ଭୁବନେଶ୍ବର ୧୧।୭: କେଜିରୁ ପିଜି ନାମଲେଖାରେ ଉପୁଜିଥିବା ଦ୍ୱନ୍ଦ୍ବ ଦୂର କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । କେଜିରୁ ପିଜି ମାଗଣା ଶିକ୍ଷା ନେଇ ସରକାର ଘୋଷଣା କରିବା ପରେ କିଛି ଏଡେଡ କଲେଜ ସେମାନଙ୍କ କଲେଜ ପରିଚାଳନା ନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ଯେଉଁମାନେ ଆଡମିଶନ କରିସାରିଛନ୍ତି ସେମାନେ କିଭଳି ଅର୍ଥ ଫେରିପାଇବେ ସେନେଇ ବି ଦ୍ବନ୍ଦ୍ବ ଉପୁଜିଥିଲା । ତେବେ କଲେଜ ପରିଚାଳନା ପାଇଁ ସରକାର ଏକ ଏସଓପି ଆଣିବେ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଏହାସହ ଆଡମିଶନ ପଇସା ଫେରାଇବାକୁ ବି ଏକ ପୋର୍ଟାଲ ଖୋଲିବେ ସରକାର ।

ଦୂରହେବ କେଜିରୁ ପିଜି ନାମଲେଖାରେ ଉପୁଜିଥିବା ଦ୍ୱନ୍ଦ୍ବ । ଗ୍ରାଣ୍ଟ-ଇନ୍ -ଏଡ୍ ପାଉଥିବା କଲେଜ ପାଇଁ ସରକାର ଦେବେ ଅନୁଦାନ । ଏଥିପାଇଁ ଖୁବ୍ ଶିଘ୍ର ଆସିବ SOP। ଆସନ୍ତା ସୋମବାର ଏସଓପି ଆସିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ କହିଛନ୍ତି, ଏସଓପି ଆସିବା ପୂର୍ବରୁ ଛାତ୍ର ଛାତ୍ରୀ ,ଅଭିଭାବକ, କଲେଜ ଅଧ୍ୟକ୍ଷକଙ୍କ ସହ ଆଲୋଚନା ଚାଲିଛି । ୬୬୨ ଓ ୪୮୮ ବର୍ଗ କଲେଜ ଗୁଡିକୁ ଅର୍ଥ ଦିଆଯିବାକୁ ବିଚାର ଚାଲିଛି । କଲେଜ ଗୁଡିକୁ ଯେଉଁ ଅନୁଦାନ ମିଳିବ କେଉଁ ଆଧାରରେ ମିଳିବ ସେଥିରେ କ’ଣ କ’ଣ ବ୍ଯବସ୍ଥା ରହିବ ସେନଇ ଏସଓପିରେ ସ୍ପଷ୍ଟ ରହିବ। ସରକାର ଯେଉଁ ଅନୁଦାନ ଦେବେ ତାହା ଏକାଥରକେ ଦେବେ ନା ପର୍ଯ୍ୟାୟକ୍ରମେ ଦେବେ ତାହା ମଧ୍ୟ ଏସଓପିରେ ରହିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିଭଳି ଯେଉଁ କଲେଜ ପିଲାମାନେ ଚଳିତ ଶିକ୍ଷା ବର୍ଷରେ ପଇସା ଦେଇ ଆଡମିଶନ କରିଛନ୍ତି ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଏକ ପୋର୍ଟାଲ ପ୍ରସୁତ ହେଉଛି । ଏହି ପୋର୍ଟାଲରେ ଆବେଦନ କଲେ ବିଭାଗ ପଇସା ଫେରସ୍ତ କରିବ ।ରି- ଆଡମିଶନ ଫି’ ବି ପିଲାଙ୍କ ପାଇଁ ଛାଡ ହେବ ।କେବଳ ପରୀକ୍ଷା ଫି ପିଲାଙ୍କୁ ଦେବାକୁ ପଡିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

ସେପଟେ ବିଭିନ୍ନ କଲେଜ ସଂଗଠନର ଦାବୀ, ସରକାର କଲେଜ ପରିଚାଳନା ପାଇଁ କିସ୍ତିରେ ଅର୍ଥ ନଦେଇ ଏକ କାଳୀନ ଅନୁଦାନ ଦିଅନ୍ତୁ । ରାଜ୍ୟ ସରକାର କଲେଜ ଗୁଡିକୁ ୮୯୫ କୋଟି ଦେବାକୁ କ୍ୟାବିନେଟରେ ଆପ୍ରୁଭାଲ କରିଥିଲେ । କଲେଜ ଫଣ୍ଡରେ ଏବେ କିଛି ପଇସା ନଥିବାରୁ ସେହି ଅର୍ଥ ତୁରନ୍ତ ଦିଆଯାଉ ବୋଲି ଦାବି କରିଛି କଲେଜ ଶିକ୍ଷକ ସଂଘ।