ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ ଉପରେ ପ୍ରତି ଲିଟର ପିଛା ୬୦ ପଇସା 'ବିଧବା ଏବଂ ଅନାଥ ସେସ୍'  ଲାଗୁ କରିଛନ୍ତି। ଅଗଷ୍ଟ ୧୧ ତାରିଖ ମଧ୍ୟରାତ୍ରିରୁ ଏହି ନୂତନ କର ବା ସେସ୍ କାର୍ଯ୍ୟକାରୀ ହୋଇଛି। ରାଜ୍ୟର ବିଧବା ଏବଂ ଅନାଥ ଶିଶୁମାନଙ୍କ କଲ୍ୟାଣ ପାଣ୍ଠି ପାଇଁ ଏହି ଅର୍ଥ ବ୍ୟବହାର କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି,l  କିନ୍ତୁ ଏହାକୁ ନେଇ ରାଜନୈତିକ ବାଦବିବାଦ ଆରମ୍ଭ ହୋଇଯାଇଛି।  ଆଇନଗତ ବ୍ୟବସ୍ଥା ଏବଂ ବିଜ୍ଞପ୍ତି ରାଜ୍ୟର ରାଜସ୍ୱ ଓ ଆବାକାରୀ ବିଭାଗ  ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ହିମାଚଳ ପ୍ରଦେଶ ଭାଲ୍ୟୁ ଆଡ୍ଡେଡ୍ ଟ୍ୟାକ୍ସ ଆଇନ, ୨୦୦୫ର ଧାରା ୬-A ଅଧିକାର ବଳରେ ଏହି ନିଷ୍ପତ୍ତି ନିଆଯାଇଛି। 

ପେଟ୍ରୋଲ ଏବଂ ଡିଜେଲର ପ୍ରଥମ ବିକ୍ରୟ ସମୟରେ  ଏହି ସେସ୍ ଆଦାୟ କରାଯିବ । ଚଳିତ ବର୍ଷ ବଜେଟ୍ ଅଧିବେଶନରେ ହିମାଚଳ ପ୍ରଦେଶ ବିଧାନସଭା ଦ୍ୱାରା 'ହିମାଚଳ ପ୍ରଦେଶ ଭାଲ୍ୟୁ ଆଡ୍ଡେଡ୍ ଟ୍ୟାକ୍ସ (ସଂଶୋଧନ) ବିଲ୍, ୨୦୨୬' ପାସ୍  କରାଯାଇଥିବା ବେଳେ ,ଏହି ଆଇନ ଅନୁଯାୟୀ ସରକାର ସର୍ବାଧିକ ୫ ଟଙ୍କା ପର୍ଯ୍ୟନ୍ତ ସେସ୍ ଲଗାଇବାକୁ କ୍ଷମତା ପାଇଥିଲେ l କିନ୍ତୁ ବର୍ତ୍ତମାନ ଏହାକୁ ମାତ୍ର ୬୦ ପଇସା ସ୍ଥିର କରାଯାଇଛି।  ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସରକାର ଏହି ପଦକ୍ଷେପକୁ ସମର୍ଥନ କରି କହିଛନ୍ତି ଯେ, ସମାଜର ସବୁଠାରୁ ଦୁର୍ବଳ ଏବଂ ଅବହେଳିତ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏହି ପାଣ୍ଠିର ମୁଖ୍ୟ ଉଦ୍ଦେଶ୍ୟ। ବିଧବା ମହିଳାମାନଙ୍କ ପିଲାମାନଙ୍କ ପାଠପଢ଼ା ଏବଂ ଅନାଥ ଶିଶୁମାନଙ୍କ କଲ୍ୟାଣ ପାଇଁ ଏହି ଛୋଟ ପଦକ୍ଷେପ ନିଆଯାଇଛି ବୋଲି ସରକାର ଯୁକ୍ତି ବାଢ଼ିଛନ୍ତି ।

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଏହି ନିଷ୍ପତ୍ତିକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି । ହିମାଚଳ ପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ, "ବିଧବା ଏବଂ ଅନାଥଙ୍କ ନାଁରେ ରାଜସ୍ୱ ସଂଗ୍ରହ କରିବା ସମ୍ପୂର୍ଣ୍ଣ ଅନୁଚିତ୍ ।" ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି , ଯେତେବେଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି, ସେତେବେଳେ ରାଜ୍ୟ ସରକାର ବିଭିନ୍ନ ବାହାନାରେ ମୂଲ୍ୟ ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି।