ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ବଢ଼ିଛି ଚିନ୍ତା। ଅବଶ୍ୟ ଏହାର ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ଅନେକ ସ୍ଥାନରେ ସ୍କୁଲ- କଲେଜ ବନ୍ଦ ଘୋଷଣା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହାରି ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ନେଇଛନ୍ତି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଆଗାମୀ ୨୪ ଘଣ୍ଟା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ପାଇଁ ବଡ଼ ବିପଦ। ଏଥିପାଇଁ ୩ ଜଣ ବରିଷ୍ଠ IASଙ୍କୁ ପଠାଯାଇଛି। ଏଥି ସହିତ ସିନିୟର ଇଞ୍ଜିନିୟରଙ୍କୁ ପଠାଯାଇଛି। ଜଳକା, ବୁଢାବଳଙ୍ଗ, ଶାଳନ୍ଦୀ ନଦୀରେ ମଧ୍ୟ ଜଳସ୍ଥର ବିପଦ ସଂକେତ ଉପରେ ରହିଛି। ମୟୁରଭଞ୍ଜ ସୁନ୍ଦରଗଡ଼ କେନ୍ଦୁଝର, ସମ୍ବଲପୁର ପାଇଁ ମଧ୍ୟ ଆଗାମୀ ୨୪ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ରହିଥିବା କହିଛନ୍ତି ମନ୍ତ୍ରୀ।

ପ୍ରତି ହସ୍ପିଟାଲରେ ହୋଇଛି ବ୍ୟାପକ ପ୍ରସ୍ତୁତି

ମନ୍ତ୍ରୀ ଆହୁରି କହିଛନ୍ତି , SRC ଅଫିସ ୨୪ ଘଣ୍ଟିଆ ଆକ୍ଟିଭ ରହିବ। ବିପଦରେ ପଡ଼ିଥିବା ଲୋକେ ଟୋଲ ଫ୍ରି ନମ୍ବର ୧୨୨କୁ କଲ୍ କରି ଜଣାଇପାରିବେ। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରଭାବିତ ଅଞ୍ଚଳରେ ବୟସ୍କ, ଗର୍ଭବତୀ ମହିଳା, ଶିଶୁମାନଙ୍କ ସହ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଜିଲ୍ଲାକୁ ଓଡ୍ରାଫ ଟିମ ପଠାଯାଇଛି। ପ୍ରତି ହସ୍ପିଟାଲରେ ସାପ କାମୁଡା ଔଷଧ ମହଜୁଦ ଅଛି।

Also Read: ପ୍ରବଳ ବର୍ଷା ପାଇଁ ସତର୍କତା, ଏସବୁ ଜିଲ୍ଲାରେ ସ୍କୁଲ- କଲେଜ ବନ୍ଦ

୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର

ସେହପରି ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆହୁରି ମଧ୍ୟ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗରେ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ।

ମଙ୍ଗଳବାର ସନ୍ଧ୍ୟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୋଲିସ ଡିଜି ୱାଇ. ବି. ଖୁରାନିଆ ଏବଂ ସ୍ୱତନ୍ତ୍ର ରିଲିଫ କମିଶନ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ରହିଥିଲେ।