ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି  ଏବଂ ରାଷ୍ଟ୍ରୀୟ ଲୋକ ଦଳ (RLD) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ପରେ ଉତ୍ତର ପ୍ରଦେଶର ଅମରୋହା ରାଜନୀତିରେ ଏକ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସାମି କିମ୍ବା ତାଙ୍କ ଭାଇ ହସୀବ ରାଜନୈତିକ ମଇଦାନକୁ ଓହ୍ଲାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତଥାପି ଏହି ସମ୍ଭାବ୍ୟ ରାଜନୈତିକ ପଦକ୍ଷେପ ଜିଲ୍ଲାର ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ ।

ଏହି ସମୟରେ, କ୍ରିକେଟରଙ୍କ ପାଖରୁ ଅଲଗା ରହୁଥିବା ପତ୍ନୀ ହସୀନ୍ ଜାହାଁଙ୍କ ଏକ ବଡ଼ ବୟାନ ଏହି ରାଜନୈତିକ ନାଟକକୁ ଆହୁରି ରୋଚକ କରିଦେଇଛି। ଏକ ସାକ୍ଷାତକାରରେ ହସୀନ୍ ଜାହାଁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସାମି କିମ୍ବା ତାଙ୍କ ଭାଇ ହସୀବ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି, ତେବେ ସେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ଯଦି କୌଣସି ରାଜନୈତିକ ଦଳ ତାଙ୍କୁ ଟିକେଟ୍ ନ ଦିଏ, ତଥାପି ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ମଇଦାନକୁ ଓହ୍ଲାଇ ତାଙ୍କର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଅମରୋହା ସଦର ବିଧାନସଭା ଆସନ ବିଷୟରେ କହିବାକୁ ଗଲେ, ଏହା ଦୀର୍ଘ ଦିନ ଧରି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମହବୁବ୍ ଅଲ୍ଲୀଙ୍କ ଗଡ଼ ହୋଇରହିଛି। ସେ ୨୦୦୨ ମସିହାରୁ କ୍ରମାଗତ ଭାବରେ ଏହି ଆସନରୁ ଜିତି ଆସୁଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ମହବୁବ୍ ଅଲ୍ଲୀ ୧.୨୮ ଲକ୍ଷରୁ ଅଧିକ ଭୋଟ୍ ପାଇ ବିଜେପି ପ୍ରାର୍ଥୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ। ଏଭଳି ପରିସ୍ଥିତିରେ ସାମି ପରିବାରର ସମ୍ଭାବ୍ୟ ରାଜନୈତିକ ପଦାର୍ପଣ ଏବଂ ହସୀନ୍ ଜାହାଁଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଏହି ଆସନର ସମୀକରଣକୁ ଅତ୍ୟନ୍ତ କୌତୁହଳପୂର୍ଣ୍ଣ କରିଦେଇଛି।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୦୧୮ ରେ ପାରିବାରିକ ବିବାଦ ଏବଂ ଗମ୍ଭୀର ଅଭିଯୋଗ ପରେ ମହମ୍ମଦ ସାମି ଏବଂ ହସୀନ୍ ଜାହାଁ ଏକାଠି ନରହି ଅଲଗା ରହୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅଦାଲତରେ ଆଇନଗତ ଲଢ଼େଇ ଚାଲିଥିବା ବେଳେ, ହସୀନ୍ ଜାହାଁଙ୍କ ଏହି ରାଜନୈତିକ ଚେତାବନୀ ସେମାନଙ୍କର ପୁରୁଣା ପାରିବାରିକ ଓ ଆଇନଗତ ବିବାଦକୁ ଆଉଥରେ ଚର୍ଚ୍ଚାର ପରିସରକୁ ଟାଣିଆଣିଛି ।