ଭୁବନେଶ୍ୱର ୩୧।୦୧ : ହଠାତ୍ ବଢିଯାଇଛି ଏମ୍ସରେ ରୋଗୀ ସଂଖ୍ୟା। ଦୈନିକ ୫ହଜାର ରୋଗୀ ପହଞ୍ଚୁଛନ୍ତି ଓପିଡିରେ । ଓଡିଶା କଥା କିଏ ପଚାରେ, ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟରୁ ଶତାଧିକ ରୋଗୀ ଏମ୍ସ ଆସୁଛନ୍ତି । ଫଳରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହେଉଛି । ଆବଶ୍ୟକ ବେଡ୍ ବି ନାହିଁ। ରାତିରେ ଅପେକ୍ଷା କରିକରି ତା ପରଦିନ ଓପିଡିରେ ଲାଇନ୍ ପାଇବା ପାଇଁ ୯, ୧୦ ଡିଗ୍ରୀ ଥଣ୍ଡାରେ ଥରିଥରି ଫୁଟପାଥ୍ ଓ ରୋଡ୍ ମେଡିଆନରେ ଶୋଉଛନ୍ତି। ପଶ୍ଚିମବଙ୍ଗର ରାଜେନ୍ଦ୍ର ଦାସ ।

ନ୍ୟୁରୋଲୋଜି ସମସ୍ୟା ପାଇଁ ଗତ ତିନିଦିନ ତଳେ ଭୁବନେଶ୍ୱର ଏମ୍ସକୁ ଆସିଛନ୍ତି । ଦିନରେ ଓପିଡିରେ ଠିଆ ହୋଇ ହୋଇ ସମୟ ଯାଉଛି, ରାତିରେ ଶୋଇବାକୁ ଜାଗା ପାଉନାହାନ୍ତି । ପ୍ରବଳ ଥଣ୍ଡାରେ ଥରିଥରି ସେ ଫୁଟପାଥରେ ଶୋଉଛନ୍ତି। ଝାଡଖଣ୍ଡରୁ ଆସିଥିବା କେ. ବିନୟ ମଧ୍ୟ ସେହି କଥା କହିଛନ୍ତି । ଶୀତରେ ବାହାରେ ରହିହେଉନି, ମାତ୍ର ମୁଣ୍ଡ ଗୁଞ୍ଜିବାକୁ ଚାରିକାନ୍ଥ ବି ମିଳୁନି । ଧର୍ମଶାଳାରେ ବି ଜାଗା ମିଳୁନି ବୋଲି ସେ କହିଛନ୍ତି । ଏମିତି ଶହଶହ ରୋଗୀଙ୍କ ଅବସ୍ଥା । ଓଡ଼ିଶାର କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଭଳି ପାଖଆଖରୁ ଆସୁଥିବା ରୋଗୀ ଘରକୁ ଫେରିଯାଉଛନ୍ତି, କୋରାପୁଟ, ମାଲକାନଗିରି, ରାଇରଙ୍ଗପୁରରୁ ଆସୁଥିବା ରୋଗୀ ବି ସମାନ ଅବସ୍ଥା ଭୋଗୁଛନ୍ତି । ପ୍ରତିଦିନ ଏମିତି ଅନେକ ରୋଗୀ ହୀନସ୍ତା ଭୋଗୁଛନ୍ତି । ବଡକଥା ହେଉଛି, ଥଣ୍ଡା, ଜ୍ୱର, ଝାଡା ଭଳି ସାଧାରଣ ରୋଗରେ ଆକ୍ରାନ୍ତ ହୋଇ ରୋଗୀମାନେ ଏମ୍ସ ଆସୁଛନ୍ତି । ସେଥିମଧ୍ୟରେ ୬୦ରୁ ୭୦ ପ୍ରତିଶତ କେବଳ ପଶ୍ଚିମବଙ୍ଗର । ଏମାନଙ୍କ ଯୋଗୁ ଅନ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଓପିଡିରେ ଡାକ୍ତର ଦେଖାଇବାକୁ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେଉଛନ୍ତି । ଏପରିକି ଟିକେଟ ବି ମିଳୁନି । ଫଳରେ ରୋଗୀମାନେ ପୁଣି ପରଦିନକୁ ଅପେକ୍ଷା କରୁଛନ୍ତି । ଏବେ ଏମ୍ସର ସମସ୍ତ ଆଇପିଡିରେ ମୋଟ ୯୭୮ଟି ଶଯ୍ୟା ରହିଛି । ତାହା ମଧ୍ୟ ଯଥେଷ୍ଟ ହୋଇପାରୁନି । ଟ୍ରମାରେ ୯୦ଟି ଶଯ୍ୟା ରହିବା କଥା, ହେଲେ କାର୍ଯ୍ୟକ୍ଷମ ହେଉଛି ମାତ୍ର ୭୬ । ଅଧିକ ଶଯ୍ୟା ବଢ଼ାଇବା ପାଇଁ ଅଧିକ ସ୍ଥାନ ଦରକାର । ତେଣୁ ଏମ୍ସକୁ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଅଧିକ ଜମି ମଗାଯାଉଛି । ଗତ ୨ବର୍ଷ ତଳେ ଏହାକୁ ସଂପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଅଧିକ ୧୦୦ଏକର ଜମି ଦେବେ ବୋଲି ସୂଚନା ମିଳିଥିଲା । ଯଦି ଏମ୍ସ ସଂପ୍ରସାରିତ ହୁଏ, ତେବେ ନୂଆ ବିଲ୍ଡିଂରେ ବିଭିନ୍ନ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର, ଅଙ୍ଗ ପ୍ରତିରୋପଣ କେନ୍ଦ୍ର, ଆଇଭିଏଫ ଓ ଅନ୍ୟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା କେନ୍ଦ୍ର ପ୍ରତିଷ୍ଠା କରିବା ଓ ସୁପର ସ୍ପେସାଲିଷ୍ଟ ବିଭାଗ ଖୋଲିବାକୁ ଯୋଜନା କରାଯାଇଛି । ହେଲେ ଜମି ମିଳିପାରିନି । ଅଧିକ ସଂଖ୍ୟକ ରୋଗୀ ଆସୁଥିବାରୁ ଆଡମିସନ, ଅସ୍ତ୍ରୋପଚାର, ପରୀକ୍ଷଣ ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ ଏହାର ସମାଧାନ ଆବଶ୍ୟକ ହୋଇପଡ଼ିଛି ।

ଅପରପକ୍ଷେ, ଏମ୍ସ ପରିସରରେ ଏକ ଅତ୍ୟାଧୁନିକ କ୍ରିଟିକାଲ କେୟାର ହସ୍ପିଟାଲ ନିର୍ମାଣ ଚାଲିଛି । ଏହି ହସ୍ପିଟାଲରରେ ମୋଟ ୧୭୦ଟି ଶଯ୍ୟା ରହିବ । ଏହା କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣାଜନିତ ରୋଗୀ ଓ ଜରୁରୀ ରୋଗୀଙ୍କୁ ଆଉ ହଇରାଣ ହେବାକୁ ପଡ଼ିବନି । କର୍ତ୍ତୃପକ୍ଷଙ୍କ କହିବା କଥା, ଏବେ ଏମ୍ସକୁ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରୁ ରୋଗୀ ଆସୁଛନ୍ତି । ଏଠାରେ ଉତ୍ତମ ଓ ଅତ୍ୟାଧୁନିକ ଚିକିତ୍ସା ମିଳୁଥିବାରୁ ରୋଗୀଙ୍କ ଆଶା ବି ବଢ଼ୁଛି । ଖୁବଶୀଘ୍ର ଏମ୍ସକୁ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।