ଥିରୁଅନନ୍ତପୁରମ ୨୬/୦୨: ଦ କେରଳ ଷ୍ଟୋରୀ ୨(The Kerala Story2)ସିନେମାକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ରିଲିଜକୁ ଅଟକାଇଲେ କେରଳ ହାଇକୋର୍ଟ। ସିନେମାର ସେନସର ସାର୍ଟିଫିକେଟକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରି କୋର୍ଟ ଗୁରୁବାର ଏହାର ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି। ଫେବ୍ରୁଆରୀ ୨୭ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଥିଲା। ହେଲେ ଜଷ୍ଟିସ ବେଚୁ କୁରିଆନ ଥୋମାସଙ୍କ ଜଣିକିଆ ଖଣ୍ଡପୀଠ ଏହି ସିନେମା ୨୭ ତାରିଖରେ ମୁକ୍ତିଲାଭ କରିପାରିବ ନାହିଁ ବୋଲି କହିଛନ୍ତି। ଏବଂ ସେନସର ବୋର୍ଡକୁ ସମାଲୋଚନା କରି କହିଛନ୍ତି ଯେ ବୋର୍ଡ ଏହାକୁ ଅନୁମିତ ଦେବା ପୂର୍ବରୁ ମାଇଣ୍ଡ ଖଟାଇବାରେ ବିଫଳ ହୋଇଛି।

ଚଳିତ ସପ୍ତାହରେ ସିନେମାର ସେନସର ସାର୍ଟିଫିକେଟ ନେଇ ଚ୍ୟାଲେଞ୍ଜ କରାଯାଇଥିଲା। ଆଜି କୋର୍ଟ ଏହାକୁ ସ୍ଥଗିତ କରିଛନ୍ତି। ଏବେ ଏହାକୁ ନେଇ ଏକ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି। ଶୁଣିବାକୁ ମିଳୁଛି ଯେ ଫିଲ୍ମ ନିର୍ମାତାମାନେ ଫିଲ୍ମର ରିଲିଜ୍ ଉପରେ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ସ୍ଥଗିତାଦେଶ ବିରୁଦ୍ଧରେ ଏକ ବୃହତ୍ତର ଖଣ୍ଡପୀଠର ଦ୍ୱାରସ୍ତ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଟିମ୍ ପକ୍ଷରୁ ଆଜି ସୁଦ୍ଧା ଏନେଇ ଏକ ଆବେଦନ ହୋଇପାରେ। କାରଣ ପ୍ରଯୋଜକ ସିନେମାର ମୁକ୍ତିଲାଭରେ ବିଳମ୍ବ କରିବାକୁ ଚାହୁଁ ନାହାନ୍ତି। ତେଣୁ ତାଙ୍କ ଟିମ୍ ଶୀଘ୍ର ଆବେଦନ କରିପାରେ।

କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ଏବଂ ବିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ, ଦି କେରଳ ଷ୍ଟୋରୀ ୨ ସିନେମାରେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ କାହାଣୀ ରାଯାଇଛି। ହିନ୍ଦୁ ଯୁବତୀମାନଙ୍କୁ କିଭଳି ଅଲଗା ଧର୍ମରେ ବିବାହ ପାଇଁ ପ୍ରଲୋଭିତ କରାଯାଏ, ତା'ପରେ ସେମାନଙ୍କୁ ଆକ୍ରମଣ କରାଯାଏ, ସେମାନଙ୍କ ଅଧିକାର ଛଡ଼ାଇ ନିଆଯାଏ ଏବଂ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଏ। ଏହିସବୁ ପ୍ରସଙ୍ଗକୁ ନେଇ ସିନେମା ତିଆରି କରାଯାଇଛି। ଟ୍ରେଲର ରିଲିଜ୍ ହେବା ପରେ ଫିଲ୍ମର ବିଷୟବସ୍ତୁ ବିବାଦରେ ଛନ୍ଦି ହୋଯାଇଛି।

ଫିଲ୍ମକୁ ନେଇ ଜଣେ ଜୀବବିଜ୍ଞାନୀ ଶ୍ରୀଦେବ ନାମ୍ବୁଦିରି ଗୁରୁତର ଆପତ୍ତି ଉଠାଇବା ପରେ ଏହି ମାମଲା ବିଚାରକୁ ନିଆଯାଇଥିଲା। କେରଳ ହାଇକୋର୍ଟରେ ସେ ଆବେଦନ କରିଥିବ ତାଙ୍କ ଅଭିଯୋଗରେ ସେ ଦର୍ଶାଇଥିଲେ ଯେ ଫିଲ୍ମର ଟ୍ରେଲରରେ କେରଳକୁ ଅତ୍ୟନ୍ତ ନକାରାତ୍ମକ ଦୃଷ୍ଟିରେ ଦର୍ଶାଯାଇଛି ଏବଂ ଏହାର ବ୍ୟାପକ ସାମାଜିକ ପରିଣାମ ସୃଷ୍ଟି ହୋଇପାରେ ବୋଲି ସେ କହିଥିଲେ। ଏହି ମାମଲାରେ କୋର୍ଟ ବୁଧବାର ଶୁଣାଣି କରିବା ସମୟରେ କହିଥିଲେ ଯେ ଆବେଦନକାରୀଙ୍କ ହୁଏତ ସତ ହୋଇପାରେ। ଏହି ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, କେରଳ ହାଇକୋର୍ଟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (ଆଇ ଆଣ୍ଡ ବି), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ଏବଂ ଚଳଚ୍ଚିତ୍ରର ପ୍ରଯୋଜକଙ୍କୁ ନୋଟିସ୍ ଜାରି କରିଛନ୍ତି।

ଲାଇଭ୍ ଲ’ ରିପୋର୍ଟ ଅନୁଯାୟୀ, ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି: "ପ୍ରଥମରୁ ପ୍ରମାଣପତ୍ର ଦେବା ସମୟରେ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (CBFC) ଦ୍ୱାରା ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ ମନେ ରଖାଯାଇନଥିବା ପରି ମନେ ହେଉଛି। ଏଥିରେ ପ୍ରଯୁଜ୍ୟ ଆଇନର ଏକ ସ୍ପଷ୍ଟ ଅବମାନନା କରାଯାଇଥିବା ଦେଖାଯାଉଛି। ଯାହା କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ବାଧ୍ୟ କରୁଛି।"

ଅତୁଲ ମିଶ୍ର ବନାମ ଭାରତ ସଂଘ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଉଦ୍ଧୃତ କରି କୋର୍ଟ ଆହୁରି କହିଛନ୍ତି ଯେ, ସରାକାରୀ କିମ୍ବା ଅଣସରକାରୀ ବ୍ୟକ୍ତିମାନେ - ଭାଷଣ, ମିମ୍, କାର୍ଟୁନ୍ କିମ୍ବା ଦୃଶ୍ୟ କଳା ଭଳି ମାଧ୍ୟମରେ ଯେକୌଣସି ସମ୍ପ୍ରଦାୟକୁ ଅପମାନିତ କିମ୍ବା ବଦନାମ କରିବା "ସାମ୍ବିଧାନିକ ଭାବରେ ଅନୁଚିତ"। ସେହିପରି ରଙ୍ଗରାଜନ ବନାମ ପି ଜଗଜୀବନ ରାମରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟବେକ୍ଷଣକୁ ଉଲ୍ଲେଖ କହି କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଆଶଙ୍କା

ଖଣ୍ଡପୀଠ ଏହା ମଧ୍ୟ ରେକର୍ଡ କରିଛନ୍ତି ଯେ ଆବେଦନକାରୀଙ୍କ ଆଶଙ୍କାକୁ ଫିଲ୍ମଟି ଏକ ସିକ୍ୱେଲ୍ ହେବା ପରିପ୍ରେକ୍ଷୀରେ ଦେଖିବା ଆବଶ୍ୟକ, ଏସ୍ ରଙ୍ଗରାଜନ ବନାମ ପି ଜଗଜୀବନ ରାମରେ ସୁପ୍ରିମକୋର୍ଟଙ୍କ ପର୍ଯ୍ୟବେକ୍ଷଣକୁ ଉଲ୍ଲେଖ କରି କୋର୍ଟ କହିଛନ୍ତି ଯେ ଯଦିଓ ଗୋଟିଏ ଫିଲ୍ମ ମନୋଭାବକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିନପାରେ ତେବେ ସମାନ ଚରିତ୍ରର ଫିଲ୍ମଗୁଡ଼ିକୁ ନିରନ୍ତର ପ୍ରଦର୍ଶନ ପରିବର୍ତ୍ତନ ଆଣିବ ବୋଲି କୋର୍ଟ କହିଛନ୍ତି। ​​​​​​​