ଭୁବନେଶ୍ବର: ଲଗାଣ ବର୍ଷା ଓ ଏହା ଯୋଗୁ ସୃଷ୍ଟି ବନ୍ୟା ସ୍ଥିତି ସାରା ରାଜ୍ୟରେ ସ୍ଥିତି ଜଟିଳ କରିଦେଇଥିଲା। ଅବଶ୍ୟ କିଛି ଦିନ ହେବ ବର୍ଷା ପରିମାଣ କମିଥିଲା, ଆଉ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା। କିନ୍ତୁ ଗତ ଦୁଇ- ତିନି ହେବ ପୁଣି ଆରମ୍ଭ ହୋଇଛି ପ୍ରବଳ ବର୍ଷା। ତା’ ଉପରେ ପୁଣି ଆଗକୁ ଦୁଇ- ଦୁଇଟି ଲଘୁଚାପ ଆକଳନ ଆହୁରି ଚିନ୍ତା ବଢ଼ାଇଦେଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଗାମୀ ୨ ଦିନ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ବିଶେଷ କରି ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଏବଂ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କଟକ, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହା ବାଦ୍ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ଓ ୩୦-୪୦ କିମି ବେଗରେ ଝଟକା ପବନ ହେବାର ସମ୍ଭାବନା ଥିବାରୁ ଚାଷୀମାନଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ସମୁଦ୍ର ଅଶାନ୍ତ ରହିବା କାରଣରୁ ଆଗାମୀ ୨ ଦିନ ଅଗଷ୍ଟ ୭ ଓ ୮ ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

 

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୩୨ଟି ସ୍ଥାନରେ ପ୍ରବଳ ଏବଂ ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଯାହା ମଧ୍ୟରୁ କଳାହାଣ୍ଡିର ନର୍ଲାରେ ସର୍ବାଧିକ ୧୩୧ ମିଲିମିଟର ବର୍ଷା ହୋଇଛି। ଜୁନ୍ ୧ ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୮୧୪.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକଠାରୁ ୨୬% ଅଧିକ।

ଅନ୍ୟପଟେ, ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମଡି ଆକଳନ କରିଛି। ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଅଗଷ୍ଟ ତୃତୀୟ ସପ୍ତାହରେ ଏହାର ପ୍ରଭାବ ସାରା ରାଜ୍ୟରେ ଅନୁଭୂତ ହେବ। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଲାଗିରହିବ ବୋଲି ଆକଳନ କରିଛି ଆଇଏମଡି।