ଭୁବନେଶ୍ବର: ଅନୁଗୋଳରେ ଅବିଶ୍ରାନ୍ତ ଭାବରେ ମାଡ଼ି ଚାଲିଥିବା ସ୍କ୍ରବ ଟାଇଫସ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗର ତତ୍ପରତା। ଏହାକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ ନହେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହାମାରୀ ଏବଂ ଲାବୋରେଟୋରୀ ନିରୀକ୍ଷଣକୁ ବ୍ୟାପକ କରାଯାଇଛି। ସଂଗ୍ରହ କରାଯାଇଥିବା ୯ଟି ନମୁନାର ଆଇଜିଏମ୍ ଏଲିସା (IgM ELISA) ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ଏହା ସହିତ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ସ୍କ୍ରିନିଂ କରାଯାଇ ନୂତନ ନମୁନା ସଂଗ୍ରହ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଚୂଡ଼ାନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ନପହଞ୍ଚିବାକୁ କୁହାଯାଇଛି।

Also Read: ଅନୁଗୋଳ ସ୍କ୍ରବ୍ ଟାଇଫସ୍ ଆତଙ୍କ: ପ୍ରାଥମିକ ରିପୋର୍ଟ ପଜିଟିଭ୍ ଆସିଥିବା ୯ ନମୁନା ଏଲିସା ଟେଷ୍ଟରେ ନେଗେଟିଭ୍

ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପରିବେଶକୁ ସ୍ୱଚ୍ଛ ରଖିବା ସହ କିଛି ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି। ଯେଉଁଥିରେ ବାହାରକୁ ଯିବା ସମୟରେ ପୂରା ହାତ ଥିବା ସାର୍ଟ, ଲମ୍ବା ପ୍ୟାଣ୍ଟ ଏବଂ ପାଦ ସମ୍ପୂର୍ଣ୍ଣ ଘୋଡ଼େଇ ହେଉଥିବା ଜୋତା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘର ଚାରିପାଖ ସଫା ରଖନ୍ତୁ ଏବଂ ବୁଦା ବା ଘାସ ଜମି ରହିବା ତଥା ଘାସ କିମ୍ବା ମାଟି ଉପରେ ସିଧାସଳଖ ବସିବା ତଥା ଶୋଇବାଠାରୁ ଦୂରେଇ ରହିବାକୁ କୁହାଯାଇଛି।