେଶ କରିଥିଲେ । 

ସେହି ସମୟରେ ଦାୟିତ୍ୱରେ ଥିବା ସୁରକ୍ଷା ଗାର୍ଡ ବାଲକିଷନ କହିଛନ୍ତି ଯେ, ହଠାତ୍ ଏକ ବଡ଼ ସଶସ୍ତ୍ର ଦଳ ଦୁର୍ଗ ମଧ୍ୟକୁ ପଶି ଆସିଥିଲେ। ଆକ୍ରମଣକାରୀଙ୍କ ପାଖରେ ଆଧୁନିକ ଅସ୍ତ୍ରଶସ୍ତ୍ର ଥିବାବେଳେ ସୁରକ୍ଷା କର୍ମୀଙ୍କ ପାଖରେ କେବଳ ବାଡ଼ିଟିଏ ଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେଠାରେ ଆଲୋକର କୌଣସି ସୁବିଧା ନଥିଲା ଏବଂ ଟର୍ଚ୍ଚ ଭଳି ପ୍ରାଥମିକ ସାମଗ୍ରୀ ମଧ୍ୟ ଉପଲବ୍ଧ ନଥିଲା। ଲୁଟେରାମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବାରୁ ନିଜ ଜୀବନ ବଞ୍ଚାଇବା ପାଇଁ ସେ ପାଖେଇ ଯାଇଥିଲେ।

ଚୋରି ହୋଇଥିବା ଏହି ତୋପ କେବଳ ଏକ ପୁରୁଣା ଧାତୁର ଗଠନ ନୁହେଁ, ବରଂ ଐତିହାସିକମାନଙ୍କ ମତରେ ଏହା ଭାରତର ସାମରିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ତୋପଟି ୧୬ଶ ଶତାବ୍ଦୀର ବୋଲି ବିଶ୍ୱାସ କରାଯାଏ, ଯାହା ସେହି ସମୟର ଧାତୁ ଶିଳ୍ପ ଏବଂ ଯୁଦ୍ଧ କୌଶଳର ପ୍ରମାଣ ଦିଏ। ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଐତିହାସିକ ଚିହ୍ନ ଏହାକୁ ଅତ୍ୟନ୍ତ ଦୁର୍ଲଭ ଓ ଗୁରୁତ୍ୱପୂର୍ଣ୍ଣ କରିଥାଏ। ଯଦିଓ ଏକ ଐତିହାସିକ ସମ୍ପତ୍ତିର ମୂଲ୍ୟ କେବଳ ଟଙ୍କାରେ ମାପ କରାଯାଇପାରିବ ନାହିଁ, ତଥାପି ବିଶେଷଜ୍ଞଙ୍କ ମତରେ ଆନ୍ତର୍ଜାତୀୟ ବଜାରରେ ଏଭଳି ଦୁର୍ଲଭ ଶତାବ୍ଦୀ ପୁରୁଣା ସାମଗ୍ରୀର ମୂଲ୍ୟ ଅତ୍ୟନ୍ତ ଅଧିକ । ଏହି ଚୋରି ପଛରେ ପ୍ରାଚୀନ ସାମଗ୍ରୀ ସ୍ମଗଲିଂ କରୁଥିବା କୌଣସି ଅନ୍ତର୍ଜାତୀୟ ଗ୍ୟାଙ୍ଗ୍‌ର ହାତ ଅଛି କି ନାହିଁ, ପୋଲିସ ତଦନ୍ତ କରୁଛି।