ମୋହନା ୧୭।୪: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରୁବୁଡିସିଂ ସ୍କୁଲ ପାଚେରୀ ପଡ଼ି ଦୁଇ ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ବେତ ରାଇକାଙ୍କୁ ନିଲମ୍ବିତ କରାଯାଇଛି l ଏଥିସହ ବିଦ୍ୟାଳୟ କୋଠା କାମ କରୁଥିବା ଠିକାଦାର ପ୍ରମିଳା ପୂଜାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି l

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ସମୀକ୍ଷା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଏହାସହ ୭ ଦିନ ମଧ୍ୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ସମ୍ପୃକ୍ତ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା । ଗତ ବୁଧବାର ନୂଆଗଡ ବ୍ଲକ ରୁବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ ଖେଳୁଥିବା ବେଳେ ପାଚେରୀ ଭୁଶୁଡି ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Also Read:- Schools and colleges in Balangir are closed: ଅସହ୍ୟ ହେଲାଣି ଗରମ, ବଲାଙ୍ଗିରରେ ୧୮ରୁ ୨୧ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁଆ ସ୍କୁଲ ଥିଲା । ପିଲାଙ୍କ ପାଠପଢା ପରେ ବିଦ୍ୟାଳୟ ଛୁଟି ହୋଇସାରିଥିଲା l ଏହାପରେ ସ୍କୁଲ ପରିସରରେ ପିଲାମାନେ ଖେଳୁଥିଲେ l ଚତୁର୍ଥ ଶ୍ରେଣୀ ଏହି ଦୁଇ ଛାତ୍ରୀ ମଧ୍ୟ ସାଙ୍ଗ ପିଲାଙ୍କ ସହ ଖେଳୁଥିଲେ । ଏହି ସମୟରେ ହଠାତ ସ୍କୁଲ ପାଚେରୀଟି ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା । ଫଳରେ ପାଚେରୀ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । କେହି ସେମାନଙ୍କୁ ଉଦ୍ଧାର କରିପାରିନଥିଲେ । ଚାହୁଁ ଚାହୁଁ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ରା.ଉଦୟଗିରି ପୋଲିସ ଓ ନୂଆଗଡ଼ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତ ଛାତ୍ରୀଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ ।